ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି: ନରସିଂହ ମିଶ୍ର

ନିୟମ ସମସ୍ତଙ୍କ ପାଇଁ ସମାନ କହିଲେ ଜୟନାରାୟଣ, ପ୍ରମିଳା କହିଲେ- ଆଇନ ଅନୁଯାୟୀ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ କରିବା ପ୍ରମାଣିତ କରିଛି ଯେ ଏହା ପଛରେ ରହିଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଶୁକ୍ରବାର ଏହା କହିଛନ୍ତି। ରାହୁଲ ଗାନ୍ଧି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଏହା ଆଉ ମଧ୍ୟ ପ୍ରମାଣିତ ହୋଇଛି ଯାହା ଆମେ ଆଗରୁ କହୁଥିଲୁ, ଗଣତନ୍ତ୍ର ଧ୍ଵଂସ ହୋଇଛି। ଭାରତବର୍ଷରେ ଗଣତନ୍ତ୍ର ବୋଲି କିଛି ନାହିଁ। ସବୁ ପରମ୍ପରାକୁ ପଛରେ ପକେଇ, ଗଣତାନ୍ତ୍ରିକ ପରମ୍ପରାକୁ ଆଖିରେ ନ ରଖି ତରବାରିଆ ଭାବେ ସଭ୍ୟ ପଦ ରଦ୍ଦ କରାଯାଇଛି । କଂଗ୍ରେସ ଉପର ଅଦାଲତକୁ ଯିବ। ରାହୁଲ ଗାନ୍ଧି ଉପର ଅଦାଲତକୁ ଯିବେ ଏବଂ ନ୍ୟାୟର ଜୟ ହେବ। ସାରା ଭାରତବର୍ଷରେ ଏହାର ପ୍ରତିବାଦ ହେବ।

ଏ ପ୍ରସଙ୍ଗରେ  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାହୁଲ ଗାନ୍ଧି ହେଲେ ବୋଲି, ତାଙ୍କ ପାଇଁ ନିୟମ ଲାଗୁ ହେବ ନାହଁକି? ନିୟମ ସମସ୍ତଙ୍କ ପାଇଁ ସମାନ। ତାଙ୍କ ସମୟରେ ନିୟମ ହୋଇଥିଲା। ଯେଉଁମାନଙ୍କୁ ଦୁଇ ବର୍ଷରୁ ଅଧିକ ସଜ୍ଜା ହେବ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହେବ। ଏଥିରେ କାହାର କିଛି କରିବାର ନାହିଁ। ଦୁଇ ବର୍ଷ ସଜ୍ଜା ହେଲା ସେଥିପାଇଁ ସଦସ୍ୟ ପଦ ଗଲା। ଏହା ନିୟମ। ଯେଉଁ ନିୟମ ଅଛି ତାକୁ ବିନା କାରଣରେ ରାଜନୈତିକ ରଙ୍ଗ ଦିଆଯାଉଛି। ନିୟମ ସମସ୍ତଙ୍କ ପାଇଁ ସମାନ। ଯଦି ଏହାକୁ ନେଇ କିଏ ଡ୍ରାମା କରିବେ, ତେବେ ସେଥିରେ କିଛି କରିବାର ନାହିଁ। ସେ ଉପର କୋର୍ଟ ଯାଇପାରନ୍ତି। କିନ୍ତୁ ନିୟମ ଅନୁଯାୟୀ ସଦସ୍ୟ ପଦ ରଦ୍ଦ ହେବ।

ସେହିପରି ରାହୁଲ ଗାନ୍ଧିଙ୍କ ସଭ୍ୟ ରଦ୍ଦକୁ ନେଇ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ତ କେହି ଅବମାନନା କରି ପାରିବେ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋଇଛି। ସେହି ଅନୁଯାୟୀ ବାଚସ୍ପତି ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଇଛନ୍ତି। ଆମ ପାଇଁ କଂଗ୍ରେସ ବିଜେପି ଦୁଇ ଦଳ ସମାନ। ତେଣୁ ବିଜୁ ଜନତା ଦଳ ସେଥିରେ କୌଣସି ପ୍ରତିକ୍ରିୟା ଦେବା ଉଚିତ ନୁହେଁ। ମାନ୍ୟବର କୋର୍ଟ ନିର୍ଦ୍ଦେଶରେ ଯାହା ହେବା କଥା ହେଇଛି।

ସମ୍ବନ୍ଧିତ ଖବର