ବିଚିତ୍ର ବ୍ୟବସ୍ଥା: ଫାଣ୍ଡି ନାହିଁ, ନିଯୁକ୍ତି ପାଉଛନ୍ତି କନଷ୍ଟେବଳ

ରାଜନଗର: ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଫାଣ୍ତି କାର୍ଯ୍ୟ କରୁଛି। ସେଠାରେ କନଷ୍ଟେବଳ ନିଯୁକ୍ତି ପାଉଛନ୍ତି ଓ ବଦଳି ହୋଇ ନୂତନ କନେଷ୍ଟବଳ ବି ଆସୁଛନ୍ତି। କନେଷ୍ଟବଳ କାର୍ଯ୍ୟ କରୁଥିବା ନେଇ ସାର୍ଟିଫିକେଟ ବି କଟାଯାଉଛି। ହେଲେ, ଏ ସବୁ କେବଳ କାଗଜପତ୍ରରେ ହେଉଛି। ପ୍ରକୃତପକ୍ଷେ ନା ପୁଲିସ ଫାଣ୍ତି ଅଛି, ନା କୌଣସି ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଅଧିବାସୀ କେବେ ଦେଖିଛନ୍ତି। ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଏପରି ବିଚିତ୍ର ବ୍ୟବସ୍ଥା ସାମ୍ନାକୁ ଆସିଛି।

ରାଜନଗର ଥାନା ଅଧୀନ ବଙ୍ଗୀୟ ଭାଷାଭାଷୀ ଅଞ୍ଚଳ ତାଳଚୁଆଠାରେ ପୁଲିସ ଫାଣ୍ତି କାର୍ଯ୍ୟ କରୁଥିଲା। ୨୨ ଜୁନ ୨୦୧୪ରେ ତାଳଚୁଆ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବା ପରେ ସେଠାରେ ଫାଣ୍ତିର ଆବଶ୍ୟକତା ନଥିଲା। କିଛିଦିନ ସୁପ୍ତ ଅବସ୍ଥାରେ ଫାଣ୍ତି କାର୍ଯ୍ୟ କରିଥିଲା। ଭିତରକନିକାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକ ଜଳପଥରେ ଭିତରକନିକା ପରିଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ପର୍ଯ୍ୟଟନ ଋତୁରେ ସେଥିପାଇଁ ଗୁପ୍ତି ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକଙ୍କ ଭିଡ଼ ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପ ସେଠାରେ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୧୫ରେ ତାଳଚୁଆ ଫାଣ୍ତିକୁ ଗୁପ୍ତି ସ୍ଥାନାନ୍ତରିତ କରାଯାଇଥିଲା। ଫାଣ୍ଡିର ନାଁ ‘ତାଳଚୁଆ’ ଫାଣ୍ତି ରହିଥିବା ବେଳେ ତାହା ଗୁପ୍ତିରେ କାର୍ଯ୍ୟ କରିବ ବୋଲି ପୁଲିସ ମୁଖ୍ୟାଳୟ ନିଷ୍ପତ୍ତି ନେଇଥିଲା। ୨/୩ମାସ ବନବିଭାଗର ଏକ କୋଠାରେ ଫାଣ୍ତି କାର୍ଯ୍ୟ କରିଥିଲା। ସେଠାରେ ୩/୪ଜଣ ପୁଲିସ ରହି ସ୍ଥାନୀୟ ଅଂଚଳରେ ଆଇନ ଶୃଙ୍ଖଳା ଉପରେ ନଜର ରଖିଥିଲେ। ସାତଭାୟା, ଗୁପ୍ତି ଓ ଈଶ୍ବରପୁର ପଞ୍ଚାୟତର ଲୋକେ ରାଜନଗର ଥାନା ବଦଳରେ ଗୁପ୍ତିସ୍ଥିତ ତାଳଚୁଆ ଫାଣ୍ତିକୁ ଯିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ମାତ୍ର ୨୦୧୫ ମସିହା ଶେଷରୁ ହଠାତ ଫାଣ୍ତି ଗାଏବ ହୋଇଯାଇଥିଲା। ବନବିଭାଗର କୋଠାରେ ଜଣେ ହାବିଲଦାର କେବଳ ରହିଥିଲେ। ସେଠାରେ ଅଭିଯୋଗ ରଖାଯାଉ ନଥିଲା କିମ୍ବା କୌଣସି ମାମଲାର ଶୁଣାଣି ହେଉ ନଥିଲା। ୨୦୧୯ ମଇ ମାସରେ ହାବିଲଦାର ଅବସର ନେବା ପରେ ନା ସେଠାରେ ଫାଣ୍ତି ଅଛି, ନା ସେଠାରେ ପୁଲିସ ଅଛନ୍ତି; କାହାରିକୁ ଦେଖିବାକୁ ମିଳୁ ନାହିଁ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୁପ୍ତିସ୍ଥିତ ତାଳଚୁଆ ଫାଣ୍ତି ପାଇଁ ଜଣେ ଅଫିସର, ଜଣେ ହାବିଲଦାର, ୩ଜଣ କନେଷ୍ଟବଳ ପଦବି ମଂଜୁର ହୋଇଛି। ଏହି ଫାଣ୍ତିରେ ନିହାର ରଂଜନ ନାୟକ ଓ ଗଗନ ମଲ୍ଲିକ ୨ଜଣ କନଷ୍ଟେବଳ ଦୀର୍ଘଦିନ ହେଲା କାର୍ଯ୍ୟ କରୁଛନ୍ତି। ଗତ ସପ୍ତାହରେ କନଷ୍ଟେବଳ ନିହାର ରଂଜନ ନାୟକଙ୍କୁ ରାଜନଗର କୋର୍ଟକୁ ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ କୋର୍ଟରେ ଥିବା ମିଟୁଙ୍କୁ ଗୁପ୍ତି ଫାଣ୍ତିରେ ନିଯୁକ୍ତି ଦିଆଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୧୫ ମସିହାରୁ କୌଣସି କନଷ୍ଟେବଳଙ୍କୁ ଗୁପ୍ତି ଅଞ୍ଚଳରେ ଦେଖିବାକୁ ମିଳି ନଥିବା ବେଳେ ସେମାନେ କିପରି ଗୁପ୍ତି ଫାଣ୍ତିରେ କାର୍ଯ୍ୟ କରୁଛନ୍ତି ଓ ଦରମା ନେଉଛନ୍ତି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜନଗର ଥାନାର ଆଇଆଇସି ତପନ କୁମାର ନାୟକଙ୍କୁ ପଚାରିବାରୁ ଗୁପ୍ତି ଫାଣ୍ତି ପାଇଁ ୨ଜଣ କନଷ୍ଟେବଳ ନିଯୁକ୍ତି ପାଇଛନ୍ତି। ସେଠାରେ ଫାଣ୍ତି ପାଇଁ ଘର ତିଆରି ହୋଇନାହିଁ। ଘର ନଥିବାରୁ କନଷ୍ଟେବଳମାନେ ରାଜନଗର ଥାନାରେ ଡ୍ୟୁଟି କରୁଛନ୍ତି। ମଝିରେ ମଝିରେ ସେଠାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ସବୁଠୁ ବଡକଥା ହେଲା ତାଳଚୁଆ ଫାଣ୍ତିକୁ ଗୁପ୍ତି ସ୍ଥାନାନ୍ତରିତ ପରେ ଫାଣ୍ତି ପାଇଁ ପୋଷ୍ଟ ମଂଜୁର କରାଯାଇଛି। କର୍ମଚାରୀ ନିଯୁକ୍ତି ଦିଆଯାଇଛି। ଯଦି ଫାଣ୍ତି ପାଇଁ ଘର ନାହିଁ, ଫାଣ୍ତି ଚାଲୁ ନାହିଁ, ତେବେ କାଗଜପତ୍ରରେ ଫାଣ୍ତି ଚାଲୁଛି ବୋଲି ଦର୍ଶାଇ କର୍ମଚାରୀ ନିଯୁକ୍ତି ଦିଆଯିବା ଓ ନିୟମିତ ବ୍ୟବଧାନରେ କନେଷ୍ଟବଳଙ୍କୁ ବଦଳି କରି ନୂତନ କନେଷ୍ଟବଳ ଫାଣ୍ତିରେ ନିଯୁକ୍ତି କରିବାରେ ମାନେ କଣ? ସରକାରଙ୍କ ଏଭଳି ବିଚିତ୍ର ଶାସନ ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ସମ୍ବନ୍ଧିତ ଖବର