ଚାଷୀଙ୍କ ସକ୍ରିୟତା ଯୋଗୁଁ ଭଣ୍ଡୁର ହେଲା ବୀମା କଂପାନିର ଚକ୍ରାନ୍ତ

ସମ୍ବଲପୁର : ଚାଷୀମାନଙ୍କ ସକ୍ରିୟତା ଯୋଗୁ ଆଜି ସମବାୟ ବ୍ୟାଙ୍କ ଏବଂ ବୀମା କଂପାନିର ଏକ ବଡ଼ ଚକ୍ରାନ୍ତ ଫସର ଫାଟିଯାଇଛି। କେନ୍ଦ୍ର ସରକାର ଚାଷୀମାନଙ୍କ ସୁବିଧା ଫସଲ ବୀମା ବ୍ୟବସ୍ଥା କରିଛନ୍ତି। ତେବେ, କିଏ ଫସଲ ବୀମା କରିବେ ଆଉ କିଏ କରିବେ ନାହିଁ, ଏହା ଚାଷୀମାନଙ୍କ ଉପରେ ସଂପୂର୍ଣ୍ଣ ଭାବେ ଛାଡ଼ି ଦେଇଛନ୍ତି। ଫସଲ ବୀମା କରିବା ଚାଷୀମାନଙ୍କ ସଂପୂର୍ଣ୍ଣ ଇଚ୍ଛାଧୀନ ବିଷୟ ହୋଇଥିଲେହେଁ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏଥର ବାଧ୍ୟତାମୂଳକ କରିବାକୁ ଯୋଜନା କରିଥିଲା।

ଚା‌ଷୀମାନେ ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) ଜରିଆରେ ସମବାୟ ବ୍ୟାଙ୍କରୁ ଚାଷ କାମ ପାଇଁ କୃଷିଋଣ ଆଣିଥାନ୍ତି। ଏହି ଋଣ ଆଣିବା ବେଳେ ଫସଲ ବୀମା ପ୍ରିମିୟମ ବାବଦକୁ ବାଧ୍ୟତାମୂଳକ ଭାବେ ଅର୍ଥ କାଟି ଦେବାକୁ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଥିଲା। ବୀମା କଂପାନିର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି କରିଥିବା ଜଣାପଡ଼ିବା ପରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବହୁ ଚାଷୀ ନେତା ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବଙ୍କୁ ଫୋନ୍ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ପରିଶେଷରେ ଆଜି ଅପରାହ୍‌ଣରେ ବ୍ୟାଙ୍କ ପକ୍ଷରୁ ଏକ ଭର୍ଚୁଆଲ ବୈଠକର ଆୟୋଜନ କରାଯାଇ ପେକ୍ସଗୁଡ଼ିକ ଆବଶ୍ୟକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଅଣଜଳସେଚିତ ଅଂଚଳ ଚାଷୀମାନେ ମରୁଡ଼ି ଯୋଗୁ ପ୍ରାୟତଃ ଫସଲ ବିମା କରିଥାନ୍ତି। ଜଳସେଚିତ ଅଂଚଳର କିଛି ଚାଷୀ ରୋଗପୋକ ଭୟ ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ଫସଲ ନଷ୍ଟ ହେବା ଆଶଙ୍କାରେ ବୀମା କରିଥାନ୍ତି। କିନ୍ତୁ, ଏସବୁ ଥିରେ ଫସଲ ନଷ୍ଟ ହେଉଥିବା ସତ୍ତ୍ବେ ଅନେକ ସମୟରେ ବୀମାରାଶି ମିଳୁନଥିବାରୁ ବହୁ ଚାଷୀ ବୀମା କରିବାକୁ ଚାହିନଥାନ୍ତି।

ସମ୍ବନ୍ଧିତ ଖବର