ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରାକ ଶିକ୍ଷା କେନ୍ଦ୍ରଗୁଡିକ କିପରି ଚାଲିଛି ତାକୁ ନେଇ ନା ବିଭାଗ ତଦାରଖ କରୁଛି ନା ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ସବୁ ମୂଲଚାଲରେ ଚାଲିଛି। ବିଭାଗର ଉଚ୍ଚ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀଙ୍କ ପର୍ଯ୍ୟନ୍ତ ସବୁ ଆପୋଷ ବୁଝାମଣାରେ ଚାଲିଛି। ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସନ୍ତା। ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଅଧିନରେ ୭ଟି ବ୍ଲକରେ ମୋଟ ୧୩୨୪ଟି ଅଙ୍ଗନବାଡି କେନ୍ଦ୍ର ଚାଲିଛି। ଜିଲ୍ଲାର ୬୩ଟି ଅଙ୍ଗନବାଡି କେନ୍ଦ୍ରର ଗୃହ ଅଧପନ୍ତରିଆ ହୋଇ ପଡି ରହିଛି। ୧୨୦ଟି କେନ୍ଦ୍ରର ଗୃହ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

Advertisment

ତେବେ ୧୮୩ଟି କେନ୍ଦ୍ର ଏବେ କେଉଁଠି ଚାଲିଛି ତାହା ସଂଦେହ ସୃଷ୍ଟି କରୁଥିବା ବେଳେ ବିଭାଗଗୀୟ ରିପୋର୍ଟ କିନ୍ତୁ ଅଲଗା କହୁଛି।ଚିତ୍ରକୋଣ୍ଡା ବ୍ଲକରେ ୧୮୦ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୧୪ଟି ନିଜସ୍ବ ଗୃହ ରହିଥିବା କୁହାଯାଉଥିବା ବେଳେ ୬୬ଟି ଗୃହ ଭଡାରେ ଚାଲିଥିବା କୁହାଯାଉଛି।କିନ୍ତୁ ବାସ୍ତବରେ ଏହି କେନ୍ଦ୍ରଗୁଡିକ ଚାଲୁଛି କି ନାହିଁ ତାହା ଏବେ ତଦନ୍ତ ସାପେକ୍ଷ। ଏଥିରୁ ୪୫ଟି ଗୃହ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୨୧ଟି ଗୃହ ଅଧପନ୍ତରିଆ ହୋଇ ପଡିଛି।

କାଲିମେଳା ବ୍ଲକରେ ଥିବା ୨୬୪ଟି କେନ୍ଦ୍ର ମଧ୍ୟରୁ ୨୪୨ର ଗୃହ ରହିଥିବା ବେଳେ ୨୨ଟି କେନ୍ଦ୍ରର ଗୃହ ନାହିଁ। ସେଥିରୁ ୧୫ଟି ଗୃହର କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୭ଟି ଗୃହ ଅଧପନ୍ତରିଆ ହୋଇ ପଡିଛି। ଖଇରପୁଟ ବ୍ଲକରେ ଥିବା ୧୩୧ଟି କେନ୍ଦ୍ର ମଧ୍ୟରୁ ୧୦୫ଟି ନିଜସ୍ବ ଗୃହ ରହିଥିବା ବେଳେ ୨୬ଟି ଗୃହ ଅନ୍ୟତ୍ର ଚାଲିଥିବା କୁହାଯାଇଛି। ଏଥିରୁ ୧୫ଟିର ଗୃହ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୧୧ଟିର ଗୃହ ଅଧପନ୍ତରିଆ ହୋଇ ପଡିଛି। କୋରକୋଣ୍ଡା ବ୍ଲକରେ ଥିବା ୧୭୭ଟି କେନ୍ଦ୍ର ମଧ୍ୟରୁ ୧୫୫ଟି କେନ୍ଦ୍ରର ଘର ରହିଥିବା ବେଳେ ୨୨ଟି କେନ୍ଦ୍ରର ଗୃହ ନାହିଁ। ସେଥିରୁ ୨୦ଟି କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୨ଟି ଅଧପନ୍ତରିଆ ହୋଇ ପଡିଛି।

publive-image

ମାଲକାନଗିରି ବ୍ଲକରେ ଥିବା ୨୫୦ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୨୩୭ଟି କେନ୍ଦ୍ରର ଗୃହ ଥିବା ବେଳେ ୧୩ଟି କେନ୍ଦ୍ରର ଗୃହ ନାହିଁ।ଏଥିରୁ ୮ଟି କେନ୍ଦ୍ରର ଗୃହ ଆରମ୍ଭ ହୋଇନଥିବା ବେଳେ ୫ଟି ଅଧପନ୍ତରିଆ ହୋଇ ପଡିଛି। ମାଥିଲି ବ୍ଲକରେ ଥିବା ୨୧୫ କେନ୍ଦ୍ର ମଧ୍ୟରୁ ୧୯୪ଟି କେନ୍ଦ୍ର ଗୃହ ରହିଛି। ଅନ୍ୟ ୨୧ଟି କେନ୍ଦ୍ରର ଗୃହ ନାହିଁ।ତେବେ ଏହି କେନ୍ଦ୍ରର ୯ଟି କେନ୍ଦ୍ର ଗୃହ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୧୨ଟି ଗୃହ ଅଧପନ୍ତରିଆ ହୋଇ ପଡିଛି।

ପଡିଆ ବ୍ଲକର ୧୦୭ଟି କେନ୍ଦ୍ର ମଧ୍ୟରୁ ୯୪ଟି କେନ୍ଦ୍ରର ଗୃହ ଅଛି।କିନ୍ତୁ ୧୩ଟି କେନ୍ଦ୍ର ଗୃହ ନାହିଁ। ସେଥିରୁ ୮ଟି କେନ୍ଦ୍ରର ଗୃହ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୫ଟି ଅଧପନ୍ତରିଆ ହୋଇ ପଡିଛି। ଜିଲ୍ଲାର ବଣ୍ଡାଘାଟି ଓ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ କୌଣସି ଅଙ୍ଗନବାଡି କେନ୍ଦ୍ର ଠିକ ଭାବେ ଚାଲୁନଥିବା ଦେଖିବାକୁ ମିଳିଛି। ୧୮୩ଟି ଅଙ୍ଗନବାଡି କେନ୍ଦ୍ର ଜିଲ୍ଲାର ବିଭିନ୍ନ ଭଡା ଘରେ, ସ୍କୁଲ ପରିସରରେ ଏବଂ ଅନ୍ୟ ଠାରେ ଚାଲିଥିବା ବିଭାଗ କହୁଛି। କିନ୍ତୁ ବାସ୍ତବରେ ଏହି ଅଙ୍ଗନବାଡି କେନ୍ଦ୍ରଗୁଡିକର ଅବସ୍ଥା ସଂକଟାପନ୍ନ। କିଛି ଗୁହାଳ ଘରେ,ଗ୍ରାମବାସୀଙ୍କ ବାରଣ୍ଡା, କୁଡିଆ ଘରେ,ଭଙ୍ଗା କମ୍ୟୁନିଟି ହଲରେ ଚାଲିଛି। ଯାହା ଏବେ ତଦନ୍ତ ସାପେକ୍ଷ। ଏହି କେନ୍ଦ୍ରଗୁଡିକରେ ନିୟମିତ ପ୍ରାକ ଶିକ୍ଷା,ପିଲାଙ୍କୁ ଖାଦ୍ୟ,ଛତୁଆ ଇତ୍ୟାଦି ବଣ୍ଟନରେ ମଧ୍ୟ ଅନିୟମିତତା ଦେଖାଦେଇଛି, ଯାହାକୁ ନେଇ ବ୍ଲକରେ ଥିବା ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ଓ ଜିଲ୍ଲା ଅଧିକାରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ଚାଲିଛି ବୋଲି ଅଭିଯୋଗ ହେଉଛି।