ବାଲେଶ୍ବର: ଆଇପିଏଲ୍‌ ମ୍ୟାଚ୍‌ର ମଜା ନେଉ ନେଉ ଜଣେ ପୁଲିସ କନ୍‌ଷ୍ଟେବଲ୍‌ ଜିଓ ସିନେମାର ମୋବାଇଲ୍‌ ଆପ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେ ଜାଣି ନଥିଲେ ଯେ ତାଙ୍କୁ ପୁରସ୍କାର ମିଳିବ। ତାହା ପୁଣି ଗୋଟିଏ ଚିକ୍‌ମିକ୍‌ କରୁଥିବା ବୋଲେନୋ କାର୍‌। ପୁରସ୍କାର ପାଇବା ପରେ ଏବେ ସେ ବେଶ୍‌ ଖୁସି। ତେବେ ଦେଶର ସେହି ଏକମାତ୍ର ଭାଗ୍ୟବାନ ବ୍ୟକ୍ତି ଜଣକ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ମାହାର୍ଦ୍ଦାପଳସାର ଭୀମସେନ ମହାନ୍ତି।

Advertisment

ଗତ ୩୧ ତାରିଖରୁ ଆଇପିଏଲ୍‌ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଦେଶବାସୀ ଜିଓ ସିନେମା ଆପ୍‌ ମାଧ୍ୟମରେ ‌ମାଗଣା ଦେଖିପାରୁଛନ୍ତି। ତେବେ ମ୍ୟାଚ୍‌ ସମୟରେ ଜିଓ କମ୍ପାନି ଏକ ପ୍ରତିଯୋଗିତା କରୁଛି। ପ୍ରତି ମ୍ୟାଚ୍‌ରେ ଏହି ପ୍ରତିଯୋଗିତା ହେଉଛି। ଦେଶର ଜଣେ ଜଣେ ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ପୁରସ୍କାର ସ୍ବରୂପ ଗୋଟିଏ ଗୋଟିଏ ବୋଲେନୋ କାର୍‌ ରହିଛି। ଗତ ୮ ତାରିଖ ଦିନ ପ୍ରତିଯୋଗିତାରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ।

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର କନ୍‌ଷ୍ଟେବଲ୍ ଯଶିପୁର ଥାନା ଅଧୀନ ମାହାର୍ଦ୍ଦାପଳସାର ଭୀମସେନ ମହାନ୍ତ ମଧ୍ୟ ଖେଳ ଦେଖୁ ଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ଠିକ୍‌ ଉତ୍ତରଦାତାଙ୍କ ମଧ୍ୟରେ ଲଟେରି ହୋଇ ପରଦିନ ଜିଓ ସିନେମା ଆପ୍‌ରେ ଫଳାଫଳ ଘୋଷଣା କରାଯାଇଥିଲା। ଜଣେ ବନ୍ଧୁ ଫଳାଫଳ ଦେଖି ଭୀମସେନ୍‌କୁ ଫୋନ୍‌ କରି ସେ ଗୋଟିଏ ବୋଲେନୋ କାର୍‌ ଜିତିଥିବା କହିଥିଲେ। ହେଲେ ଏ କଥାକୁ ଭୀମସେନ ବିଶ୍ବାସ କରିପାରି ନଥିଲେ। ତେବେ ଜିଓ କମ୍ପାନିରୁ ଫୋନ୍‌ ଆସିବା ପରେ ତାଙ୍କର ଖୁସିର ଠିକଣା ରହି ନଥିଲା। କମ୍ପାନି ପକ୍ଷରୁ ଗତକାଲି ଭୀମସେନଙ୍କୁ ବାଲେଶ୍ବର ଡକାଯାଇଥିଲା ଏବଂ ସ୍ଥାନୀୟ ଏକ ‌ସୋ’ରୁମ୍‌ରେ ଚିକ୍‌ମିକ୍‌ କରୁଥିବା ଏକ ବୋଲେନୋ କାର୍‌ ପୁରସ୍କାର ସ୍ବରୂପ ତାଙ୍କୁ ଦିଆଯାଇଥିଲା।

ତେବେ ଏହି ସଫଳତା ନେଇ ‘ସମ୍ବାଦ’ ପ୍ରତିନିଧି ଭୀମସେନଙ୍କ ସହ କଥା ହୋଇଥିଲେ। ସେ ପୁରସ୍କାର ଜିତିବା ଲକ୍ଷ୍ୟ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ। ଉତ୍ସାହର ସହ ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।