ସ୍ମାର୍ଟ ସିଟିର ସ୍ମାର୍ଟ ରୋଡ ନାଁରେ ହରିଲୁଟ୍ ମସୁଧା: ନିର୍ମାଣ ସରିନି ଅସରାଏ ବର୍ଷାରେ ଫାଟିଲାଣି

୩.୭ କି.ମି. ପାନପୋଷ-ଆମ୍ବେଦକର ରାସ୍ତାରେ ୨୨ କୋଟି
ପୂର୍ବରୁ ଖର୍ଚ୍ଚ ହୋଇଥିଲା ୧୩ କୋଟି

ରାଉରକେଲା : କରୋନାର ଭରଫୁର ଫାଇଦା ଉଠାଉଛନ୍ତି ଠିକାଦାର। ସ୍ମାର୍ଟ ସିଟିର ସ୍ମାର୍ଟ ରୋଡ ନିର୍ମାଣ ଓ ସମ୍ପ୍ରସାରଣ ନାଁରେ ଚାଲିଛି ବ୍ୟାପକ ହରିଲୁଟ୍। ଦାୟିତ୍ବରେ ଥିବା ଅଧିକାରୀ ଓ ଠିକାଦାରଙ୍କ ଭିତିରି ସଲାସୁତୁରାରେ ଚାଲିଛି ସବୁକିଛି। ବଡ ବଡିଆଙ୍କ ଚାପରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନାହାନ୍ତି। ରାଜନୈତିକ ଦଳର ନେତାମାନେ ନିଜର ବ୍ୟକ୍ତିଗତ ଫାଇଦା ଉଠାଇ ଚୁପ୍ ରହୁଛନ୍ତି। ଯାହାର ଶତ ପ୍ରତିଶତ ଫାଇଦା ଉଠାଉଛନ୍ତି ଏହି କରିତକର୍ମା ଠିକାସଂସ୍ଥା। କହିବାକୁ ଗଲେ କେବଳ ରାସ୍ତା ମରାମତି ଓ ସମ୍ପ୍ରସାରଣ ନାଁରେ କେବଳ ଠିକାଦାର ପୋଷା ଚାଲିଛି।

ଯେଉଁ ରାସ୍ତା ଗତ କିଛି ବର୍ଷ ତଳେ ତିଆରି ହୋଇଥିଲା, ତାକୁ ପୁଣି ସ୍ମାର୍ଟ ରୋଡ କରାଯାଉଛି। ସ୍ମାର୍ଟ ରାସ୍ତା ନିର୍ମାଣ କାମ କେମିତି ଚାଲିଛି, ନିକଟରେ ହୋଇଥିବା ଅସରାଏ ବର୍ଷାରୁ ସ୍ପଷ୍ଟ ବାରି ହୋଇ ପଡିଛି। ସହରର ପ୍ରମୁଖ ରାସ୍ତା ପାନପୋଷ- ଉଦିତନଗର ଆମ୍ବେଦକ ରାସ୍ତାର ଅବସ୍ଥା କାହିଁକି ଏମିତି ହେଲା? ବିଭାଗୀୟ ଅଧିକାରୀ ତଦନ୍ତ ନ କରି, କେବଳ ଠିକାସଂସ୍ଥାକୁ ମରାମତି କରିବାକୁ କହି ନିଜର କାମ ସାରି ଦେଇଛନ୍ତି। କେବଳ ଏତିକି ନୁହେଁ ପୂର୍ବରୁ ରାସ୍ତା ପାର୍ଶ୍ବରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଗାର୍ଡେନିଂକୁ ନଷ୍ଟ କରି ପୁଣି ଗାର୍ଡେନିଂ କରାଯାଉଛି। ପାନପାଷ ଗାନ୍ଧିଛକ- ଉଦିନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ପ୍ରାୟ ୩.୭ କି.ମି. ଚାରି ଥାକିଆ ରାସ୍ତା ପାଇଁ ପୂର୍ବରୁ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସାଢ଼େ ୫ ମିଟର ଚଉଡା ରାସ୍ତାକୁ ୧୫ ମିଟର ଚଉଡା କରାଗଲା। ଏବେ ସ୍ମାର୍ଟ ସିଟି ନାଁରେ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ ହେଉଛି।

କେବଳ ପାନପୋଷ ଗାନ୍ଧି ଛକରରୁ ଉଦିତନଗର ଆମ୍ବେଦକର ଛକ ନୁହେଁ, ଅନ୍ୟ ରାସ୍ତା ସମ୍ପ୍ରସାରଣ ନାଁରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଆରଏସ୍‌ପି ଅଫିସରୁ ହକି ଛକ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତାରେ ଗତ କିଛି ବର୍ଷ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତାହାକୁ ପୁଣି ଖୋଳାଯାଇ ସ୍ମାର୍ଟ ରୋଡ କରାଯାଉଛି। ସ୍ମାର୍ଟ ସିଟିର ଏଭଳି କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାମର ସ୍ବଚ୍ଛତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି। କାମରେ ହେଉଥିବା ଦୁର୍ନୀତିକୁ ନେଇ ନିକଟରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଡମ୍ବନା, ରାଜନୈତିକ ଦଳର ପ୍ରତିବାଦର ସ୍ବର ପ୍ରଶାସନିକ ଅଧିକାରୀ କିମ୍ବା ଠିକା ସଂସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରି ନାହିଁ। ପରିଣାମ ଠିକା ସଂସ୍ଥା ମନ ଇଚ୍ଛା କାମ କରୁଛନ୍ତି। ଭବିଷ୍ୟତରେ ଯାହାର ଫଳ ସହରବାସୀଙ୍କୁ ନିଶ୍ଚିତ ଭୋଗିବାକୁ ପଡିବ, ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର