ପୁରୀ: ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ବିରାଟ ପ୍ରଦର୍ଶନୀ। ଏଠାରେ ମହାପ୍ରଭୁଙ୍କ ୨୫ ପ୍ରକାରର ବେଶ ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ତିନି ରଥର ମିନିଏଚର୍ ଶୋଭା ପାଉଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ ଆସୁଥିଲେ, ସେମାନେ ପ୍ରଦର୍ଶନୀ ଭ୍ରମଣ ସହ ମହାପ୍ରଭୁଙ୍କ ବେଶ ଦେଖି ଆତ୍ମତୃପ୍ତି ଲାଭ କରୁଥିଲେ। ଏ ବାବଦରେ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ବିଜେଡି ସରକାରର ପରାଜୟ ପରେ ହଠାତ୍ ଏହି ପ୍ରଦର୍ଶନୀକୁ ବନ୍ଦ କରି ଦିଆଯାଇଛି। ଗତ ୫ ତାରିଖଠାରୁ ଏଠାରେ ବିଜୁଳି ସଂଯୋଗ କାଟି ଦିଆଯାଇଥିଲା। ପରେ ଏଠାରେ ସ୍ଥାପିତ ମହାପ୍ରଭୁଙ୍କ ବେଶ ସବୁ ଖୋଲିବା ଆରମ୍ଭ ହୋଇଛି। ଯେଉଁ ବେଶ ଜାନୁଆରିଠାରୁ ଭକ୍ତଙ୍କ ମନ ଜିଣୁଥିଲା, ତାହା ହଠାତ୍ ଖୋଲି ନିଆଯିବା ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ସରକାର ବଦଳିବା ପରେ ଏଭଳି ହୀନ ଚକ୍ରାନ୍ତ, ନିନ୍ଦନୀୟ ବୋଲି ସେବାୟତ ଓ ଭକ୍ତମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପ୍ରଦର୍ଶନୀ ବନ୍ଦ ହୋଇଯିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମିନିଏଚର୍, ବେଶ ଆଦିର ଭବିଷ୍ୟତ କ’ଣ ହେବ ଓ ଏହାକୁ କିଏ ନେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ ଠିଆ କରିଛି।
ଜାନୁଆରି ୧୭ରେ ଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଲୋକାର୍ପଣ ଉତ୍ସବ ଦିନ ହିଁ ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ଏହି ପ୍ରଦର୍ଶନୀ। ଏଥିରେ ପ୍ରଦର୍ଶିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମିନିଏଚର୍(କଳାକୃତି)। ଶ୍ରୀଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ, ନାଗାର୍ଜୁନ ବେଶ ସହ ଅନ୍ୟାନ୍ୟ ୨୫ ବେଶ। ଶ୍ରୀମନ୍ଦିର ସିଂହାରୀ ନିଯୋଗ ସହାୟତାରେ ମହାପ୍ରଭୁଙ୍କ ବେଶ ପ୍ରସ୍ତୁତ କରୁଥିବା କାରିଗରମାନେ ଏହି ବେଶ ପ୍ରସ୍ତୁତ କରିଥିଲେ। ଏଥିସହ କାଠରେ ନିର୍ମିତ ହୋଇଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ଆଦି ତିନିରଥର ଅବିକଳ କୁନି ପ୍ରତିକୃତି। ତିନିରଥର ଏହି କଳାକୃତିକୁ ପୂର୍ଣ୍ଣରୂପ ଦେଇଥିଲେ ରୂପକାର ସେବକ ରାଜେନ୍ଦ୍ର କୁମାର ମହାପାତ୍ର। ଅଦିନ ରଥଯାତ୍ରାର ଭ୍ରମ ସୃଷ୍ଟି କରୁଥିବା ଏହି ତିନି ରଥର ଉଚ୍ଚତା ଥିଲା ୮.୩ ଫୁଟ। ନନ୍ଦିଘୋଷ ରଥର ଓସାର ୫.୨ ଫୁଟ, ତାଳଧ୍ବଜ ରଥର ଓସାର ୫ ଫୁଟ ଓ ଦର୍ପଦଳନ ରଥର ଓସାର ୪.୧୦ ଫୁଟ ଥିଲା। ରଥ ଦଉଡ଼ି ସହ ଅନ୍ୟାନ୍ୟ ପ୍ରସ୍ତୁତି ବି ରଥଯାତ୍ରାର ଚିତ୍ର ପ୍ରଦାନ କରୁଥିଲା। ମାସେ ଧରି ପ୍ରତିଦିନ ୨୫ଜଣ କାରିଗର ଏହି କାରିଗରୀକୁ ପୂର୍ଣ୍ଣରୂପ ଦେଇଥିଲେ। ଶାଗୁଆନ, ନିମ୍ବ, ଶାଳ, ଆକାଶିଆ ଆଦି କାଠରେ ଏହା ନିର୍ମାଣ କରାଯାଇଥିଲା। ଏଥିସହ ପ୍ରଦର୍ଶନୀରେ ରଥର ତିନି ଚକ, କୋଣଗୁଜ, ସିଂହାସନ ସହ ରଥର ବିଭିନ୍ନ ଅଂଶ ପ୍ରଦର୍ଶିତ ହୋଇଥିଲା। ମହାପ୍ରସାଦ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର କୁଡ଼ୁଆ, ମହାପ୍ରଭୁଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହେଉଥିବା ଦର୍ପଣ, ଗଡ଼ୁ, ଥାଳି, ପାଟବସ୍ତ୍ର, ଘୋଡ଼ ଆଦି ବି ପ୍ରଦର୍ଶିତ ହୋଇଥିଲା। ଭକ୍ତମାନେ ଶ୍ରୀସେତୁରେ ଆସି ଶ୍ରୀଜଗନ୍ନାଥ ବଲ୍ଲଭରେ ପହଞ୍ଚିବା ପରେ ଏହି ପ୍ରଦର୍ଶନୀ ଦେଖିପାରିବେ ଓ ଭକ୍ତିଭାବ ସାଉଁଟି ପାରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବା କ୍ଷଣି ୫ ତାରିଖରୁ ଏହି ପ୍ରଦର୍ଶନୀକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଶ ସବୁକୁ ଖୋଲି ଦିଆଯାଇଛି। ଶୀତତାପ ନିୟନ୍ତ୍ରିତ ଏହି ପ୍ରଦର୍ଶନୀରୁ ଏସି ବି ଖୋଲି ନିଆଯାଇଛି। ଟେଣ୍ଟ, କାରପେଟ୍ ଆଦି ବି ଖୋଲି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsfsfhshf-1.jpg)