କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ପୁରୁଯୋଡ଼ା ପଞ୍ଚାୟତରେ ଚେକ୍‌ଡ୍ୟାମ୍‌ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଖୋଲାପଡ଼ିଆରେ ଚେକ୍‌ଡ୍ୟାମ୍‌ ନିର୍ମାଣ ହୋଇଛି। ପାଖରେ କୌଣସି ଚାଷଜମି ନଥିବାରୁ ଚେକ୍‌ଡ୍ୟାମ୍‌ କାହା ସ୍ବାର୍ଥରେ ନିର୍ମାଣ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ମଧ୍ୟ ୨୦୨୦ରେ ଅଡିଟ୍‌ ବେଳେ ତେଲକୋଇ ବ୍ଲକ୍‌ର ୧୬ଟି ଚେକ୍‌ଡ୍ୟାମ୍‌ ନିକଟରେ ଚାଷଜମି ନଥିବାରୁ ଅଡିଟ୍‌ ଟିମ୍‌ ଆପତ୍ତି ଉଠାଇଥିଲେ।

Advertisment

ତେଲକୋଇ ବ୍ଲକ୍‌ ପୁରୁଯୋଡ଼ା ପଞ୍ଚାୟତ ତାଳମୁଣ୍ଡା ନାଳରେ ଏକ ଚେକ୍‌ଡ୍ୟାମ୍‌ ନିର୍ମାଣ ‌ହେଉଛି। ପୂର୍ବରୁ ଏହି ନାଳରେ ଏକ ଚେକ୍‌ଡ୍ୟାମ୍‌ ୨୦୧୮-୧୯ ମସିହାରେ ନିର୍ମାଣ ହୋଇଥିଲା। ଏଥିପାଇଁ ୭ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ୬ ଲକ୍ଷ ୯୨ ହଜ‌ାର ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ଶ୍ରମିକଙ୍କ ମଜୁରି ବାବଦକୁ ୧ ଲକ୍ଷ ୫୯ ହଜାର ୭୬୦ ଟଙ୍କା ଖର୍ଚ୍ଚ ଏବଂ ନିର୍ମାଣ ସାମଗ୍ରୀ ବାବଦକୁ ୫ ଲକ୍ଷ ୩୧ ହଜାର ୭୭୭ ଟଙ୍କା ଖର୍ଚ୍ଚ ‌ହୋଇଛି। ସମାନ ଢଙ୍ଗରେ ୨୦୨୨-୨୩ରେ ଏଠାରେ ପୁଣି ୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଆଉ ଏକ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅଦ୍ୟାବଧି ୧ ଲକ୍ଷ ୭୭ ହଜାର ୨୬୮ ଟଙ୍କା ଖର୍ଚ୍ଚ ହେଲାଣି। ତେବେ, ଏହି ଚେକ୍‌ଡ୍ୟାମ୍‌ରୁ କୌଣସି ଚାଷଜମିକୁ ପାଣି ମାଡ଼ୁନଥିବା ଅଭିଯୋଗ ହୋଇଛି।

୨୦୨୦ରେ ତେଲକୋଇ ବ୍ଲକ୍‌ର ୧୬ଟି ଚେକ୍‌ଡ୍ୟାମ୍‌ ନିର୍ମାଣକୁ ନେଇ ଆପତ୍ତି ଉଠାଇଥିଲା ଅଡିଟ୍‌ ଟିମ୍‌। ଏସବୁ ଚେକ୍‌‌ଡ୍ୟାମ୍‌ ପାଖରେ କୌଣସି ଚାଷଜମି ନ ଥିବାରୁ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ଅପବ୍ୟୟ ବୋଲି ଦର୍ଶାଯାଇଥିଲା।

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, କୌଣସି ନାଳରେ ଯଦି ଚେକ୍‌ଡ୍ୟାମ୍‌ର ଆବଶ୍ୟକତା ଥାଏ ତେବେ ସେଠାରେ ଚାଷଜମି ରହିଥିବା ଆବଶ୍ୟକ। ସେହିପରି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଏବଂ ବ୍ଲକ୍‌ର ଯନ୍ତ୍ରୀ ମିଳିତ ଭାବେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ‌ସେଠାରେ ଚେକ୍‌ଡ୍ୟାମ୍‌ ନିର୍ମାଣର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବେ। ଏହାଛଡ଼ା ଚେକ୍‌ଡ୍ୟାମ୍‌ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀଙ୍କ ସହମତି ରହିବା ମଧ୍ୟ ଆବଶ୍ୟକ। ଏଠାରେ କୌଣସି ଗ‌ାଇଡ୍‌ଲାଇନ୍‌କୁ ଅନୁସରଣ କରାଯାଉ ନାହିଁ। ସେହିପରି ମନ‌ରେଗା ଯୋଜନାରେ ନିର୍ମାଣ ହେଉଥିବା କୌଣସି ପ୍ରକଳ୍ପର ଅନୁମୋଦନ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବା କଥା ନୁହେଁ। ସ୍ବତନ୍ତ୍ର କ୍ଷେତ୍ରରେ ଏହା ସର୍ବାଧିକ ୭ ଲକ୍ଷ ହୋଇପାରିବ। ‌ମାତ୍ର, ଏହି ନାଳରେ ହୋଇଥିବା ଚେକ୍‌ଡ୍ୟାମ୍‌ କେଉଁ ପରିସ୍ଥିତିରେ ସ୍ବତନ୍ତ୍ର ଅନୁମୋଦନ ହାସଲ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।