ନକଲି ମଦର ମାଷ୍ଟରମାଇଣ୍ଡ ପୁଲିସ୍ କନଷ୍ଟେବଳ

ଅଟୋ ସହ ୮ ପେଟି ମଦ ଜବତ, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ନକଲି ବିଦେଶୀ ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଗତ ଦିନରେ ଅବକାରୀ ଓ ପୁଲିସ ବିଭାଗ ଚଢ଼ଉ କରି ଧରପଗଡ଼ କରିଥିଲେ ହେଁ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିପାରି ନାହାନ୍ତି। ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରତଳି ଅଞ୍ଚଳ ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଥିବା ବେଳେ ଏବେ ପୁଣି ସହରକୁ ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା ନକଲି ମଦକୁ ପୁଲିସ ଜବତ କରିଛି। ଦିଗପହଣ୍ଡି ଅଂଚଳରେ ଥିବା କୁକୁଡ଼ା ଫାର୍ମରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ଏକ ଅଟୋ ରିକ୍ସାରେ ବଡ଼ବଜାର ଅଞ୍ଚଳକୁ ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା ଖବର ପାଇ ପୁଲିସ ଅଟୋଟିକୁ ଯାଂଚ କରିଥିଲା।

ସେଥିରୁ ୮ପେଟି ନକଲି ବିଦେଶୀ ମଦ ମିଳିଥିଲା। ଅଟୋ ଚାଳକ ସମେତ ସେଥିରେ ବସିଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଥିଲା। ଏଥିସହ କୁକୁଡ଼ାଫାର୍ମରେ ମଦ ପ୍ରସ୍ତୁତ କରାଉଥିବା ବ୍ୟକ୍ତିଙ୍କୁ ମଧ୍ୟ କାବୁ କରିଥିଲା। ତଦନ୍ତ ବେଳେ ଏହି ନକଲି ମଦ କାରବାରର ମାଷ୍ଟର ମାଇଣ୍ଡ ଜଣେ ଏପିଆର୍‌ କନଷ୍ଟେବଳ ବୋଲି ଜଣାପଡ଼ିଥିଲା। ତିନି ଅଭିଯୁକ୍ତଙ୍କୁ ଶନିବାର ବଡ଼ବଜାର ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଲଙ୍ଗଳଦେଇ ନିକଟ ହନୁମାନ ନଗରର କୁକୁଡ଼ାଫାର୍ମ ମାଲିକ ଚିନିମିନି ବାରିକ, ଅଟୋ ଚାଳକ ରନୋଜ ଦାସ ଏବଂ ମଦ ପ୍ରସ୍ତୁତ କରିବାରେ ସହାୟକ ହେଉଥିବା ବାବୁ ସାହୁ। ଏନେଇ ଥାନାରେ ନମ୍ବର ୭୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ବ୍ରହ୍ମପୁରରେ ନକଲି ମଦ ଜବତ ହେବା ନୂଆ ନୁହେଁ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଅଧିକ ତତ୍ପର ରହିଛି। ଏହି କ୍ରମରେ ଗତକାଲି ବଡ଼ବଜାରକୁ ଏକ ଅଟୋ ରିକ୍ସାରେ ନକଲି ମଦ ଚାଲାଣ ହେଉଥିବା ନେଇ ଖବର ପାଇ ପୁଲିସ୍‌ ତ୍ବରିତ ପଦକ୍ଷେପ ନେଇଥିଲା। ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ତତ୍ତ୍ବାବଧାନରେ ଏସ୍‌ଆଇ ରଂଜିତ କୁମାର ଦାଶଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା। ଏହି ଟିମ୍ ବଡ଼ବଜାରର ଭୈରବୀ ମାର୍କେଟ ନିକଟ ବାଚେଲା ସାହି ନିକଟରେ ସନ୍ଦିଗ୍ଧ ଅଟୋ (ଓଡି-୦୭ଏଏ-୦୫୨୮)କୁ ଠାବ କରିଥିଲେ।

ଅଟୋକୁ ଅଟକାଇ ଯାଂଚ କରିବାରୁ ସେଥିରୁ ୮ପେଟି ମଦ ଜବତ ହୋଇଥିଲା। ଅଟୋ ସହ ଚାଳକ ଏବଂ ଆରୋହୀ ଦୁଇଜଣଙ୍କୁ ଥାନାକୁ ଆଣି ଜେରା କରିବାରୁ ଏହି ନକଲି ମଦ ପ୍ରସ୍ତୁତ ହେଉଥିବା ଜାଗାର ଠିକଣା ମିଳିଥିଲା। ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ନିକଟ ହନୁମାନନଗରରେ ଥିବା ଏକ କୁକୁଡ଼ା ଫାର୍ମରେ ଏହି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା। ସେଠାରୁ ଆଉ ୨୦ ବୋତଲ ନକଲି ବିଦେଶୀ ମଦ ସହ ସ୍ପିରିଟ୍, କଲର୍ ଆଦି ପ୍ରସ୍ତୁତି ସାମଗ୍ରୀକୁ ଜବତ କରିଥିଲା।

କୁକୁଡ଼ାଫାର୍ମ ମାଲିକ ଚିନିମିନି ଜଣେ କନଷ୍ଟେବଳ ହୋଇଥିବା ବେଳେ ସେ ଏହି ନକଲି ମଦ ପ୍ରସ୍ତୁତ କରୁଥିଲେ। ଅଟୋରୁ ଗିରଫ ହୋଇଥିବା ବାବୁ ଏହି କାରବାରରେ ସହାୟତା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ କନେଷ୍ଟବଳକୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା। ରୟାଲ୍‌ ଷ୍ଟାଗ୍‌ର ନକଲି ‌ଷ୍ଟିକର୍ ଲାଗିଥିବା ମୋଟ ୪୦୪ଟି ମଦ ବୋତଲ (୧୮୦ ମିଲି ବିଶିଷ୍ଟ), ୨ ଲିଟର୍ ସ୍ପିରିଟ୍, ଏକ ଲିଟର୍ କଲର୍, ଶହେଟି ନକଲି ପ୍ଲ‌ାଷ୍ଟିକ୍ କ୍ୟାପ୍,୧୫୦ଟି ଖାଲି ବୋତଲ, ୬୦ଟି ଏକ୍ସାଇଜ୍ ଲେବଲ୍ ସହ ଗୋଟିଏ ଅଟୋ ରିକ୍ସାକୁ ପୁଲିସ୍‌ ଜବତ କରିଥିବା ନେଇ ଟାଉନ୍‌ ଏସ୍‌ଡିପିଓଙ୍କ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତାରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର