କଟକ: ସିପାହି/କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କରାଯିବା ସହିତ ନିଯୁକ୍ତି ପ୍ରକ୍ରିୟା ଉପରେ ରହିଥିବା ଅଦାଲତୀ ଅଙ୍କୁଶ ହଟାଇ ଦିଆଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ରିଟ୍ ଅପିଲ୍ର ଶୁଣାଣି ବେଳେ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଏହି ପଦବି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୩ ବର୍ଷ କୋହଳ ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ମାମଲାର ପ୍ରତିପକ୍ଷ ପ୍ରାର୍ଥୀ ସମ୍ମତି ଜଣାଇଥିଲେ। ଏହାପରେ ସରକାରଙ୍କ ନିଷ୍ପତ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠଙ୍କ ୨୦୨୪ ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ୍ ଅପିଲକୁ ହାଇକୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣିକିଆ ଖଣ୍ଡପୀଠ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବା ପାଇଁ ୨୦୨୪ ଡିସେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲକୁ ହାଇକୋର୍ଟ ୨୦୨୪ ଡିସେମ୍ବର ୨୩ରେ ଗ୍ରହଣ କରି ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ୨୦୨୪ ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ମାର୍ଚ୍ଚ ୧୩ରେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସିପାହି/କନେଷ୍ଟବଳ ପଦରେ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁ ନଥିଲା।
ନିଯୁକ୍ତି ପ୍ରକ୍ରିୟା ଆଗେଇବାକୁ ବାଟ ଫିଟିଲା
ଓଡ଼ିଶା ପୁଲିସର ଓଏସ୍ଏପି, ଆଇଆର, ଏସ୍ଆଇଆର, ସ୍ପେସାଲ ସିକ୍ୟୁରିଟି ବାଟାଲିୟନରେ ୧୩୬୦ଟି ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ୨୦୨୪ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଶେଷ ଥର ୨୦୧୮ରେ ଓଡ଼ିଶା ପୁଲିସରେ ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି ରଖି ହାଇକୋର୍ଟରେ ମାମଲା ଦାୟର କରିଥିଲେ।
ଏସବୁ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ ବୋଲି ୨୦୨୪ ଡିସେମ୍ବର ୫ରେ ଜଣିକିଆ ଖଣ୍ଡପୀଠ ରାୟ ଦେଇଥିଲେ। କରୋନା ମହାମାରୀ କାରଣରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଏହି ରାୟରେ ଉଲ୍ଲେଖ କରାଯାଇଥିଲା। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ରାଜ୍ୟ ସରକାରଙ୍କ ଆବେଦନ ସହିତ ଅନ୍ୟମାନେ ଦାୟର କରିଥିବା ମାମଲା ଗୁଡ଼ିକର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ଏଜିଏ ଶାଶ୍ବତ ଦାସ ଓ ପ୍ରତିପକ୍ଷ ପ୍ରାର୍ଥୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ, ମଦନମୋହନ ଦାସ ମାମଲା ପରିଚାଳନା କରୁଥିଲେ।