ଭୁବନେଶ୍ୱର/କେନ୍ଦୁଝର/ଘଟଗାଁ/ପର୍ଜଙ୍ଗ: ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ନିଖୋଜ ଉପରୁ ପରଦା ହଟିଛି। ରାଜଧାନୀର ଭିଭିଆଇପି ଅଞ୍ଚଳ କୁହାଯାଉଥିବା ତଥା କଡ଼ା ସୁରକ୍ଷା ବଳୟରେ ଥିବା ରାଜଭବନ ଛକ ନିକଟରେ ଶୁଭମିତ୍ରାଙ୍କୁ ତାଙ୍କ ସ୍ବାମୀ ତଥା କମିସନରେଟ୍ ପୁଲିସର କିରାଣି ଦୀପକ ରାଉତ ତଣ୍ଟି ଚିପି ମାରି ଦେଇଥିଲା। ପରେ ମୃତଦେହକୁ ରାଜଧାନୀରୁ କାର୍ରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପୋତି ଦେଇଥିଲା। ହତ୍ୟା ଅଭିଯୁକ୍ତ ଦୀପକ ଓ ତାର ସହଯୋଗୀକୁ ପୁଲିସ ଗିରଫ କରିବା ପରେ ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିଛି। ଗତ ୬ ତାରିଖ ସନ୍ଧ୍ୟାରେ ଭିଭିଆଇପି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା ବେଳେ କମିସନରେଟ୍ ପୁଲିସ ଏହାର ସାମାନ୍ୟତମ ଟେର୍ ସୁଦ୍ଧା ପାଇ ନଥିଲା। ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଘର ସମ୍ମୁଖରେ ଜଣେ ମହିଳା ପୁଲିସଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।
ଶୁଭମିତ୍ରାଙ୍କ ନିଖୋଜର ୧୦ ଦିନ ପରେ କମିସନରେଟ୍ ପୁଲିସ ଦୀପକକୁ ଆଜି ଘଟଣାସ୍ଥଳକୁ ନେଇଥିଲା। ପୂର୍ବରୁ ଦୀପକର ବନ୍ଧୁ ଘଟଗାଁ ରାଜବନ୍ଧସାହିର ବିନୋଦ ଭୂୟାଁ ଓରଫ୍ ପପୁକୁ ଘଟଗାଁ ପୁଲିସ ଅଟକ ରଖିଥିଲା। କମିସନରେଟ୍ ପୁଲିସ ଟିମ୍ ପହଞ୍ଚିବା ପରେ ପପୁକୁ ନେଇ ରାଜବନ୍ଧସାହିର ଜଟ ମହାନ୍ତଙ୍କ ଘର ପଛକୁ ସମସ୍ତେ ଯାଇଥିଲେ। ଦଶଦିନ ପୂର୍ବରୁ ଜଟଙ୍କ ବାଡ଼ିପଟେ ଥିବା ପାଇଖାନା ଟାଙ୍କିରେ ଶୁଭମିତ୍ରାଙ୍କ ମୃତଦେହ ପୂରାଇ ଜେସିବି ମେସିନ ସାହାଯ୍ୟରେ ମାଟି ଘୋଡ଼ାଇ ଦିଆଯାଇଥିଲା। ସ୍ଥାନୀୟ ପୁଲିସ, ମାଜିଷ୍ଟ୍ରେଟ୍ ଏବଂ ସାଇଣ୍ଟିଫିକ ଟିମ୍ର ଉପସ୍ଥିତିରେ ମାଟି ଖୋଳାଯିବା ପରେ ମୁଣ୍ଡ ତଳକୁ ଏବଂ ଗୋଡ଼ ଉପରକୁ ଥିବା ଅବସ୍ଥାରେ ଶୁଭମିତ୍ରାଙ୍କ ମୃତଦେହ ମିଳିଥିଲା। ଘର ମାଲିକ ଜଟ ମହାନ୍ତଙ୍କ ଉପରେ ପୁଲିସର ସନ୍ଦେହ ହେବାରୁ ପୁଲିସ ତାଙ୍କୁ ଏବଂ ପପୁର ବାପାଙ୍କୁ ନେଇ ଜେରା କରୁଥିବା ସୂଚନା ମିଳିଛି। ମୃତଦେହ ଜବତ କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି।
ସିନ୍ ରିକ୍ରିଏସନ୍ କଲା ଅଭିଯୁକ୍ତ ସ୍ବାମୀ ଦୀପକ
ପୁଲିସକୁ ସୁରକ୍ଷା ଦେଇପାରିଲାନି ପୁଲିସ
