ଭୁବନେଶ୍ବର : ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ଭାବେ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପକ୍ଷରୁ ଏହାକୁ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ମଙ୍ଗଳବାର ଦିନ ଅପରାହ୍ନ ୧୨ଟା ୧୫ରେ ବିଧାନସୌଧରେ ଥିବା ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ। ଏଥି ପାଇଁ ଆଜି ଠାରୁ ବିଧାନସୌଧକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି।
ବିଧାନସଭାର ପ୍ରଶ୍ନକାଳରେ ଆଜି ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଆମ ସମ୍ବିଧାନ ଆମର ଅମୂଲ୍ୟ ସମ୍ପଦ। ଭାରତର ସମ୍ବିଧାନ ୭୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ଆସନ୍ତାକାଲି ସଂସଦର କେନ୍ଦ୍ରୀୟ ହଲ୍ରେ ‘ସମ୍ବିଧାନ ଦିବସ’ ପାଳନ କରାଯାଉଛି। ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦରେ ଏହାକୁ ପାଳନ କରିବା ପାଇଁ କୁହାଯାଇଛି। ତେଣୁ ଆମ ବିଧାନସଭାରେ ଏହାକୁ ପାଳନ କରିବା ପାଇଁ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡାକିବାକୁ ଶ୍ରୀ ଆରୁଖ ପ୍ରସ୍ତାବ ଦେଇଥିଲେ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ସମ୍ବିଧାନ ଦିବସ ପାଳନ କରିବାକୁ ମୁଖ୍ୟତଃ ଦୁଇଟି କାମ କରିବା ନିମନ୍ତେ ବିଧାନସଭାକୁ କୁହାଯାଇଛି। ଗୋଟିଏ ହେଲା ବିଧାନସୌଧକୁ ରଙ୍ଗୀନ ଆଲୋକମାଳାରେ ସଜାଇବା। ଏହି କାମ ଆରମ୍ଭ ହୋଇଗଲାଣି। ଦ୍ବିତୀୟଟି ହେଲା ସମସ୍ତ ବିଧାୟକ ଏକାଠି ହୋଇ ଗୋଟିଏ ସଭା କରିବେ। ଏହି ସଭା ଆୟୋଜନ ପାଇଁ ଆଜି ୧୨ଟା ୧୫ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂଚନା ଦେଇଥିଲେ।
ନିର୍ଦ୍ଧାରିତ ସମୟରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ୧୨ଟା ୧୫ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ‘ସମ୍ବିଧାନ ଦିବସ’ ପାଳନ କରାଯିବ। ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ବାଚସ୍ପତି ଗୃହରେ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/odisha-assembly-bb.jpg)