ବିଶ୍ବଜିତ ଦାଶ
ଭୁବନେଶ୍ବର: ୨୦୨୬ରେ ଦେଶର ସମସ୍ତ ଲୋକସଭା ଓ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ହେଉଥିବାରୁ ଏହାକୁ ନେଇ ଏବେ ସାରା ଦେଶରେ ବିବାଦ ମୁଣ୍ଡ ଟେକିଛି। ବିଶେଷକରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମାର୍ଚ୍ଚ ୭ରେ ଦେଶର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସେହି ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ସଭାପତିଙ୍କୁ ଚିଠି ଲେଖିବା ପରେ ଏବେ ସମସ୍ତଙ୍କ ନଜର ଓଡ଼ିଶା ଉପରେ।

Advertisment

ମିଳିଥିବା ତଥ୍ୟ ଅନୁସାରେ, ଷ୍ଟାଲିନ୍ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ପଞ୍ଜାବ ଭଳି  ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେରଳ, କର୍ଣ୍ଣାଟକ, ତେଲେଙ୍ଗାନାରେ ବିଜେପିର ସରକାର ନାହିଁ। ପଶ୍ଚିମବଙ୍ଗରେ ଟିଏମ୍‌ସି ଓ ପଞ୍ଜାବରେ ଆପ୍ ସରକାର ଥିବାବେଳେ ସେମାନେ ବିଜେପିର କଡ଼ା ବିରୋଧୀ। ସେମାନେ ମଧ୍ୟ ଏହି ସୀମା ନିର୍ଦ୍ଧାରଣକୁ ନେଇ ସନ୍ତୁଷ୍ଟ ନାହାନ୍ତି। ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସରକାର ଅଛି। କିନ୍ତୁ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ବିଜେପି ଶାସନ କରୁଛି। ଏହାସତ୍ତ୍ବେ ସୀମା ନିର୍ଦ୍ଧାରଣ ଦ୍ବାରା ଓଡ଼ିଶା ପ୍ରଭାବିତ ହେବାକୁ ଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ହେବାକୁ ଥିବା ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମର୍ଥନ ‌େଲାଡ଼ିଛନ୍ତି। ମାର୍ଚ୍ଚ ୨୨ରେ ଚେନ୍ନାଇରେ ପ୍ରଥମ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ବସିବ। ଏଥିରେ କେନ୍ଦ୍ର ସରକାରଙ୍କ ଅନ୍ୟାୟ କାର୍ଯ୍ୟ ବିରୋଧରେ ମିଳିତ ଭାବେ ଲଢ଼େଇ କରିବାକୁ ରଣନୀତି ପ୍ରସ୍ତୁତ ହେବ। 
ତେଣୁ ଏହି ଅଭିଯାନ ପାଇଁ ସହମତି ଦେବାକୁ ସେ ଅନୁରୋଧ କରିଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଦାସଙ୍କୁ ମଧ୍ୟ ଷ୍ଟାଲିନ ଚିଠି ଲେଖିଛନ୍ତି। ସେ ଚିଠିରେ ଦୁଇଟି ପ୍ରସଙ୍ଗରେ ସମର୍ଥନ ମଗାଯାଇଛି। ପ୍ରଥମରେ ସେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତାମିଲନାଡ଼ୁର ଏହି ଅଭିଯାନରେ ସାମିଲ ହେବେ ବୋଲି ଆନୁଷ୍ଠାନିକ ସମର୍ଥନ ଜଣାଇବେ। ଦ୍ବିତୀୟରେ ସମସ୍ତ ରାଜନୈତିକ ଦଳର ସଭାପତିମାନେ ୨୨ତାରିଖରେ ହେବାକୁ ଥିବା ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକକୁ ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କୁ ପଠାଇବେ। ବୈଠକରେ କଂଗ୍ରେସ ସାମିଲ୍ ହେବା ନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ‌ମୁଁ ଏପର୍ଯ୍ୟନ୍ତ ଚିଠି ପାଇନି। ଚିଠି ମିଳିବା ପରେ ଦଳର ଯାହା ନିଷ୍ପତ୍ତି ହେବ ତାହା କରିବୁ। ସେହିପରି ବିଜେଡି ଏପର୍ଯ୍ୟନ୍ତ ଏନେଇ କିଛି ନିଷ୍ପତ୍ତି ନେଇ ନଥିବା ବେଳେ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ଦ୍ବାରା ଲୋକସଭାରେ ପ୍ରତ୍ୟେକ ରାଜ୍ୟର ପ୍ରତିନିଧିତ୍ବ ବଢ଼ିବ। ସବୁ ରାଜ୍ୟର ଆନୁପାତିକ ହାରରେ ଆସନ ବଢ଼ିବ, କାହାର ଆସନ କମିବନି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ତେଣୁ ଓଡ଼ିଶା ବିଜେପି କି ରାଜ୍ୟ ସରକାର ଷ୍ଟାଲିନଙ୍କ ଯୁକ୍ତିକୁ ସମର୍ଥନ କରିବନି।

