ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦେଶ ପରେ ସବୁ ରକ୍ତଭଣ୍ଡାରରେ ନାଟ୍(ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟ) ସୁବିଧା ଆରମ୍ଭ କରିବା ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ହେଲେ ନାଟ୍(ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟ) ପରୀକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଷଡ଼୍ଯନ୍ତ୍ର ହୋଇଛି। ସ୍ବାସ୍ଥ୍ୟ ବିଭାଗର କିଛି ବରିଷ୍ଠ ଅଧିକାରୀ ଗୋଟିଏ କମ୍ପାନିକୁ ସୁହାଇବା ଭଳି ସର୍ତ୍ତସବୁକୁ ମୋଡ଼ି ଦୁର୍ନୀତି ପାଇଁ ବାଟ ଫିଟାଇଛନ୍ତି। ଯଦି ଏହି ଅନୁଯାୟୀ ଆଗକୁ ଟେଣ୍ଡର କରାଯାଏ ତାହାଲେ ସରକାରଙ୍କୁ ପ୍ରତିବର୍ଷ ଅତିରିକ୍ତ ପ୍ରାୟ ୫୦ କୋଟି ଅଧିକ ଦେବାକୁ ହେବ। ଏହାସହ ଏକ ନିମ୍ନମାନର ରକ୍ତ ପରୀକ୍ଷା ପଦ୍ଧତିକୁ ମଧ୍ୟ ଆପଣାଇବାକୁ ପଡ଼ିବ।
ଗତ ୭ବର୍ଷ ହେବ ରାଜ୍ୟରେ ନାଟ୍ ପରୀକ୍ଷା ହେଉଛି। ୨୦୧୫ରେ ୬ଟି ଓ ୨୦୨୧ରେ ୫ଟି ରକ୍ତଭଣ୍ଡାରରେ ଏହି ପରୀକ୍ଷା କରାଯାଉଛି। ଟେଣ୍ଡରରେ ଏଲ୍-୧ ଅନୁଯାୟୀ ପିସିଆର ପକ୍ଷରୁ ପରୀକ୍ଷା ଜାରି ରହିଛି। ରାଜ୍ୟ ସରକାର ଆଉ ୪୫ଟି ରକ୍ତଭଣ୍ଡାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ମାତ୍ର ବିଭାଗର କିଛି ଅସାଧୁ ଅଧିକାରୀ ଚଞ୍ଚକତା କରି ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନିକୁ ଏହି କାମ ଦେବାକୁ ମସୁଧା ଚଳାଇଛନ୍ତି। ପୂର୍ବରୁ ହୋଇଥିବା ଟେଣ୍ଡରରେ ପିସିଆର(ପଲିମର ଚେନ୍ ରିଆକସନ୍)ର ପୁଲ୍ ମେଥଡ୍ ଓ ଟିଏମ୍ଏ(ଟ୍ରାନ୍ସକ୍ରିପସନ ମେଡିଏଟେଡ୍ ଆମ୍ପ୍ଲିଫିକେସନ୍)ର ଆଇଡି(ଇଣ୍ଡିଭିଜୁଆଲ)କୁ ଆଧାର କରି ଟେଣ୍ଡର କରାଯାଇଥିଲା। ଯେଉଁ କମ୍ପାନି କମ୍ ଟଙ୍କାରେ ଏହି ସେବା ପାଇଁ ପ୍ରସ୍ତାବ ଦେଇଥିଲା ସେହି ଅନୁଯାୟୀ ରାଜ୍ୟ ସରକାର କାର୍ଯ୍ୟାଦେଶ ଦେଇଥିଲେ।
ମାତ୍ର ନୂଆ ଟେଣ୍ଡର ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେ’ ୨୨ତାରିଖରେ ଏକ ବୈଷୟିକ କମିଟି ଗଠନ କରିଥିଲେ। ଏଥିରେ ବିଭାଗର ତତ୍କାଳୀନ ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ରକ୍ତ ନିରାପତ୍ତା ନିର୍ଦେଶକ ଡା.ନୀଳକଣ୍ଠ ମିଶ୍ର, ଆଇସିଏମ୍ଆରର ବୈଜ୍ଞାନିକ ଦେବଦତ୍ତ ଭଟ୍ଟାଚାର୍ଯ୍ୟ, ଆଇଏଲଏସ୍ର ବୈଜ୍ଞାନିକ ଡା.