ଭୁବନେଶ୍ୱର: ହାବିଲଦାର ଓ କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରସନ୍ନଙ୍କୁ ବହିଷ୍କାର କରିଛନ୍ତି। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗର ପ୍ରୋସେସିଂ ଚାଲିଥିଲା ବୋଲି ଜଣାପଡ଼ିଛି। ଏଥି ସହିତ ତାଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି।
ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର କମିସନରେଟ ପୁଲିସ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲା। ହୋଟେଲ୍ ସାଉଥ୍ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡ଼ଭାଇ ନିରଂଜନ ବେହେରାଙ୍କ ନାଁରେ ଲିଜ୍ରେ ଆଣି ସେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ଅଭିଯୋଗ ଆସିଥିଲା। ପ୍ରାଥମିକ ତଦନ୍ତ ଆଧାରରେ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା।
ତେବେ ପ୍ରସନ୍ନ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନାହାନ୍ତି। ବିଶୃଙ୍ଖଳାପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରସନ୍ନ ପୂର୍ବରୁ ବି କେତେଥର ଗିରଫ ଓ ନିଲମ୍ବନ ହୋଇଥିବା ଜଣାପଡ଼ିଛି। ୨୦୦୧ ଫେବ୍ରୁଆରି ୧୫ରେ ବାଲିଅନ୍ତାରେ ବିଷାକ୍ତ ମଦ ପିଇ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପୁଲିସ ଏହି ମଦ ମାଫିଆ ଘରେ ଚଢ଼ଉ କରିବାକୁ ଯାଇଥିଲା। ତେବେ ପ୍ରସନ୍ନ ମଦ ବେପାରୀକୁ ଆଗୁଆ ସୂଚନା ଦେଇ ଦେଇଥିଲେ। ଫଳରେ ପୁଲିସ ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଖସିଯାଇଥିଲା। ଆଭ୍ୟନ୍ତରୀଣ ତଦନ୍ତ କରି ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।
ସେହିଭଳି ୨୦୧୮ରେ ପ୍ରସନ୍ନ ଜଣେ ଓକିଲଙ୍କୁ କଟକରେ ନିସ୍ତୁକ ମାଡ଼ ମାରିବା ପ୍ରତିବାଦରେ ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲା। ଫଳରେ ପୁଲିସ ଓ ବରିଷ୍ଠ ଅଧିକାରୀ ସଂଘ ପାଖରେ ମିଳିତ କ୍ଷମା ପ୍ରାର୍ଥନା କରିଥିଲେ। ସେହିଭଳି ୨୦୨୦ରେ କରୋନା କଟକଣା ସମୟରେ ସଚିବାଳୟ ମାର୍ଗ ନିକଟରେ ପ୍ରସନ୍ନ ମଦ ପିଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଫଳରେ ସେତେବେଳେ ମଧ୍ୟ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/85509bac-6ba7-40fb-ace0-269aaa3ce2c2.jpg)