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଦୀପକ ପୁଲିସ ସେବାଭବନରେ କିରାଣି ଭାବେ କାର୍ଯ୍ୟରତ ଥିବା ବେଳେ ଶୁଭମିତ୍ରା ସେଠାରେ କାର୍ଯ୍ୟ କରୁଥିଲେ। ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଶୁଭମିତ୍ରାଙ୍କ ସହ ତାର ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ୨୦୨୪ ମସିହା ଜୁଲାଇ ମାସରେ କୋର୍ଟ ମ୍ୟାରେଜ୍ କରିଥିଲେ। ଯଦିଓ ସେମାନେ ସମାଜ ଆଗରେ ପତିପତ୍ନୀ ବୋଲି ପରିଚୟ ଦେଉ ନଥିଲେ, ପରିବାର ଲୋକ କିନ୍ତୁ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ଉଭୟ ଅଲଗା ରହୁଥିଲେ ବି ବିଭିନ୍ନ ସମୟରେ ମିଶି ବାହାରକୁ ଯାଉଥିଲେ। ବାରଣାସୀ, ମଥୁରା, ପୁରୀ ଆଦି ଏକାଧିକ ସ୍ଥାନକୁ ଦୁହେଁ ଯାଇଥିବା ଜଣାପଡ଼ିଛି। ତେବେ ସେମାନଙ୍କ ସମ୍ପର୍କକୁ ଆଉ ନ ଲୁଚାଇ ଧୁମ୍ଧାମ୍ରେ ବିବାହ କରିବା ପାଇଁ ଚାହୁଁଥିଲେ ଶୁଭମିତ୍ରା। ତେଣୁ ସେ ଦୀପକଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ। ପ୍ରଥମେ ଦୀପକ ୧୦ ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ତଳେ ଶୁଭମିତ୍ରା ଆଉ ୧୦ ଲକ୍ଷ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ରାଗରେ ରକ୍ତ ଚାଉଳ ଚୋବାଉଥିବା ଦୀପକ ସବୁଦିନ ପାଇଁ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।
ଦୀପକ ରାଗିଥିଲେ ବି ଶୁଭମିତ୍ରା ଯେଭଳି ତାହା ଅନୁଭବ ନ କରିବେ, ସେଥିପାଇଁ ସବୁଦିନ ଭଳି ଗତ ୬ ତାରିଖରେ ଶୁଭମିତ୍ରାଙ୍କୁ ନିଜ କାର୍ରେ ଅଫିସ୍ ଆଣିଥିଲା। ଦୁହେଁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ଏକାଠି ବାହାରକୁ ଯାଇଥିଲେ। ସନ୍ଧ୍ୟାରେ ଅଫିସ୍ରୁ ବାହାରିବା ପରେ ରାଜଭବନ ଛକ ନିକଟରେ ଥିବା ଜାମୁକୋଳି ଗଛ ତଳେ ଦୀପକ କାର୍କୁ ଅଟକାଇଥିଲା। ସେଠାରେ ପୁଣି ପାଟିତୁଣ୍ଡ ହେବାରୁ ଦୀପକ ରାଗିଯାଇ ପ୍ରଥମେ ଶୁଭମିତ୍ରାଙ୍କୁ ମାଡ଼ ମାରିଥିଲା ଏବଂ ସେ ସଂଜ୍ଞାହୀନ ହୋଇଯିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଜଣେ ବନ୍ଧୁଙ୍କୁ ଡାକି ରାତାରାତି ଶବକୁ ଧରି କାରରେ କେନ୍ଦୁଝର ବାହାରି ଯାଇଥିଲା। ନିଜ ମାଉସୀ ପୁଅ ଭାଇକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇବା ସହ ଶବ ପୋତିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲା। ଦୀପକ ପହଞ୍ଚିବା ପୂର୍ବରୁ ଶବ ପୋତିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସେଠାରେ ପହଞ୍ଚିବା ପରେ ମୃତଦେହକୁ ଏକ ସିମେଣ୍ଟ ବସ୍ତାରେ ପୂରାଇ ପୋତିଦିଆଯାଇଥିଲା। କେହି ଯେମିତି ସନ୍ଦେହ କରିବେ ନାହିଁ, ରାତାରାତି ପୁଣି ଭୁବନେଶ୍ବର ଆସି ୭ ତାରିଖ ଦିନ ଅଫିସ୍ରେ ଯୋଗ ଦେଇଥିଲା ଦୀପକ।