କଟକ: ରାଜ୍ୟର ବିଭିନ୍ନ ବାଟାଲିୟନ୍ରେ ସିପାହି/କନଷ୍ଟେବଲ୍ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିପାହି/କନଷ୍ଟେବଲ୍ ପଦ ପାଇଁ ଧାର୍ଯ୍ୟ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶେଶ୍ବର ବିଶ୍ବାଳ, କାହ୍ନୁଚରଣ ଗୋଚ୍ଛାୟତ, ନୀଳମଣି ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଅନ୍ୟ ୧୭ଟି ମାମଲା ସହିତ ଏହି ତିନି ମାମଲାର ନଭେମ୍ବର ୧୧ରେ ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୪, ସେପ୍ଟେମ୍ବର୍ ୨୨ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଓଏସ୍ପି/ଆଇଆର୍/ଏସ୍ଆଇଆର୍/ଏସ୍ଏସ୍ ବାଟାଲିୟନ୍ରେ ସିପାହି/କନଷ୍ଟେବଲ୍ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ପଦବି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିଲା। ନିଯୁକ୍ତି ବିଜ୍ଞପ୍ତିର ସର୍ବାଧିକ ବୟସ ସୀମା ସର୍ତ୍ତକୁ ଚାଲେଞ୍ଜ କରି ହାଇକୋର୍ଟରେ ଏହି ସବୁ ମାମଲା ଦାୟର ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ, ଶେଷ ଥର ୨୦୧୮ରେ କନଷ୍ଟେବଲ୍ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୬ ବର୍ଷ ପରେ ପୁଣି ଏହି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪ରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିବାରୁ ଆବେଦନକାରୀ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରାଯାଇ ୨୯ ବର୍ଷ ଧାର୍ଯ୍ୟ କରାଯାଉ।
୧୧ରେ ସର୍ବାଧିକ ବୟସ ସୀମା କୋହଳ ପ୍ରସଙ୍ଗରେ ଶୁଣାଣି
ରାଜ୍ୟରେ ବିଭିନ୍ନ ସରକାରୀ ପଦ ପାଇଁ ସର୍ବାଧିକ ବୟସସୀମା କୋହଳ ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ (ଫିକ୍ସେସନ୍ ଅଫ୍ ଅପର୍ ଏଜ୍ ଲିମିଟ୍) ନିୟମାବଳୀ ୧୯୮୯ରେ ୨୦୨୨ରେ ସଂଶୋଧନ କରାଯାଇଥିଲା। କିନ୍ତୁ କନଷ୍ଟେବଲ୍ ପଦ ପାଇଁ ବୟସ ସୀମା କୋହଳ କରା ନ ଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ୨୦୧୮ ପରେ ଆଉ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିବାରୁ ବହୁ ଯୋଗ୍ୟ ପ୍ରାର୍ଥୀ ସୁଯୋଗ ପାଇ ପାରି ନଥିବା ପ୍ରସଙ୍ଗକୁ ବିଚାରକୁ ନେଇ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ଏପରି ଯୁକ୍ତିକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ବିସ୍ତୃତ ଶୁଣାଣି ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ସିପାହୀ/କନଷ୍ଟେବଲ୍ ପଦ ପାଇଁ ଦରଖାସ୍ତ ଦାଖଲର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ପ୍ରିୟରଞ୍ଜନ ସିଂହ, କୋଦଣ୍ଡ କୁମାର ଭୂୟାଁ ଓ ଅନୁରାଗ ପତି ମାମଲା ପରିଚାଳନା କରୁଛନ୍ତି।