ଏମିତି ଚାଲିଛି ସାତକୋଶିଆ…: ବନ୍ୟପ୍ରାଣୀଙ୍କ ମୃତ୍ୟୁକୁ ଲୁଚାଇବାକୁ ଷଡ଼୍‌ଯନ୍ତ୍ର

ପୁରୁଣାକୋଟ୍‌ରେ ଗୟଳର ମୃତ୍ୟୁ, ରେଞ୍ଜ୍‌ରଠୁ ଡିଏଫ୍‌ଓ ଯାଏ ଚୁପ୍‌, ସନ୍ଧ୍ୟା ହେଲା ପଛେ ବ୍ୟବଚ୍ଛେଦ ନୋହିଲା

ବନ୍ତଳା : ବନ୍ୟପ୍ରାଣୀଟିଏ ଆଖି ବୁଜି​ଲେ, ବନ ବିଭାଗର ମୂଳ କାମ ହେଲା ମଲା ଜନ୍ତୁର ସନ୍ଧାନ ଲଗାଇବା ଓ ତା’ର ବ୍ୟବଚ୍ଛେଦ କରାଇବା। କିନ୍ତୁ, ସାତକୋଶିଆ ଅଭୟାରଣ୍ୟରେ ଠିକ୍‌ ତାର ଓଲଟା ଚାଲିଛି। ଗୁଳି ଖାଇ ହେଉ ଅବା ଫାଶରେ ପଡ଼ି, ଅଥବା ବନ ବିଭାଗ ଆଖି ସାମ୍ନାରେ କୌଣସି ବନ୍ୟପ୍ରାଣୀଙ୍କ ସ୍ବାଭାବିକ ମୃତ୍ୟୁ ଘଟିଲେ ବି ଘଟଣାର ରହସ୍ୟ ଉନ୍ମୋଚନ କରିବା ପରିବର୍ତ୍ତେ ସାତକୋଶିଆ କର୍ତୃପକ୍ଷ ତାକୁ ଲୁଚାଇବାରେ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ବିଗତଦିନରେ ହାତୀକୁ ଗୁଳିକରିବା ଘଟଣା, ମାଟି ତଳୁ ହାତୀ କଙ୍କାଳ ଉଦ୍ଧାର ଆଦି ଘଟଣା ଏମିତି ସନ୍ଦେହକୁ ତିଆରି କରୁଥିଲା। ଆଜି ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ମଧ୍ୟ ବୟସ୍କ ଗୟଳର ମୃତ୍ୟୁ ଘଟଣା ଏ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି।

ମିଳିଥିବା ସୂଚନା ଅନୁସାରେ, ସାତକୋଶିଆର ପୁରୁଣାକୋଟ୍‌ ରେଞ୍ଜ୍‌ ପୂର୍ବ ସଂରକ୍ଷିତ ଜଙ୍ଗଲରେ ଗୟଳର ମୃତ୍ୟୁ ଘଟଣାଟି ଘଟିଛି । ସ୍ଥାନୀୟ ଅଞ୍ଚଳର ଏକ ଜଳ ଉତ୍ସ ନିକଟରେ ଏହି ମଧ୍ୟ ବୟସ୍କ ଗୟଳର ମୃତ୍ୟୁ ହୋଇଥିବା ବନ ବିଭାଗକୁ ଆଗୁଆ ଖବର ମିଳିଥିଲା। ବନ ବିଭାଗ ଏ ଖବରକୁ ଚପାଇବାକୁ ଚେଷ୍ଟା କରିଥିବା ବେଳେ ଆଜି ସକାଳୁ ଏନେଇ ଚାରିଆଡ଼େ ହୋ’-ହାଲ୍ଲା ହୋଇଥିଲା। ଏମିତିକି, ଏ ଖବର ସତ୍ୟାସତ୍ୟକୁ ସ୍ପଷ୍ଟ କରିବା ପାଇଁ ସନ୍ଧ୍ୟା ଯାଏ ବି ସାତକୋଶିଆ ଡିଏଫ୍‌ଓ ଫୋନ୍‌ ଉଠାଇନଥିଲେ। ରେଞ୍ଜ୍‌ରଙ୍କ ସ୍ତରରୁ ବି ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ବିଭାଗ ଏମିତି ଲୁଚାଇବାକୁ ଚେଷ୍ଟାକଲା ଯେ ମୃତ ଗୟଳର ବ୍ୟବଚ୍ଛେଦ ବି କରାଇଲେ ନାହିଁ। ଗୟଳର ବୟସ କେତେ, ମୃତ୍ୟୁର କାରଣ କଣ, ବନ ବିଭାଗ କିଛି ବି ସ୍ପଷ୍ଟ କରୁନାହିଁ।
ଏହିଭଳି ଜନ୍ତୁ ମୃତ୍ୟୁକୁ ଲୁଚାଇବାର ପ୍ରୟାସ ଗତବର୍ଷ ହୋଇଥିଲା ଜିଲିଣ୍ଡା ରେଞ୍ଜ୍‌ରେ। ମାଟି ତଳେ ହାତୀଭଳି ବିରାଟ ପ୍ରାଣୀର ଶରୀରକୁ ବନ ବିଭାଗ ପୋତିଦେଲା, ହେଲେ ତିଳେ ହେଲେ କଥା ପଦାକୁ ଆସିଲା ନାହିଁ। ପ୍ରାୟ ବର୍ଷକ ପରେ ମାଟି ଖୋଳୁଖୋଳୁ ହାତୀର କଙ୍କାଳ ହିଁ ମିଳିଥିଲା।

ସମ୍ବନ୍ଧିତ ଖବର