‘ସମ୍ବିଧାନ ଦିବସ’କୁ ସାମାଜିକ ଉତ୍ସବ ଭାବେ ପାଳନ କରାଯାଉ

ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି। ତେଣୁ ଆଜିର ‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭାରତୀୟ ସମ୍ବିଧାନର ପ୍ରଣେତା, ସମାଜସେବୀ ତଥା ଭାରତରତ୍ନ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ସେ କହିଥିଲେ ଯେ ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ। ୭୧ ବର୍ଷ ପୂର୍ବେ ତଥା ଦେଶ ସ୍ୱାଧୀନତା ପାଇବାର ପରବର୍ତୀ ସମୟରେ ଆଜିର ଦିନରେ ‘ସମ୍ବିଧାନ ସଭା’ ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ। ବିଜେପି ଏହି ସମ୍ବିଧାନ ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରି ଆମ୍ବେଦକରଙ୍କ ପ୍ରତି ଥିବା ସମ୍ମାନର ଅଙ୍ଗୀକାରବଦ୍ଧତାକୁ ଦର୍ଶାଇଛି।

ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ବିଧାୟକ ଗଣ, ଦଳୀୟ ପଦାଧିକାରୀ, ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ଯୋଗ ଦେଇ ଆମ୍ବେଦକରଙ୍କ ଫଟୋରେ ମାଲ୍ୟାର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର