ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁହନ୍ତି, ଭାରତୀୟ ସମ୍ବିଧାନ ଆମ ପାଇଁ ଜାତୀୟ ଗ୍ରନ୍ଥ ଅଟେ। ସେ ଥିବା ପର୍ଯ୍ୟନ୍ତ ସମ୍ବିଧାନ ଓ ସଂରକ୍ଷଣକୁ କେବେ ବି କ୍ଷତି ପହଞ୍ଚିବ ନାହିଁ। କଂଗ୍ରେସ ପାଇଁ ସମ୍ବିଧାନ ରାଜନୈତିକ ସାଧନ ହୋଇପାରେ, କିନ୍ତୁ ବିଜେପି ପାଇଁ ସମ୍ବିଧାନ ହେଉଛି ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ବୋଲି ବିଜେପିର ରାଜ୍ୟସଭା ସାଂସଦ ମିଥିଲେଶ କୁମାର କାଠେରିଆ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାଠେରିଆ କହିଛନ୍ତି ଯେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦ୍ୱାରା ଗତ ଲୋକସଭା ନିର୍ବାଚନ ସମୟରେ ବିଜେପି ବିରୋଧରେ ଦେଶରେ ମିଥ୍ୟା ପ୍ରଚାର କରାଗଲା ଯେ ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ସଂରକ୍ଷଣ ହଟାଇ ଦେବେ। କିଛିଦିନ ତଳେ ରାହୁଲ ଗାନ୍ଧୀ ଆମେରିକା ଯାଇଥିବାବେଳେ  କହିଛନ୍ତି,  କଂଗ୍ରେସ କ୍ଷମତାକୁ ଆସିଲେ ସଂରକ୍ଷଣ ହଟାଇ ଦିଆଯିବ।

Advertisment

ଏଥିରେ କଂଗ୍ରେସର ଷଡ଼ଯନ୍ତ୍ର ଓ ଭିତିରି ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି। ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରି ସେମାନଙ୍କୁ ସାଧାରଣ ଶ୍ରମିକ ଓ ଚାଷୀ ଭଳି ବ୍ୟବହାର କରିବା କଂଗ୍ରେସର ନୀତି। କିନ୍ତୁ ବିଜେପି ସର୍ବଦା ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗଙ୍କ ସଂରକ୍ଷଣ କଥା ଚିନ୍ତା କରିଛି ଏବଂ ପଦକ୍ଷେପ ନେଇଛି। ଏହା ସହ ସେ କହିଛନ୍ତି ଯେ କଂଗ୍ରେସ ଦେଶରେ ୫୭ବର୍ଷ ଶାସନ କରିଥିବା ବେଳେ ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ସମ୍ବିଧାନ ପ୍ରକ୍ରିୟାର ବାରମ୍ବାର ଦୂରୁପଯୋଗ କରିବା ସହ ସଂରକ୍ଷଣକୁ ବିରୋଧ କରିବା ଭଳି ପଦକ୍ଷେପ ନେଇଛି। କଂଗ୍ରେସ କେବେବି ସମ୍ବିଧାନର ମୂଳ ସିଦ୍ଧାନ୍ତ ଓ ସଂରକ୍ଷଣକୁ ଠିକ୍ ଭାବେ ଲାଗୁ କରିବାକୁ ଚେଷ୍ଟା କରିନାହିଁ।

କଂଗ୍ରେସ ୯୦ ଥର ନିର୍ବାଚିତ ସରକାରଗୁଡ଼ିକୁ ବରଖାସ୍ତ କରିବା ପାଇଁ ଅନୁଚ୍ଛେଦ ୩୫୬ର ଦୂରୁପଯୋଗ କରିଥିଲା। କିନ୍ତୁ ବିଜେପି ସର୍ବଦା ବାବାସାହେବ ଆମ୍ବେଦକରଙ୍କୁ ସମ୍ମାନ ଦେବା ସହ ସଂରକ୍ଷଣ ନେଇ ସେ ସମ୍ବିଧାନରେ ଯେଉଁ ବ୍ୟବସ୍ଥା କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ବିଭୁପ୍ରସାଦ ତରାଇ, ରବି ନାରାୟଣ ବେହେରା, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଧାୟକ ଛବି ମଲ୍ଲିକ, ମୁଖପାତ୍ର ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, କଳ୍ପନା ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଇଥିଲା।