ଧର୍ମଶାଳା ନାବାଳିକା ଅପହରଣ ଓ ନିର୍ଯାତନା ମାମଲାରେ ଅଭିଯୁକ୍ତ କନେଷ୍ଟବଳଙ୍କ ସମେତ ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକାର ଅପହରଣ ଓ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ)ଙ୍କର ଭିଣୋଇ ତଥା ଧର୍ମଶାଳା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସନ୍ତୋଷ ବାରିକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏହାଛଡ଼ା ଆଉ ତିନିଜଣଙ୍କୁ ପୁଲିସ୍ ଗିରଫ କରିଥିବାର ସୂଚନା ମିଳିଛି ।

ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ସତ୍ୟନାରାୟଣ ସାମଲର ମାଉସୀ ସୁକିନ୍ଦାର ପୁଷ୍ପାଞ୍ଜଳି ବେହୁରା, ମାମୁଁପୁଅ ନେଉଳପୁରର ମୋହନ ମହାନ୍ତି ଓ ସହଯୋଗୀ ଅବଦୁଲ୍ ରହେମନ। ଏମାନଙ୍କୁ ପୁଲିସ୍ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।
ପ୍ରକାଶ ଥାଉକି, ଗତ ୧୪ ତାରିଖ ରାତିରେ ଧର୍ମଶାଳା ଥାନା ଅଞ୍ଚଳରୁ ଜଣେ ଦଳିତ ନାବାଳିକା (ଦଶମ ଶ୍ରେଣୀ ଛାତ୍ରୀ)କୁ ଅପହରଣ କରି ନିଆଯାଇଥିଲା। ନାବାଳିକା ଅପହରଣର ୪ଦିନ ପରେ ଗତ ୧୮ତାରିଖରେ ଅଭିଯୁକ୍ତ ପିଣ୍ଟୁଙ୍କ ଭଉଣୀ ତଥା କନେଷ୍ଟବଳ(ଧର୍ମଶାଳା ଥାନା) ଫୋନ୍ ଯୋଗେ ପୀଡ଼ିତା ପରିବାରକୁ ଖବର ଦେଇଥିଲେ ଯେ ତାଙ୍କ ଝିଅ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ଜାତୀୟ ରାଜପଥ ପାର୍ଶ୍ବରେ ପଡ଼ିଛି। ପରିବାର ଲୋକେ ସେଠାରୁ ପୀଡ଼ିତାକୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଧର୍ମଶାଳା ପୁଲିସ ପୀଡ଼ିତାକୁ ଯାଜପୁର ସଖୀ ସେଣ୍ଟରରେ ରଖି କାଉନସେଲିଂ କରିଥିଲା।

ଅପହରଣ ପରେ ଅଭିଯୁକ୍ତ ପୀଡ଼ିତାକୁ ମିଠାରେ ନିଶା ଦେଇ ଶାରୀରିକ ଓ ମାନସିକ ନର୍ଯାତନା ଦେଉଥିଲା। ଶରୀରରୁ ନିଶା ପ୍ରଭାବ କମିବା ପରେ ପୀଡ଼ିତା ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ସମ୍ପର୍କରେ ବିସ୍ଫୋରକ ତଥ୍ୟ ଦେଇଥିଲା । ଅପହରଣ ପରେ ପ୍ରଥମେ ଯେଉଁ ସ୍ଥାନରେ ରଖାଯାଇଥିଲା, ସେହି ଘରର ଉପର ମହଲାରେ ପୁଲିସ କର୍ମଚାରୀ ରହୁଥିଲେ ଏବଂ ବାରମ୍ବାର ଯିବାଆସିବା କରୁଥିଲେ। ଏହାପରେ ତାକୁ ଆଖିରେ ପଟି ବାନ୍ଧି ଅନ୍ୟ ୨ଟି ସ୍ଥାନକୁ ନିଆଯାଇଥିଲା।

ତାଙ୍କୁ ପ୍ରବଳ ମାଡ଼ ମରାଯିବା ସହ କିଛି ଖାଇବାକୁ ନଦେଇ କେବଳ ନିଶାଯୁକ୍ତ ମିଠା ଖାଇବାକୁ ବାଧ୍ୟ କରାଯାଉଥିଲା। ସକାଳୁ ନିଜକୁ ଉଲଗ୍ନ ଅବସ୍ଥାରେ ପାଉଥିଲା। ଉପସ୍ଥିତ ଜଣେ ଯୁବତୀ ତାଙ୍କୁ ସକାଳୁ ପୋଷାକ ପିନ୍ଧାଇବା ସହ ଗାଧୋଇ ଦେଉଥିଲେ ବୋଲି ପୀଡ଼ିତା ପ୍ରକାଶ କରିଥିଲା। ଅଭିଯୁକ୍ତ ସତ୍ୟ ନାରାୟଣ(ପିଣ୍ଟୁ) ତାଙ୍କୁ ପ୍ରବଳ ମାଡ଼ ମାରିଥିବା ପୀଡ଼ିତା କହିଥିଲା। ଅଭିଯୁକ୍ତ ସହ ୩ ଯୁବକ ଏବଂ ଜଣେ ଯୁବତୀ ଥିଲେ।

ଏହି ମାମଲାରେ ପୁଲିସ୍ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ), ତାର ଭାଇ ରୁଦ୍ର ନାରାୟଣ ସାମଲ ,ଭଉଣୀ ବନିତା ଏବଂ କବିତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର