ଭୁବନ: ଭୁବନ ସହରର ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ସହର ବାହାରେ ଥିବା ନୂତନ ଜନବସତି ଓ ସରକାରୀ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଥିବା ରାସ୍ତାରେ ଡ୍ରେନେଜ୍ ସୁବିଧା ନାହିଁ। ଫଳରେ ଅସରାଏ ବର୍ଷା ହେଲେ ତାହା ନିଷ୍କାସିତ ହୋଇପାରୁନାହିଁ। ବିଭିନ୍ନ ସ୍ଥାନରେ ଏଥିପାଇଁ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଭୁବନ ଏନ୍‌ଏସି କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ ସାମ୍ନାରେ ଥିବା ପଡ଼ିଆ ଏହାର ଏକ ଜ୍ବଳନ୍ତ ଉଦାହରଣ। ଏହାର ପାଖରେ ଷ୍ଟେଟ୍‌ ବ୍ୟାଙ୍କ, ଶାନ୍ତି ହସ୍ପିଟାଲ ଓ ମାଂସ ଦୋକାନ ରହିଛି। ଏଠାକୁ ଦୈନିକ ଶହ ଶହ ଲୋକଙ୍କ ଯାତାୟାତ ହୋଇଥାଏ। କିନ୍ତୁ ବର୍ଷା ପାଣି ନିଷ୍କାସିତ ନ ହେବା ଦ୍ବାରା ଦୀର୍ଘ ଦିନ ପର୍ଯ୍ୟନ୍ତ ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।

Advertisment

ଏ ସମ୍ପର୍କରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିବା ଲକ୍ଷ୍ମୀବଜାର ସଭାପତି କୁମାର ଦେବେଶ କହିଛନ୍ତି। ସେହିପରି ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା ହେଉ ନଥିବା ପୂର୍ବତନ ଉପନଗରପାଳ ହୃଦାନନ୍ଦ ମହାରଣା କହିଛନ୍ତି। ଅନ୍ୟପଟେ ଷ୍ଟେଟ୍‌ ବ୍ୟାଙ୍କ ସାମ୍ନାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରିବା ‌ଦେଖି ଦୁଃଖ ଲାଗୁଛି। ଏଥିପାଇଁ ଡ୍ରେନ୍‌ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବ୍ୟକ୍ତଗତ ଜମି ସମସ୍ୟା ଯୋଗୁଁ ତାହା ଅଟକି ରହିଥିବା ଏନ୍‌ଏସି ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା କହିଛନ୍ତି। ଏନେଇ ଆଲୋଚନା ଚାଲିଛି ଓ ସମାଧାନର ବାଟ ବାହାରିବ ବୋଲି ସେ ପ୍ରକାଶ କରିଛନ୍ତି।