ବ୍ୟାସନଗର: ଉଚ୍ଛେଦର ୫ ବର୍ଷ ପରେ ମଧ୍ୟ ଘର ମାଲିକ ଘରକୁ ଭାଙ୍ଗି ନାହାନ୍ତି। ଏବେ ପୁଣି ସାନି ନିର୍ମାଣ କରିବା ଆରମ୍ଭ କରିଛନ୍ତି। ଉଚ୍ଛେଦ ହୋଇଥିବା ବହୁ ଲୋକ ଜବରଦଖଲ କରି ଘର ନିର୍ମାଣ କରିବାକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ‘ପୁଣି ଜବରଦଖଲରେ ନହକା, ଚୋରଦା ବାଇପାସ୍ ରାସ୍ତା’ ସଂକ୍ରାନ୍ତରେ ‘ସମ୍ବାଦ’ରେ ଗତ ଡିସେମ୍ବର ୨୭ ତାରିଖରେ ପ୍ରକାଶ ପାଇବା ପରେ ୨୯ ତାରିଖରେ ତହସିଲଦାରଙ୍କ ନିର୍ଦେଶକ୍ରମେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ। ଏହାସତ୍ତ୍ବେ ଜବରଦଖଲକାରୀ ଘର ନିର୍ମାଣ ଜାରି ରଖିଛନ୍ତି।

Advertisment

ସରସ୍ଵତୀ ସିନେମା ହଲ ନିକଟରେ ରାସ୍ତାକୁ ଲାଗି ତିନି ମହଲା ଘର କାମ ଚାଲିଛି। ନହକା ଗୋଲେଇ ନିକଟରେ ଏକ ଗୃହ ନିର୍ମାଣ ଚାଲିଛି। ଏହି ଜବରଦଖଲ ଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବହୁ ଲୋକ ଚେତାବନୀ ଦେଇଛନ୍ତି।

୨୦୧୭ ଏପ୍ରିଲ ମାସରେ ଚୋରଦା ବାଇପାସ୍ ଛକରୁ ନହକା ବାଇପାସ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ ନିର୍ମାଣ କରିବା ପାଇଁ ପ୍ରଶାସନ ପକ୍ଷରୁ  ଜବରଦଖଲ ଉଚ୍ଛେଦ କରାଯାଇଥିଲା। ମାପଚୁପ କରି ବହୁ ଘର, ହୋଟେଲ, ଦୋକାନ ଘର ଭଙ୍ଗାଯାଇଥିଲା। ସରସ୍ଵତୀ ହଲ ନିକଟରେ ଦେଢ଼ ଡେସିମିଲି ଜାଗାରେ ଏକ ତିନି ମହଲା ଘରକୁ ପ୍ରଶାସନ ସଂପୂର୍ଣ୍ଣ ନଭାଙ୍ଗି ସଂପୃକ୍ତ ଘର ମାଲିକଙ୍କୁ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଥିଲା। ଅଧା ଭଙ୍ଗାଘର ୫ ବର୍ଷ ସେମିତି ଠିଆହୋଇ ରହିବା ପରେ ବି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା। ଏହି ସୁଯୋଗରେ ଏବେ ଘର ମାଲିକ ଏହାକୁ ପୁନଃନିର୍ମାଣ କରିବା ଆରମ୍ଭ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ୩ ମହଲା କୋଠାଟି ରାସ୍ତା ଉପରକୁ ପଶିଯାଇଛି ଏବଂ ଡ୍ରେନ୍‌ କରିବାକୁ ବି ଜାଗା ନାହିଁ। ଯଦି ଏହା କାର୍ଯ୍ୟକ୍ଷମ ହୁଏ ତେବେ ଆଗରେ ଗାଡ଼ିମୋଟର ରଖିବା ଦ୍ବାରା ରାସ୍ତା ଅବରୋଧ ହେବା ନିଶ୍ଚିତ। ସର୍ବସାଧାରଣ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।