କଟକ: କନେଷ୍ଟବଳ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ସ୍ବାମୀ ବିଷ ପିଇବା ସହିତ ନିଜର ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଘର ଭିତରେ ୩ ବର୍ଷର ଝିଅ ଶୋଇଥିବା ବେଳେ ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଧାରୁଆ ଛୁରିରେ ସ୍ବାମୀ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି କଟକ ଲାଲବାଗ୍ ଥାନା ଅନ୍ତର୍ଗତ ସିଦ୍ଧେଶ୍ବରସାହିରେ। ପାରିବାରିକ ଅଶାନ୍ତିରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ବାମୀକୁ ପୁଲିସ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛି।
ସୂଚନା ଅନୁଯାୟୀ, କଟକ ଗ୍ରାମାଞ୍ଚଳ ଜିଲ୍ଲା ଭଦ୍ରେଶ୍ବର ଅଞ୍ଚଳର ବିଷ୍ଣୁପ୍ରିୟା ମଲ୍ଲିକ(୨୭) ନିଶ୍ଚିନ୍ତକୋଇଲି ଥାନା ସରପଡ଼ା ଅଞ୍ଚଳର ବିଶ୍ବଜିତ ମଲ୍ଲିକ(୩୫)ଙ୍କୁ ୨୦୧୯ରେ ପ୍ରେମ ବିବାହ କରିଥିଲେ। ବିଶ୍ବଜିତ ଫେରି ବ୍ୟବସାୟ କରେ। ପତ୍ନୀ ବିଷ୍ଣୁପ୍ରିୟା ପୁଲିସ କମ୍ୟୁନିକେସନ୍ ବିଭାଗରେ କନେଷ୍ଟବଳ ଭାବେ ଚାକିରି କରୁଥିଲେ। ନିକଟରେ ସେ ଡେପୁଟେସନରେ କଟକ ସାଇବର୍ ଥାନାକୁ ଆସିଥିଲେ। ସେମାନଙ୍କ ଏକ ୩ ବର୍ଷର ଝିଅ ଅଛି। କିଛି ଦିନ ହେଲା ବିଶ୍ବଜିତ ନିଜ ଗାଁ ସରପଡ଼ାରେ ରହୁଥିବା ବେଳେ କଟକରେ ବିଷ୍ଣୁପ୍ରିୟା ୩ ବର୍ଷର ଝିଅକୁ ଧରି ରହୁଥିଲେ। ଆଜି ବିଶ୍ବଜିତ ସିଦ୍ଧେଶ୍ବରସାହି ଘରକୁ ଆସିଥିବା ବେଳେ ବୁଧବାର ଦିନ ପ୍ରାୟ ଗୋଟାଏ ବେଳେ ଉଭୟଙ୍କ ମଧ୍ୟରେ ବଚସା ପରେ ଏଭଳି ଜଘନ୍ୟ ଘଟଣା ଘଟିଛି। ଘରେ ଉଭୟଙ୍କ ଅଧା ଖାଇବା ଥାଳି ପଡ଼ିରହିଛି। ବଚସା ହେବାରୁ ବିଷ୍ଣୁପ୍ରିୟା ବିଶ୍ବଜିତଙ୍କ ବ୍ୟାଗ ଓ ଅନ୍ୟ ଆସବାବପତ୍ରକୁ ଘର ବାହାରକୁ ଫିଙ୍ଗି ଦେଇଥିବା କୁହାଯାଉଛି। ଏହାପରେ ବିଶ୍ବଜିତ୍ ଛୁରି ଧରି ବିଷ୍ଣୁପ୍ରିୟାଙ୍କୁ ଗୋଡ଼ାଇ ଥିଲା। ଜୀବନ ବିକଳରେ ବିଷ୍ଣୁପ୍ରିୟା ଘର ବାହାରକୁ ଚାଲି ଆସିଥିଲେ। ତାଙ୍କ ଚିତ୍କାର ଶୁଣି ଜଣେ ପଡ଼ୋଶୀ ବିଶ୍ବଜିତକୁ କାବୁ କରିବାକୁ ଉଦ୍ୟମ କଲା ବେଳେ ପଡ଼ୋଶୀଙ୍କ ହାତ ପାପୁଲିକୁ ଛୁରିରେ କାଟି ଦେଇଥିଲା। ପରେ ବିଶ୍ବଜିତ ଘର ଭିତରେ ବିଷ୍ଣୁପ୍ରିୟାଙ୍କ ତଣ୍ଟି କାଟି ଦେଇଥିଲା। ପଡ଼ୋଶୀ ଏ ସଂକ୍ରାନ୍ତରେ ଲାଲବାଗ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଟିମ୍ ପହଞ୍ଚିଲା ବେଳକୁ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ଘଟି ସାରିଥିଲା।
ବିଷ ପିଇ ନିଜ ତଣ୍ଟି କାଟିଲା ସ୍ବାମୀ
ଘରେ ଶୋଇଥିଲା ୩ ବର୍ଷର ଝିଅ
ବଞ୍ଚାଇବାକୁ ଯାଇ ପଡ଼ୋଶୀ ଆହତ
ପୁଲିସ ବିଶ୍ବଜିତଙ୍କୁ ଖୋଜିବା ବେଳକୁ ରୋଷେଇଘର ଭିତରୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା। କବାଟ ଭାଙ୍ଗିବାରୁ ବିଶ୍ବଜିତଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲେ। ସେ ନିଜ ବେକକୁ ଛୁରିରେ କାଟିବା ସହିତ ମୂଷା ମରା ଔଷଧ ଖାଇଦେଇଥିଲା। ପୁଲିସ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛି। ଆହତ ପଡ଼ୋଶୀଙ୍କୁ ମଧ୍ୟ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ୩ ବର୍ଷର ଝିଅକୁ ପୁଲିସ ମାମୁଘର ଲୋକଙ୍କ ଜିମା ଦେଇଛି। ଘଟଣାସ୍ଥଳରେ ଡିସିପି ଜଗମୋହନ ମୀନାଙ୍କ ସମେତ ଜୋନ୍ ଏସିପି ପ୍ରଦୀପ ରାଉତ, ଲାଲବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକ ପହଞ୍ଚି ତଦନ୍ତ କରିଛନ୍ତି। ବିଶ୍ବଜିତଙ୍କ ବାପା ହେମନ୍ତ ମଲ୍ଲିକ କହିଛନ୍ତି କିଛି ଦିନ ପୂର୍ବରୁ ସେମାନେ ନିଶ୍ଚିନ୍ତକୋଇଲି ଘରକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବିଷ୍ଣୁପ୍ରିୟା ୩ ବର୍ଷର ଝିଅକୁ ଧରି କଟକ ଚାଲି ଆସିଥିଲେ। ଆଜି ବିଶ୍ବଜିତ ଝିଅକୁ ଦେଖିବାକୁ କଟକ ଆସିଥିଲା ବେଳେ ଏଭଳି କାଣ୍ଡ ଘଟିଥିବା ହେମନ୍ତ କହିଛନ୍ତି। ବିଷ୍ଣୁପ୍ରିୟାଙ୍କ ଭାଇ ଦୁର୍ଯ୍ୟୋଧନ ମଲ୍ଲିକ ଥାନାରେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଡିସିପି ଜଗମୋହନ ମୀନା କହିଛନ୍ତି ଯେ ପୁଲିସ ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୁଲିସ ତଦନ୍ତ ସମୟରେ ହତ୍ୟାକାଣ୍ଡକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବଡ଼ ନୂଆ ଛୁରି ଜବତ ହୋଇଥିବାରୁ ବିଶ୍ବଜିତ ଯୋଜନାବଦ୍ଧ ଭାବେ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରିବାକୁ ଏହି ଛୁରି କିଣିଥିବା ପୁଲିସ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/26/xK9E1Mr7Bcqm6iASdBvf.jpg)