ପୁଣି ବିଦ୍ୟୁତ ଦର ବୃଦ୍ଧି ଷଡ଼୍‌ଯନ୍ତ୍ର! ବିଏସ୍‌ପି ୩୭% ବୃଦ୍ଧି ପାଇଁ ଓଇଆର୍‌ସିରେ ଆବେଦନ

୩ଟଙ୍କା ୯୩ ପଇସା କରିବାକୁ ଗ୍ରିଡ୍‌କୋ ଦେଲା ପ୍ରସ୍ତାବ, ଅକ୍ଟୋବର ପହିଲାରେ ୨୦ ପଇସା ଦର ବୃଦ୍ଧି ହୋଇଛି

ଭୁବନେଶ୍ବର: ଗତ ଅକ୍ଟୋବର ପହିଲାରୁ ରାଜ୍ୟରେ ୟୁନିଟ୍ ପିଛା ୨୦ପଇସା ଅର୍ଥାତ୍ ପାଖାପାଖି ୬% ବିଦ୍ୟୁତ ଦର ବୃଦ୍ଧି କରାଯାଇଛି। କରୋନା କାଳରେ ଉପଭୋକ୍ତା ଜୀବନ ଓ ଜୀବିକାକୁ ନେଇ ଅସହ୍ୟ କଷ୍ଟ ଭୋଗ କରୁଥିବା ବେଳେ ଆୟୋଗଙ୍କ ଏହି ନିଷ୍ପତ୍ତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିଲା। ସେ ସମୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରିଡ୍‌କୋର ଆର୍ଥିକ ଦୁଃସ୍ଥିତିର ଚିତ୍ର ରଖି ଏହି ଦର ବୃଦ୍ଧିକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ। ମାସ ତିନିଟା ଯାଇନି, ଗ୍ରିଡ୍‌କୋ ପୁଣି ଥରେ ନିଜର ଦେବାଳିଆ ଭଳି ସ୍ଥିତି ସଂପର୍କିତ ଚିତ୍ର ରଖି ଆୟୋଗଙ୍କୁ ଆବେଦନ କରିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଉ। ସଂସ୍ଥା ଯେଉଁ ପ୍ରସ୍ତାବ ଦେଇଛି, ତାହାକୁ ହିସାବ କଲେ ଦେଖାଯାଉଛି ଯେ ବର୍ତମାନର ବିଦ୍ୟୁତ ଦର ଠାରୁ ଏହା ପାଖାପାଖି ୩୭% (ପ୍ରସ୍ତାବିତ ନୂଆ ଦର ୟୁନିଟ୍ ପିଛା ୩୯୩.୧୪) ଅଧିକ। ବୁଲେଇ ବଙ୍କେଇ କର୍ତୃପକ୍ଷ ଦାବି ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଓ ସୂଚାଇଛନ୍ତି ଯେ ଏମିତି ନ ହେଲେ ସ୍ଥିତି ଗମ୍ଭୀର ହୋଇପଡ଼ିବ।

ଗ୍ରିଡ୍‌କୋର ଏଭଳି ଆବେଦନ ଉପରେ ଆୟୋଗ ଜାନୁଆରିରେ ଶୁଣାଣି କରିବେ। କିନ୍ତୁ ଗତଥର ଭଳି ଏଥର ଯେ ରାୟ ଗ୍ରିଡ୍‌କୋ ସପକ୍ଷରେ ନ ଯିବ ଏକଥା କିଏ କହିବ? ଅର୍ଥାତ୍ ଆସନ୍ତାବର୍ଷରୁ ରାଜ୍ୟରେ ବିଦ୍ୟୁତ ଦେୟ ବୃଦ୍ଧି ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ସେପଟେ ବିଦ୍ୟୁତ ଦେୟ ବୃଦ୍ଧି ନେଇ ଗ୍ରିଡ୍‌କୋର ଆବେଦନ ସଂପର୍କରେ ଖବର ଜଣାପଡ଼ିବା ପରେ ସବୁ ଉପଭୋକ୍ତାଙ୍କ ମଧ୍ୟରେ ଭାଳେଣି ପଡ଼ିଛି। କର୍ତୃପକ୍ଷଙ୍କ ପରିଚାଳନାଗତ ଅପରାଗତା କାରଣରୁ ଖାଉଟିଙ୍କ ଉପରେ ଆର୍ଥିକ ଚାପ ବଢ଼ୁଥିବା ଗୋଟିଏ ମହଲ ଅଭିଯୋଗ କରୁଛନ୍ତି। ଆଉ ଗୋଟିଏ ମହଲ ଦାବି କରୁଛନ୍ତି ଯେ ବଣ୍ଟନ କଂପାନି ହେଉ କି ଗ୍ରିଡ୍‌କୋ ଏମାନଙ୍କ ସଂପର୍କରେ ସତ ଜାଣିବା ଲାଗି ପ୍ରଥମେ ଏମାନଙ୍କର ତୃତୀୟ ପକ୍ଷ ଅଡିଟ୍ କରାଯାଉ। ଅଡିଟ୍ ଆକଳନ କରୁ ଯେ ଏସବୁ ସଂସ୍ଥାର ସ୍ଥିତି ଏବେ କଣ ରହିଛି? ବାସ୍ତବରେ କେତେ ୟୁନିଟ୍ ବିଦ୍ୟୁତ କିଣୁଛନ୍ତି? କେତେ ବିକ୍ରି କରୁଛନ୍ତି? କେତେ ପରିବହନ କ୍ଷତି ଘଟୁଛି? କିଏ ଏଥିପାଇଁ ଦାୟୀ? ଅବିକଳ ଚିତ୍ର ଆସିବା ପରେ ଯାଇ ଦର ନିର୍ଧାରଣ ହେଉ। ଉଲ୍ଲେଖଯୋଗ୍ୟ ଯେ ଗ୍ରିଡ୍‌କୋ ଓ ଚାରିଟି ଯାକ ବଣ୍ଟନ କଂପାନି ବ୍ୟତୀତ ଓପିଜିସି, ଓଏଚ୍‌ପିସି ଆଦି ସଂସ୍ଥାମାନେ ଆସନ୍ତାବର୍ଷ ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ ଲାଗି ନିୟମାନୁସାରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଆବେଦନ କରିସାରିଛନ୍ତି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଗ୍ରିଡ୍‌କୋ ଆବେଦନ କରିିଛି ଯେ ଆସନ୍ତାବର୍ଷ ୧୦ ହଜାର ୭୩୮ କୋଟି ୫୮ଲକ୍ଷ ଟଙ୍କା ଗ୍ରିଡ୍‌କୋର ନିଟ୍ (ସମୁଦାୟ ରାଜସ୍ବ) ଆବଶ୍ୟକତା ରହିଛି। ୪ଟି ଯାକ ବଣ୍ଟନ କଂପାନି ଟିପିସିଓଡିଏଲ୍, ନେସ୍କୋ, ସାଉଥ୍‌କୋ ଓ ୱେସ୍କୋ ତାଙ୍କର ଶକ୍ତି ଚାହିଦା ଜଣାଇଛନ୍ତି। ସେମାନେ ହାରାହାରି ୨୭ ହଜାର ୩୧୫ ନିୟୁତ ୟୁନିଟ୍ ଆବଶ୍ୟକ କରୁଛନ୍ତି। ହେଲେ ବାସ୍ତବପକ୍ଷେ ପରିବହନ କ୍ଷତି ଆଦିକୁ ମିଶାଇ ୨୮ ହଜାର ୨୨୧.୬୭ ନିୟୁତ ୟୁନିଟ୍ ବିଦ୍ୟୁତ କିଣିବାକୁ ପଡ଼ିବ। ଯାହା ହିସାବ କରାଯାଉଛି, ୨୦୨୧-୨୨ରେ ରାଜ୍ୟରେ ବିଭିନ୍ନ ସୂତ୍ରରୁ ୩୫ ହଜାର ୨୯୦ ନିୟୁତ ୟୁନିଟ୍ ବିଦ୍ୟୁତ ଉପଲବ୍ଧ ହେବ। ଅର୍ଥାତ୍ ରାଜ୍ୟପାଖରେ ୭୦୬୮ .୩୬ ନିୟୁତ ୟୁନିଟ୍ ବିଦ୍ୟୁତ ବଳକା ରହିବ। ଏସବୁକୁ ଗ୍ରିଡ୍‌କୋ ବିକ୍ରି କରିବ। ଗ୍ରି଼ଡ୍‌କୋ ହିସାବ ଦେଇଛି ଯେ ୨୦୨୧-୨୨ ବର୍ଷରେ ୧୦ହଜାର ୭୮୮ କୋଟି ୧୯ଲକ୍ଷ ଟଙ୍କାର ବିଦ୍ୟୁତ କିଣାଯିବ। ପାଵାର ଏକ୍ସଚେଞ୍ଜ ପରେ ଏହାର ମୂଲ୍ୟ ୯୩୨୩ କୋଟି ୫୦ ଲକ୍ଷକୁ କମିଆସିବ। କର୍ମଚାରୀଙ୍କ ଦରମା, ମରାମତି, ୫୫୯ କୋଟି ୯୦ଲକ୍ଷ ଟଙ୍କାର ସୁଧ ଆଦିକୁ ମିଶାଇଲେ ଗ୍ରିଡ୍‌କୋର ୧୦ ହଜାର ୭୩୮ କୋଟି ୫୮ଲକ୍ଷ ଟଙ୍କା ଆବଶ୍ୟକ। ବର୍ତମାନ ବିଦ୍ୟୁତ ଦର ଯାହା ରହିଛି, ତାକୁ ବିଚାରକୁ ନେଲେ ହାରାହାରି ବିଏସ୍‌ପି ୨୮୭.୭୦ ପଇସାରେ ବିଦ୍ୟୁତ ବଣ୍ଟନ କଂପାନିମାନେ ପ୍ରାୟ ୭ ହଜାର ୮୪୬ କୋଟି ୪୧ଲକ୍ଷ ଟଙ୍କା ବିଲ୍ ବାବଦରେ ପ୍ରଦାନ କରିବେ। ଏଣୁ କେବଳ ଶକ୍ତି ବିକ୍ରୟରୁ ୨,୮୯୯.୦୨ କୋଟି ଟଙ୍କାର ରାଜସ୍ୱ ଅଭାବର ସମ୍ମୁଖୀନ ହେବ ଗ୍ରି଼ଡ୍‌କୋ। ଏତେ ଅର୍ଥ ଭରଣା କରିବା ବର୍ତମାନ ପାଇଁ ଅସମ୍ଭବ। ଏଣୁ ଅତିକମରେ ୟୁନିଟ୍ ପିଛା ୩୯୩.୧୪ ଟଙ୍କା ବିଦ୍ୟୁତ ଦର ଧାର୍ଯ୍ୟ କରାନଗଲେ, ସ୍ଥିତି ଦୁର୍ବିସହ ହୋଇପଡ଼ିବ େବାଲି ଗ୍ରିଡ୍‌କୋ ଦର୍ଶାଇଛି।

ସଂସ୍ଥା ଆବେଦନରେ ଆହୁରି କହିଛି ଯେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୫୬୪ କୋଟି ଟଙ୍କା ଋଣ ବକେୟା ରହିଛି। ରାଜ୍ୟ ସରକାରଙ୍କ ଋଣ ଓ ଏନ୍‌ଟିପିସି ବଣ୍ଡ ବ୍ୟତୀତ କେବଳ ୨୦୨୧-୨୨ରେ ବିଭିନ୍ନ ବ୍ୟାଙ୍କ ଆଦିର ୧୧୬୪ କୋଟି ୯୭ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ ହେବ। ଏତେ ବଡ଼ ଆର୍ଥିକ ଦୁଃସ୍ଥିତି ଭିତରେ ଅଣନିଶ୍ବାସୀ ହୋଇଥିବା ଗ୍ରି଼ଡ୍‌କୋ ପାଖରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର