୩୦ ସୁଦ୍ଧା ସରିବ ହକି ଷ୍ଟାଡିୟମ ନିର୍ମାଣ, କାର୍ଯ୍ୟ ଶେଷ ହେବାପରେ ଅଭ୍ୟାସ ମ୍ୟାଚ୍‌

ରାଉରକେଲା : ଚଳିତମାସ ୩୦ତାରିଖ ସୁଦ୍ଧା ହକି ରାଉରକେଲା ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ଶେଷହେବ। ଆସନ୍ତା ୨୦୨୩ ଜାନୁଆରି ୧୩ରେ ନୂଆ ଷ୍ଟାଡିୟମରେ ବିଶ୍ବକପ୍‌ ହକିର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ନିର୍ଦ୍ଧାରିତ ସମୟର ମାସକ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏଠାକୁ ଆସି ଷ୍ଟାଡିୟମ୍‌ କାର୍ଯ୍ୟ ସହିତ ବିମାନ ବନ୍ଦର ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲକ୍ରୀଷ୍ଣା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସମୀକ୍ଷା କାର୍ଯ୍ୟରେ ସାମିଲ୍‌ ହୋଇଥିଲେ।

ସଚିବସ୍ତରୀୟ ଟିମ୍ ପ୍ରଥମେ ରାଉରକେଲାରେ ବିପିୟୁଟି କ୍ୟାମ୍ପସ୍‌ରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଆସନ୍ତା ୩୦ ସୁଦ୍ଧା ଉଭୟ ହକି ଷ୍ଟାଡିୟମ ଓ ବିମାନ ବନ୍ଦରର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରଦେଇ ମୁଖ୍ୟ ଶାସନ ସଚିବ କହିଥିଲେ , ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅଭ୍ୟାସ ପଡ଼ିଆ ସହିତ ମୁଖ୍ୟ ଷ୍ଟାଡିୟମରେ ଟର୍ଫ ପଡ଼ିଯାଇଛି। ଦର୍ଶକ ଗ୍ୟାଲେରି ସହିତ ଖେଳାଳି ଏବଂ ଅଫିସିଆଲମାନଙ୍କ ପାଇଁ କରାଯାଉଥିବା ରହଣିସ୍ଥଳ (୨୨୫ ସ୍ବତନ୍ତ୍ର ଗୃହ)ର କାମ ମଧ୍ୟ ଖୁବ୍‌ଶୀଘ୍ର ଶେଷହେବାକୁ ଯାଉଛି। ଷ୍ଟାଡିୟମ କାମ ଶେଷ ହେବାପରେ ସେଠାରେ ଅଭ୍ୟାସ ମ୍ୟାଚ ଆୟୋଜନ କରାଯିବ।

ଖେଳାଳିଙ୍କ ରହଣି ପାଇଁ ୨୨୫ ସ୍ବତନ୍ତ୍ର ରୁମ୍‌
ପ୍ରଦୂଷଣ ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ କ୍ରୀଡ଼ା ସଚିବ

ସେହିଭଳି, ରାଉରକେଲା ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରି ଶ୍ରୀ ମହାପାତ୍ର କହିଥିଲେ , ