ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ସମୟରେ ପ୍ରାଣ ହରାଇଥିବା କୋଭିଡ୍ ଯୋଦ୍ଧାଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ନିର୍ମାଣ ହେବ ସ୍ମାରକୀ। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଏହି କୋଭିଡ୍ ଯୋଦ୍ଧା ସ୍ମାରକୀ ନିର୍ମାଣ ହେବ। ଆଜି ଏ ନେଇ ପୂର୍ତ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

Advertisment

ଏହି କୋଭିଡ ଯୋଦ୍ଧା ସ୍ମାରକୀ ଅଗଷ୍ଟ ୧୫ରେ ଉଦଘାଟନ ହେବ । କରୋନା ଭଳି ଭୂତାଣୁ ସହ ଲଢ଼ି ଅନେକଙ୍କ ଜୀବନ ବଞ୍ଚାଇଥିଲେ କୋଭିଡ ଯୋଦ୍ଧା। ସେମାନଙ୍କ ବଳିଦାନକୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର କୋଭିଡ ଯୋଦ୍ଧା ସ୍ମାରକୀ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋଭିଡ ଯୋଦ୍ଧା ସ୍ମାରକୀ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବିଜୁ ପଟ୍ଟନାୟକ ପାର୍କକୁ ଚୟନ କରାଯାଇଥିବା ବେଳେ ଅଗଷ୍ଟ ୧୫ପୂର୍ବରୁ କାମ ସାରିବାକୁ କୁହାଯାଇଛି।

ପୂର୍ତ୍ତ ବିଭାଗକୁ ବିଜୁ ପଟ୍ଟନାୟକ ପାର୍କରେ କୋଭିଡ ଯୋଦ୍ଧା ସ୍ମାରକୀ ତିଆରି କରିବାର ଦାୟିତ୍ବ ଦିଆଯିବା ସହ ଏହାର ଡିଜାଇନ ପାଇଁ ବିଶିଷ୍ଟ ସ୍ଥପତିଙ୍କଠାରୁ ପରାମର୍ଶ ନେବାକୁ କୁହାଯାଇଛି। ବିଶିଷ୍ଟ ସ୍ଥପତିଙ୍କଠାରୁ ପରାମର୍ଶ ନେବା ପରେ ନିର୍ମାଣ ପାଇଁ କର୍ତ୍ତୃପକ୍ଷଙ୍କଠାରୁ ପୂର୍ତ୍ତ ବିଭାଗ ଅନୁମତି ନେବେ। କୋଭିଡ ଯୋଦ୍ଧା ସ୍ମାରକୀ ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେବ, ତାହା ପୂର୍ତ୍ତ ବିଭାଗର ବଜେଟରୁ ବ୍ୟୟବରାଦ କରାଯିବ। ଅଗଷ୍ଟ ୧୫ପୂର୍ବରୁ କାମ ସାରିବାକୁ ସରକାର କହିଥିବା ବେଳେ ଅଗଷ୍ଟ ୧୫ରେ ଏହାର ଉଦଘାଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।