ଭୁବନେଶ୍ବର: ୬୦ ବର୍ଷ ପରେ ପୁନଃ ନିଯୁକ୍ତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର କଠୋର ନୀତି ଅବଲମ୍ବନ କରିଛନ୍ତି। ଅଥଚ ସରକାରଙ୍କ ଲାଭଜନକ ସଂସ୍ଥାରେ ଏହି ନିୟମକୁ ଦଳିମକଚି ଦେବା ପାଇଁ ଭୀଷଣ ଷଡ଼୍ଯନ୍ତ୍ର ଚାଲିଛି। ଏମିତି ଯେ ଲବି ଲୋକସେବା ଭବନ ଭିତରେ ପଶି ତୃତୀୟ ମହଲାକୁ ଛୁଇଁଲାଣି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଓପିଜିସି ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନିରେଖି ଦେଖିଲେ ଏ କଥା ଯେ କେହି ସହଜରେ ବୁଝିପାରିବ। ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ନ ଦେଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦରେ ଥଇଥାନ ଲାଗି ଯୋଜନା ଚାଲିଛି।
ଆମେରିକୀୟ କମ୍ପାନି ଏଇଏସ୍ ଓପିଜିସିର ୪୯% ଅଂଶଧନ କିଣି ଏହାର ଦୈନନ୍ଦିନ ପରିଚାଳନା ଦାୟିତ୍ବ ହାତକୁ ନେବା ପରେ ସଂସ୍ଥାରେ ପରିଚାଳନାଗତ ବିଭ୍ରାଟ ଆରମ୍ଭ ହୋଇଥିଲା। ଇବ୍ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ସଫଳତାର ସହ ପରିଚାଳନା କରିଆସୁଥିବା କର୍ମଚାରୀ ଓ ଅଫିସରଙ୍କୁ ଏଡ଼ାଇ କମ୍ପାନି ବଜାରଭିତ୍ତିକ ବେତନ (ଏମ୍ବିଏସ୍)ରେ ପରିଚାଳନା ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେଲା। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସଂଗତି ଧୀରେ ଧୀରେ ଅସନ୍ତୋଷର ରୂପ ନେଲା। ପରେ ଏଇଏସ୍ ନିଜ ଅଂଶଧନ ପ୍ରତ୍ୟାହାର କରି ଓହରିଯିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନାକୁ ଏହି ସଂସ୍ଥା ଆସିଛି। କିନ୍ତୁ ଦୁର୍ଭାଗ୍ୟଜନକ ଘଟଣା ହେଉଛି, ପୂର୍ବରୁ ସବୁ ଭୁଲ୍ ତ୍ରୁଟି ପାଇଁ ଏଇଏସ୍କୁ ଦାୟୀ କରି ଖସି ଯାଇଥିବା ବଡ଼ବଡ଼ିଆଙ୍କ ଭୂମିକା ସାମ୍ନାକୁ ଆସିବାରେ ଲାଗିଛି। ସିଧା ସିଧା କହିଲେ, ଏହି ସଂସ୍ଥା ହାତକୁ ନେବା ପରଠାରୁ ରାଜ୍ୟ ସରକାର ଏହାର ପରିଚାଳନା ବ୍ୟବସ୍ଥାକୁ ଦକ୍ଷ କରିବା ପରିବର୍ତ୍ତେ ଦୁର୍ବଳ କରିଚାଲିଛନ୍ତି। ପ୍ରଥମେ ପରିଚାଳନା ନିର୍ଦ୍ଦେଶକ ପଦରେ ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଇ ଅଚିନ୍ତାରେ ରହିଲେ। ଇତିମଧ୍ୟରେ ପରିଚାଳନା ନିର୍ଦ୍ଦେଶକ ଇସ୍ତଫା ଦେଇସାରିଛନ୍ତି ଓ ଏହି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ବାଭାବିକ ଭାବେ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶକ୍ତି ସମୀକ୍ଷକମାନେ ଏହି ଲାଭଜନକ ସଂସ୍ଥାର ମୁଖିଆ କିଏ ହେବେ, ତାହାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଯୋଗ୍ୟତା ଭିତ୍ତିରେ ଏମ୍ଡି ନିଯୁକ୍ତି ଦେବା ପରିବର୍ତ୍ତେ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ସେଠାରେ ଥଇଥାନ ଲାଗି ଚାପ କୌଶଳ ପ୍ରୟୋଗ କରୁଛନ୍ତି। ପ୍ରଶ୍ନ ଉଠୁଛି, ମୋହନ ସରକାରରେ ଲୋକସେବା ଭବନ ପାଇଁ ଗୋଟିଏ ନିୟମ, ସରକାରୀ ଉଦ୍ୟୋଗ ପାଇଁ ଆଉ ଗୋଟିଏ ନିୟମ କି? ଯଦି ନା, ତେବେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି କୁଚକ୍ରୀ ଗୋଷ୍ଠୀ ସାହସ କରୁଛନ୍ତି କେମିତି? କାହା ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଲାଗି ଏହି ଲାଭଜନକ ସଂସ୍ଥାରେ ମାସ ମାସ ଧରି ଏମ୍ଡି ପଦବି ଖାଲି ପଡ଼ିଛି? ଏତିକି ହିଁ ସଙ୍କେତ ଦେଉଛି ଯେ ଓପିଜିସି ପରିଚାଳନାକୁ ଦକ୍ଷ କରିବା ଦିଗରେ ସରକାର କେତେ ତତ୍ପର ଅଛନ୍ତି!
ଏଠାରେ ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ମନଇଚ୍ଛା ନିଯୁକ୍ତି ଦିଆଯାଉଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ପଦବିମାନଙ୍କୁ ଅବସରପ୍ରାପ୍ତ ଅଧିକାରୀ କରାୟତ୍ତ କରିନେଇଥିଲେ। ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଓଏସ୍ଡି ନିଯୁକ୍ତି ଆଳରେ ସେମାନଙ୍କୁ ଥଇଥାନ ଲାଗି ସରକାର ରାସ୍ତା ଖୋଲିଦେଇଥିଲେ। ମାତ୍ର ସରକାର ବଦଳିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ କରିବାକୁ ଯାଇ ଗୋଟିଏ ବଡ଼ ନିର୍ଦ୍ଦେଶନାମା ଜାରି କଲେ। ଏଥିରେ କୁହାଗଲା ଯେ କୌଣସି ଗୋଟିଏ ବି ବିଭାଗ ଅବସରପରେ କାହାକୁ ମନଇଚ୍ଛା ନିଯୁକ୍ତି ଦେଇପାରିବେ ନାହିଁ। ବରଂ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଅନୁମୋଦନ କଲେ ଯାଇ ଏଭଳି କୌଣସି ନିଯୁକ୍ତିରେ ମୁଖ୍ୟମନ୍ତ୍ରୀ ମୋହର ମାରିବେ ଓ ତା’ ପରେ ଯାଇ ନିଯୁକ୍ତି ହେବ। ଅତି ଜରୁରି ଆବଶ୍ୟକ ନଥିଲେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯିବନାହିଁ। ଏତେ ଯୋଗ୍ୟ ବ୍ୟକ୍ତି ଥିବା ବେଳେ ଓପିଜିସି ପରିଚାଳନା ଲାଗି କାହିଁକି ଜଣେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବାକୁ ଉଦ୍ୟମ ହେଉଛି, ତାହା ବୁଝାପଡ଼ୁନାହିଁ। ଲାଭଜନକ ସଂସ୍ଥା ଓପିଜିସିକୁ ଦୁର୍ବଳ କରିବା ଲାଗି ଷଡ଼୍ଯନ୍ତ୍ର ହେଉନି ତ? ଯଦି ନା’ ତେବେ ତୁରନ୍ତ ଏମ୍ଡି ନିଯୁକ୍ତି କରିବା ପରିବର୍ତ୍ତେ କାଳକ୍ଷେପଣ ନୀତି କାହିଁକି ଅବଲମ୍ବନ ହେଉଛି, ତାହା ଆଉ ଏକ ଅନୁସନ୍ଧାନର ଅପେକ୍ଷା ରଖେ।