ଭିଜିଲାନ୍ସ ପଞ୍ଝାରେ ବହିଷ୍କୃତ କନଷ୍ଟେବଳ: ୫ କୋଟି ଟଙ୍କାର ସମ୍ପତ୍ତି ଠାବ, ଫ୍ଲାଟ୍, ଫର୍ଣ୍ଣିଚର୍ ସୋ’ରୁମ୍, ୨୧ ପାସ୍ବୁକ୍, ୫୦ ଲକ୍ଷର ବୀମା
ଫର୍ଣ୍ଣିଚର ଶୋରୁମ୍ ଜମିର ଦାମ୍ ୧.୪୭ କୋଟି, କୋଠା ୨ କୋଟି
ଭୁବନେଶ୍ବର: ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିକଟରେ ଚାକିରିରୁ ବହିଷ୍କୃତ ହୋଇଥିବା କନଷ୍ଟେବଳ ପ୍ରସନ୍ନ ବେହେରା ଏବେ ଭିଜିଲାନ୍ସ ପଞ୍ଝାରେ। ଆଜି ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କ ବାସଭବନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ଜଣେ କନଷ୍ଟେବଳଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ର ଆଖି ଖୋସି ହୋଇଯାଇଛି। ରାଜଧାନୀରେ ଫ୍ଲାଟ୍, ଦୁଇଦୁଇଟି ଦାମୀ ଫର୍ଣ୍ଣିଚର୍ ସୋ’ରୁମ୍ ସହ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଠାବ ସମ୍ପତ୍ତିର ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ ଆକଳନ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ଆକଳନ କରିବାକୁ ଏକ ସ୍ବତନ୍ତ୍ର ଟିମ୍ ଲାଗିଛି ଓ ଆସନ୍ତାକାଲି ପ୍ରକୃତ ମୂଲ୍ୟ ଜଣାପଡ଼ିବ ବୋଲି ସୂଚନା ମିଳିଛି।
ଭିଜିଲାନ୍ସ ସୂଚନାନୁସାରେ ୨ ଜଣ ଡିଏସ୍ପି ଓ ୬ ଜଣ ଇନ୍ସପେକ୍ଟରଙ୍କୁ ନେଇ ୫ଟି ଟିମ୍ ଗଠନ କରାଯାଇଛି। ସ୍ବତନ୍ତ୍ର ସର୍ଚ୍ଚ ଓ୍ଵାରେଣ୍ଟ ବଳରେ ଆଜି ସକାଳୁ ୫ଟି ଟିମ୍ ଭୁବନେଶ୍ବର କଳ୍ପନା ଛକ ନିକଟରେ ଥିବା ପ୍ରସନ୍ନଙ୍କ ସରକାରୀ ବାସଭବନ, ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ଥିବା ସ୍ପାର୍କ ଫର୍ଣ୍ଣିଚର ପ୍ରାଇଭେଟ୍ ଲିମିଟେଡ୍, ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ସନ୍ଥପୁର ଅଞ୍ଚଳରେ ଫର୍ଣ୍ଣିଚର ଓ୍ଵାର୍କସପ୍, ପାତ୍ରପଡ଼ାସ୍ଥିତ ସାଉଥ୍ସିଟି ବାର୍ ଓ ଖୋର୍ଦ୍ଧା ନୂଆପଡ଼ାରେ ଥିବା ପୈତୃକ ଘରେ ଚଢ଼ଉ ହୋଇଥିଲା। ଚଢ଼ଉ ସମୟରେ ଫର୍ଣ୍ଣିଚର ସୋରୁମ୍ ଜମିର ମୂଲ୍ୟ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କା, ସେଠାରେ ୧୮ ହଜାର ବର୍ଗଫୁଟ ବିଶିଷ୍ଟ ଦୁଇ ମହଲା କୋଠାର ମୂଲ୍ୟ ୨ କୋଟି ଟଙ୍କା, ପୈତୃକ ଗାଁରେ ଥିବା ନିଜ ନାଁରେ ୪୫ ଲକ୍ଷ ଟଙ୍କାର ଜମି, ସୁନ୍ଦରପଦାରେ ପତ୍ନୀଙ୍କ ନାଁରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍, ୫୦ ଲକ୍ଷ ଟଙ୍କାର ଜୀବନ ବୀମା, ୧୨ ଲକ୍ଷ ୭୪ ହଜାର ଟଙ୍କାର ଟାଟା ସଫାରି ଗାଡ଼ି, ୭ ଲକ୍ଷ ୮୭ ହଜାର ଟଙ୍କାର ବାଲେନୋ କାର୍, ୧୧ ଲକ୍ଷ ୪୪ ହଜାର ଟଙ୍କାର ଦୁଇଟି ଟାଟା ଏସ୍, ବୁଲେଟ୍ର ଦାମ୍ ୧ ଲକ୍ଷ ୭୨ ହଜାର ବୋଲି ଆକଳନ କରାଯାଇଛି। କିନ୍ତୁ ଘରୁ କିଛି ନଗଦ ଟଙ୍କା କିମ୍ବା ସୁନା ଅଳଙ୍କାର ଠାବ କରାଯାଇପାରିନାହିଁ।
ବ୍ୟାଙ୍କ ପାସ୍ବୁକ୍ରେ ଥିବା ଟଙ୍କା, କାଠ ଓ ଫର୍ଣ୍ଣିଚର ହିସାବ ପରେ ସମ୍ପତ୍ତି ମୂଲ୍ୟ ଆହୁରି ବଢ଼ିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଖୋଳତାଡ଼ ବେଳେ ପ୍ରସନ୍ନଙ୍କ ଭାଇ ପାତ୍ରପଡ଼ାରେ ଚଲାଉଥିବା ସାଉଥ୍ ସିଟି ବାର୍ ଭୋର୍ ପର୍ଯ୍ୟନ୍ତ ଖୋଲା ରହିବା ଘଟଣା ସାମ୍ନାକୁ ଆସିଥିଲା। ଆଇନ ଉଲ୍ଲଂଘନ କରି ସାଉଥ୍ସିଟି ବାର୍ ଚଳାଇବା ଅଭିଯୋଗରେ ତାଙ୍କୁ ଗତ ୨୨ ତାରିଖରେ ନିଲମ୍ବନ କରାଯାଇଥିଲା। ପରଦିନ ୨୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ଓ ୨୪ ତାରିଖରେ ଚାକିରିରୁ ବହିଷ୍କୃତ କରାଯାଇଥିଲା।