ଭୁବନେଶ୍ବର: ବିଜେଡି ସରକାର ଅମଳରେ ପ୍ରତି ଗାଁର ଭିତ୍ତିଭୂମି ସୁଦୃଢ଼ କରିବାକୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ବିଜେପି ସରକାର କଡ଼ା ବିରୋଧ କରିଥିଲା। ଏହି ଯୋଜନାରେ କେଉଁ ଗାଁରେ କ’ଣ ପ୍ରକଳ୍ପ ହେବ ସେ ନେଇ ଗ୍ରାମସଭା ହୋଇନଥିଲା। ବରଂ ଲୋକଙ୍କ ଉପରେ ଅଧିକାରୀମାନେ ପ୍ରକଳ୍ପ ଥୋପି ଦେଇଥିଲେ। ବିନା ଗ୍ରାମସଭାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏହା ବିଫଳ ହେଲା ବୋଲି କୁହାଗଲା। ତେଣୁ ବିଜେପି ସରକାର ଏହାକୁ ବନ୍ଦ କରି ଆରମ୍ଭ କରିଛନ୍ତି ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା। ବିଡ଼ମ୍ବନାର ବିଷୟ ଯେଉଁ ‘ଗ୍ରାମସଭା’କୁ ମାଧ୍ୟମ କରି ବିଜେପି ପୂର୍ବ ସରକାରଙ୍କ ଯୋଜନାକୁ ବିରୋଧ କରୁଥିଲା ଏବେ ସେହି ରାସ୍ତାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାକୁ ନିଆଯାଉଛି। ଏହି ଯୋଜନାରେ ପ୍ରତି ପଞ୍ଚାୟତ, ବ୍ଲକ୍କୁ ମିଳୁଥିବା ଅର୍ଥର ୪୦% ବିନା ଗ୍ରାମସଭାରେ କିପରି ଖର୍ଚ୍ଚ ହେବ, ସେ ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମାର୍ଚ୍ଚ ୨୫ରେ ପୂର୍ବ ଗାଇଡ୍ଲାଇନ୍ ଉପରେ ସଂଶୋଧନ କରି କୁହାଯାଇଛି ଯେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ପ୍ରକଳ୍ପ ଅନୁମୋଦନ ବେଳେ ଯଦି ଜିଲ୍ଲାପାଳ ଅନୁଭବ କରିବେ ଯେ କୌଣସି ଦରକାରୀ ପ୍ରକଳ୍ପ ସ୍ଥାନ ପାଇନି ତେବେ ସେ ତାହାକୁ ସାମିଲ୍ କରିପାରିବେ। ଏହା ସହ ଯଦି ତାଲିକାରେ ନଥିବା କୌଣସି ପ୍ରକଳ୍ପ ପାଇଁ ବିଧାୟକମାନେ ସୁପାରିସ୍ କରିବେ ତେବେ ଜିଲ୍ଲାପାଳ ତାହାକୁ ବାର୍ଷିକ ଆକ୍ସନ୍ ପ୍ଲାନ୍ରେ ସାମିଲ କରିବେ। କିନ୍ତୁ ଏହା ବ୍ଲକ୍, ଗ୍ରାମପଞ୍ଚାୟତ ପାଇଁ ଆର୍ଥିକ ବର୍ଷରେ ବରାଦ ହୋଇଥିବା ଅର୍ଥର ୪୦%ରୁ ଅଧିକ ହେବନି। ଏହା ପୂର୍ବରୁ ମାର୍ଚ୍ଚ ୧୧ରେ ପଞ୍ଚାୟତିରାଜ ବିଭାଗ ପୂର୍ବ ଗାଇଡ୍ଲାଇନ୍ରେ ସଂଶୋଧନ କରିଥିଲା। ଏଥିରେ କୁହାଯାଇଥିଲା ଯେ ମୋଟ୍ ପ୍ରକଳ୍ପର ୨୦% ପର୍ଯ୍ୟନ୍ତ ଅର୍ଥରେ ହେବାକୁ ଥିବା ପ୍ରକଳ୍ପ ପାଇଁ ବିଧାୟକ, ସାଂସଦ, ବରିଷ୍ଠ ଅଧିକାରୀମାନେ ସୁପାରିସ୍ କରିପାରିବେ।
ବିଧାୟକମାନେ ଯେଉଁ ପ୍ରକଳ୍ପ ସୁପାରିସ୍ କରିବେ ତାହାକୁ ବିନା ଗ୍ରାମସଭାରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ଏଥିରେ କ୍ଷମତା ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ଗାଁରେ ଆସନ୍ତା ୫ ବର୍ଷରେ କ’ଣ ପ୍ରକଳ୍ପ ହେବ ତାହା ଗ୍ରାମବାସୀ ଗ୍ରାମସଭା ମାଧ୍ୟମରେ ନିଷ୍ପତ୍ତି ନେବାକୁ ସରକାର ଜାନୁଆରି ୩୦ ତାରିଖରେ ଜାରି କରିଥିବା ଗାଇଡ୍ଲାଇନ୍ରେ ଘୋଷଣା କରିଥିଲେ। ହେଲେ ଏମିତି କ’ଣ ଅସୁବିଧା ହେଲା ଯେ ଗୋଟିଏ ମାସରେ ଏହାକୁ ଦୁଇଥର ବଦଳାଇଲେ। ଗାଁରେ ହେବାକୁ ଥିବା ପ୍ରକଳ୍ପ ପାଇଁ ବିଧାୟକ ଯାହା ସୁପାରିସ୍ କରିବେ କାହିଁକି ତାହା ଗ୍ରାମସଭାରେ ଆଲୋଚନା ହେବନି? ସରକାର ବିଧାୟକ ଓ ଜିଲ୍ଲାପାଳଙ୍କୁ ଏହି କ୍ଷମତା ଦେବା ପଛରେ ଭିତିରି ରହସ୍ୟ କ’ଣ?
ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ଚଳିତବର୍ଷ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନା ୩ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏଥିରେ ଆଇଟିଡିଏ ଅଞ୍ଚଳର ୨୦୮୪ଟି ପଞ୍ଚାୟତକୁ ୩ ବର୍ଷରେ ୯୬ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ବାକି ସବୁ ପଞ୍ଚାୟତକୁ ୩ ବର୍ଷରେ ୬୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଅର୍ଥାତ୍ ୨୦୦୦ କୋଟି ଟଙ୍କାରୁ ୪୦%, ୮୦୦ କୋଟି ଟଙ୍କା କାମକୁ ବିନା ଗ୍ରାମସଭାରେ କରାଯିବ।ଜଣେ ବିଡିଓଙ୍କ କହିବାନୁଯାୟୀ, ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ପାଇଁ ଆମେ ଯେଉଁ ପ୍ରକଳ୍ପ ତାଲିକା ଦେଇଛୁ ତା’ର ଅଢ଼େଇ ଗୁଣା ପ୍ରକଳ୍ପ ଦେବାକୁ କୁହାଯାଇଛି। ଏହାସହ ବିଧାୟକମାନଙ୍କ ସୁପାରିସ୍କୁ ମଧ୍ୟ ପଠାଇବାକୁ କୁହାଯାଇଛି।
ବିଧାୟକମାନେ ଯେଉଁ ପ୍ରକଳ୍ପ ଦେବେ ତାହାକୁ କାର୍ଯ୍ୟକାରୀ କରିବାକୁ ଗ୍ରାମସଭାରେ ଅନୁମୋଦିତ ହୋଇଥିବା ପ୍ରକଳ୍ପକୁ ବି ବାଦ୍ ଦେଇ ଅର୍ଥ ବରାଦ ହେବ। ଅପରପକ୍ଷେ ନିକଟରେ ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ, ବିଜେଡି ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅବ୍ୟବସ୍ଥିତ କରିଦେଇଥିଲା। ବିନା ଗ୍ରାମସଭାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରକଳ୍ପ କରିବାରୁ ବହୁ ପ୍ରକଳ୍ପ ହୋଇପାରିନି। ଏପରିକି ବିଭିନ୍ନ ପ୍ରକଳ୍ପ ପାଇଁ ମନଇଚ୍ଛା ଅର୍ଥ ବରାଦ ହୋଇଥିବାରୁ ଆମକୁ ଏବେ ଅଯଥାରେ ସେହି ବାବଦକୁ ଅର୍ଥ ଦେବାକୁ ପଡ଼ୁଛି। ମନ୍ତ୍ରୀ ସବୁ ଜାଣି ବି କିପରି ଏବେ ସେହି ଢାଞ୍ଚାରେ କାମ କରିବାକୁ ଅନୁମତି ଦେଉଛନ୍ତି, ସେ ନେଇ ପ୍ରଶ୍ନ ଉଠିଲାଣି।
ସୂଚନାଯୋଗ୍ୟ ଯେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ରାଜ୍ୟରେ ବିଭିନ୍ନ ଗ୍ରାମ ପାଇଁ ୯ ହଜାର ପ୍ରକଳ୍ପ ବାବଦକୁ ୩୩୯୭ କୋଟି ଟଙ୍କା ବରାଦ ହୋଇଥିଲା। ହେଲେ ଏବେ ସରକାର ବର୍ଷକୁ ୨ ହଜାର କୋଟି ଟଙ୍କା ବରାଦ କରିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯେଉଁ ପ୍ରକଳ୍ପର କାମ ୨୦%ରୁ ଅଧିକ ହୋଇଥିବ ସେଗୁଡ଼ିକୁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ରେ ସାମିଲ୍ କରାଯିବ। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ପ୍ରତି ଗାଁ, ପଞ୍ଚାୟତ, ବ୍ଲକ୍ରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା, ଗାଁକୁ ଭଲ ରାସ୍ତା, ଗାଁ ପୋଖରୀର ପୁନରୁଦ୍ଧାର, ତୁଠର ନବୀକରଣ, ଭାଗବତ ଟୁଙ୍ଗିରୁ ଆରମ୍ଭ କରି ସ୍କୁଲ ଘର ସମ୍ପ୍ରସାରଣ, ପ୍ରତି ବ୍ଲକ୍ରେ ପାଠାଗାର, ଛୋଟ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ, ପିଲାଙ୍କ ଖେଳକୁଦ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଆଦି କରିବାକୁ ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/20/gKlGUJfKF0CaNZWKnsfh.jpg)