ଅପରପକ୍ଷେ ଜନସଂଖ୍ୟା ଅଭିବୃଦ୍ଧି ହାର ଦେଖିଲେ ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ୨୦୦୧ରୁ ୨୦୧୨ ମଧ୍ୟରେ ୧୪.୦୫% ରହିଥିଲା। ଯାହା ୧୯୬୧ରୁ ୨୦୦୧ ମଧ୍ୟରେ ସବୁଠୁ କମ୍‌ । ଯଦି ଷ୍ଟାଲିନଙ୍କ ଆକଳନ ସତ ହୁଏ ତେବେ ଜନସଂଖ୍ୟା ଅଭିବୃଦ୍ଧି ହାର କମିଥିବାରୁ ଓଡ଼ିଶା ଯେଉଁ ଲାଭ ପାଇବା କଥା ପାଇବେନି। ଓଡ଼ିଶାର ଜନସଂଖ୍ୟା ଆଗକୁ ଆହୁରି କମିପାରେ। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ କରିବା ଓ ସୁଶାସନ ସୁନିଶ୍ଚିତ କରିଥିବା ଓଡ଼ିଶା ପାଇଁ ଏହା ବୁମେରାଂ ହୋଇପାରେ। ଓଡ଼ିଶାର ଲୋକସଂଖ୍ୟା ଯେଉଁ ୫ଦଶନ୍ଧି ଧରି ବଢ଼ିଥିଲା, ସେତେବେଳେ ସୀମା ନିର୍ଦ୍ଧାରଣ ହୋଇଥିଲେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା କେବେଠାରୁ ୩୦ ଟପି ସାରନ୍ତାଣି। କିନ୍ତୁ ଏବେ ଜନସଂଖ୍ୟା ଅଭିବୃଦ୍ଧି ହାର କମିଥିବାରୁ ଓଡ଼ିଶା ବିଶେଷ ଲାଭବାନ ହେବନି। ଯଦି ବିଜେଡି ଓ କଂଗ୍ରେସ ଏହି ଅଙ୍କ ବୁଝିବେ ତେବେ ଷ୍ଟାଲିନଙ୍କ ସହ ସହମତ ହେବେ। ଯଦି ଅମିତ ଶାହଙ୍କ ଯୁକ୍ତିରେ ଯିବେ ତେବେ ଜନସଂଖ୍ୟା ଅଭିବୃଦ୍ଧି ହାର କମିଲେ ବି ଆନୁପାତିକ ଆସନ ବୃଦ୍ଧି ହେଲେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ଅଳ୍ପ କିଛି ବଢ଼ିବ। 

ହେଲେ ୨୦୦୧-୧୨ ମଧ୍ୟରେ ଉତ୍ତପ୍ରଦେଶରେ ଜନସଂଖ୍ୟା ଅଭିବୃଦ୍ଧି ହାର ୨୦.୨%, ବିହାରରେ ୨୫.୪%, ମଧ୍ୟପ୍ରଦେଶରେ ୨୦.୩%, ରାଜସ୍ଥାନରେ ୨୧.୩%, ଦିଲ୍ଲୀରେ ୨୧.୨%, ଗୁଜୁରାଟରେ ୧୯.୩%, ଆସାମରେ ୧୭.୧%, ମଣିପୁରରେ ୨୪.୫%, ମହାରାଷ୍ଟ୍ରରେ ୧୬%, ଝାଡ଼ଖଣ୍ଡରେ ୨୨.୪% , ମେଘାଳୟରେ ୨୭.୯%, ଦାମନ ଡିଉରେ ୫୫.୧%, ମିଜୋରାମରେ ୨୩.୫%, ପୁଡୁଚେରିରେ ୨୮.୧% ଦେଖିଲେ ବହୁ ବିଜେପି ଶାସିତ ରାଜ୍ୟରେ ଆସନ ସଂଖ୍ୟା ବଢ଼ିବ। କିନ୍ତୁ ତାମିଲନାଡ଼ୁରେ ଏହା ୧୫.୬%, କର୍ଣ୍ଣାଟକରେ ୧୫.୬%,‌ ତେଲେଙ୍ଗାନରେ ୧୩.୫୮%, ପଶ୍ଚିମବଙ୍ଗରେ ୧୩.୮%, ଆନ୍ଧ୍ରପ୍ରଦେଶରେ ୧୧%, କେରଳରେ ୪.୯%, ପଞ୍ଜାବରେ ୧୩.୮୯% ରହିଛି। ଯେଉଁ ବଡ଼ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ଅଭିବୃଦ୍ଧି ହାର ଆଶାନୁରୂପ କମ୍ ଅଛି ସେହି ରାଜ୍ୟଗୁଡ଼ିକର ସହଯୋଗ ଷ୍ଟାଲିନ ଲୋଡ଼ିଛନ୍ତି। ତେଣୁ ଆଗାମୀ ଦିନରେ ଏ ଲଢ଼େଇରେ ଓଡ଼ିଶା ସାମିଲ୍ ହେବ କି ନାହିଁ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ।
.......
ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର କେବେ କେତେ ଥିଲା
ମସିହା    ଅଭିବୃଦ୍ଧି ହାର
୧୯୧୧    ୧୦.୪୪%
୧୯୨୧    -୧.୯୪%
୧୯୩୧    ୧୧.୯୪%
୧୯୪୧    ୧୦.୨୨%
୧୯୫୧    ୬.୩୮%
୧୯୬୧    ୧୯.୮୨%
୧୯୭୧    ୨୫.୦୫%
୧୯୮୧    ୨୦.୧୭%
୧୯୯୧    ୨୦.୦୬%
୨୦୦୧    ୧୫.୯୪%
୨୦୧୧    ୧୪.୦୫%