ସନ୍ଦୀପ ମିଶ୍ର, ଏସ୍ସିବିର ରକ୍ତ ସଞ୍ଚାରଣ ବିଭାଗର ମୁଖ୍ୟ ଡା.ସ୍ମିତା ମହାପାତ୍ର, ମାଇକ୍ରୋବାଇଓଲୋଜିର ବିଭାଗର ଡା.ଧରିତ୍ରୀ ମହାପାତ୍ର, ଏମ୍କେସିଜି ମେଡିକାଲର ରକ୍ତ ସଞ୍ଚାରଣ ବିଭାଗର ମୁଖ୍ୟ ଡା.ରବୀନ୍ଦ୍ର ମିଶ୍ର, ଏମ୍ସ, ଭୁବନେଶ୍ବରର ରକ୍ତ ସଞ୍ଚାରଣ ମୁଖ୍ୟ ଓ ରାଜ୍ୟ ଔଷଧ ନିଗମର ମହାପ୍ରବନ୍ଧକ(ପ୍ରକ୍ୟୁରମେଣ୍ଟ) ସଦସ୍ୟ ରହିଥିଲେ। କମିଟିର ବୈଠକରେ ରକ୍ତ ପରୀକ୍ଷା ପାଇଁ ରହିଥିବା ଟେକ୍ନୋଲୋଜି ବଦଳରେ ଏହାର ପଦ୍ଧତି ଉପରେ ଆଲୋଚନା ହୋଇଥିଲା। ନାଟ୍-ପିସିଆର ଟେକ୍ନୋଲୋଜିରେ ଏକକାଳୀନ ୬ଟି ରକ୍ତ ପରୀକ୍ଷା ହେବାର ବ୍ୟବସ୍ଥା ରହିଛି। ମାତ୍ର ଟିଏମ୍ଏରେ ଗୋଟି ଗୋଟି କରି ରକ୍ତ ପରୀକ୍ଷା ହୋଇଥାଏ। ପୂର୍ବରୁ ରାଜ୍ୟର ୧୧ଟି ରକ୍ତ ଭଣ୍ଡାରରେ ପିସିଆର ପଦ୍ଧତିରେ ପରୀକ୍ଷା ହେଉଛି। କିନ୍ତୁ ବୈଷୟିକ କମିଟିରେ ଆଇଡି ପଦ୍ଧତିକୁ ଶ୍ରେଷ୍ଠ ଦର୍ଶାଇବା ଲାଗି ଚେଷ୍ଟା କରାଯାଇଥିଲା। ଯାହାକୁ ନେଇ କମିଟିର କିଛି ସଦସ୍ୟ ତୀବ୍ର ବିରୋଧ କରିଥିଲେ। ପରବର୍ତୀ ସମୟରେ ବିଭାଗ ପକ୍ଷରୁ ପ୍ରଥମ କମିଟିକୁ ଭାଙ୍ଗି ଏକ ନୂଆ କମିଟି ଗଠନ କରାଯାଇଥିଲା। ଯେଉଁ ସଦସ୍ୟମାନେ ଆଇଡି ପଦ୍ଧତି ବିରୋଧ କରିଥିଲେ ସେମାନଙ୍କୁ ଏହି କମିଟିରୁ ହଟାଇ ଦିଆଗଲା। ଅବସର ଗ୍ରହଣ କରିସାରିଥିବା ପୂର୍ବତନ ଡିଏମ୍ଇଟି ଡା.ସିବିକେ ମହାନ୍ତିଙ୍କୁ ଏହି କମିଟିରେ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ସ୍ଥାନ ଦିଆଗଲା। ତାଙ୍କର ରକ୍ତ ସଂପର୍କିତ କୌଣସି ଅଭିଜ୍ଞତା ନାହିଁ। କେବଳ ଆଇଡି ପଦ୍ଧତି ଗ୍ରହଣ କରାଯିବା ଫଳରେ ପିସିଆର ସଂପୂର୍ଣ୍ଣ କାଟ୍ ଖାଇବା ସହିତ କେବଳ ଗୋଟିଏ କମ୍ପାନି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ବାଟ ଫିଟିଛି। ମାତ୍ର ପୂର୍ବରୁ ରକ୍ତ ପରୀକ୍ଷା ପାଇଁ ଓପନ୍ ଟେଣ୍ଡର ହୋଇଥିଲା ଓ ଏଥିରେ ୨ଟି କମ୍ପାନି ଆବେଦନ କରିଥିଲେ। ଏହାସହ ରାଜ୍ୟର ଯେଉଁ ସ୍ଥାନରେ ନାଟ୍-ପିସିଆର ପରୀକ୍ଷା ହେଉଛି ସେଠାରେ ଉଦ୍ଦେଶ୍ୟମୂଳକ ଭାବେ ରକ୍ତ ସଂଗ୍ରହ କରିଥିବା କିଛି ରୋଗୀଙ୍କୁ ସଂକ୍ରମିତ ବୋଲି ଦର୍ଶାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଯେ ପୂର୍ବରୁ ୨୦୨୧ରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଯେଉଁ କମ୍ପାନି କାର୍ଯ୍ୟାଦେଶ ପାଇବ ସେହି କମ୍ପାନି ଆରମ୍ଭର ୫ବର୍ଷ ଓ ସରକାର ଚାହିଁଲେ ସମାନ ଚୁକ୍ତି ମୁତାବକ ଅଧିକ ଦିନ ପାଇଁ ଏହାକୁ ବୃଦ୍ଧି କରିପାରିବେ ବୋଲି ସର୍ତ୍ତ ରହିଥିଲା। ରାଜ୍ୟର ଅନ୍ୟ କୌଣସି ରକ୍ତ ଭଣ୍ଡାକୁ ଏହି କାର୍ଯ୍ୟ ସଂପ୍ରସାରିତ ହୋଇପାରିବ ବୋଲି କୁହାଯାଇଥିଲା। ମାତ୍ର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଟେଣ୍ଡରରେ ରହିଥିବା ଏହି ସର୍ତ୍ତାବଳୀକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି। ନାଟ୍-ପିସିଆର ପଦ୍ଧତିକୁ ଆମେରିକା ଏଫ୍ଡିଏ(ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍) ସ୍ବୀକୃତି ପ୍ରଦାନ କରିଛନ୍ତି। ଏଥିରେ ପ୍ରତି ପରୀକ୍ଷା ପାଇଁ ୮ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନୂଆ ପଦ୍ଧତିରେ ପ୍ରତି ପରୀକ୍ଷା ପାଇଁ ୧୪ଶହ ଟଙ୍କା ଖର୍ଚ୍ଚ ହେବ। ତେଣୁ ବର୍ଷକୁ ପ୍ରାୟ ୫୦ କୋଟି ଟଙ୍କା ସରକାର ଅଧିକ ଖର୍ଚ୍ଚ କରିବେ।
ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ନିର୍ଦ୍ଦିଷ୍ଟ କମ୍ପାନି ସ୍ବାସ୍ଥ୍ୟ ବିଭାଗର କିଛି ଡାକ୍ତରଙ୍କୁ ନିଜ ଖର୍ଚ୍ଚରେ ୟୁରୋପ ଭ୍ରମଣ କରିବା ପାଇଁ ନେଇଥିଲା। ଏ ଦୃଷ୍ଟିରୁ ଯେନତେନ ପ୍ରକାର ସଂପୃକ୍ତ କମ୍ପାନିକୁ ଟେଣ୍ଡର ଦେବା ପାଇଁ ପ୍ରଚେଷ୍ଟା ଚାଲିଛି। ଏହାସହ ଯେଉଁ କମ୍ପାନି ପାଇଁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଜୋର ଦେଉଛନ୍ତି ସଂପୃକ୍ତ କମ୍ପାନିର କୌଣସି କାର୍ଯ୍ୟାଳୟ ଭାରତରେ ନାହିଁ। ଦକ୍ଷିଣ ଭାରତରେ ଏକ ଇମ୍ପୋଟ୍ କମ୍ପାନି ଏହି ମେସିନ୍କୁ ଭାରତକୁ ଆଣୁଛି। ତେଣୁ ଏହି କମ୍ପାନିର ଯନ୍ତ୍ରାଂଶର ସର୍ଭିସ୍କୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ଏବେ ବୈଷୟିକ କମିଟିର ପ୍ରସ୍ତାବ ଅର୍ଥ ବିଭାଗକୁ ପଠାଯାଇଛି। ଯଦି ଅର୍ଥ ବିଭାଗ ଅନୁମତି ଦିଏ ତାହାଲେ ଟେଣ୍ଡର ଆହ୍ବାନ ହେବ। ମାତ୍ର ଆଇଡି ପଦ୍ଧତିକୁ ଗୁରୁତ୍ବ ଦିଆଯାଇଥିବାରୁ ସଂପୃକ୍ତ କମ୍ପାନି ଟେଣ୍ଡର ହାତେଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ବୈଷୟିକ କମିଟିର ପ୍ରସ୍ତାବ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଏହି କ୍ଷେତ୍ରରେ ଥିବା ବିଶେଷଜ୍ଞମାନେ ନିଜର ମତ ପ୍ରଦାନ କରିଛନ୍ତି। ଯନ୍ତ୍ରପାତି କିଣା ନେଇ ସମସ୍ତ ଆର୍ଥିକ ନିର୍ଦେଶାବଳୀକୁ କାର୍ଯ୍ୟକାରୀ କରାଯାଉଥିବା ଶ୍ରୀମତୀ ପଣ୍ଡିତ ସୂଚନା ଦେଇଛନ୍ତି।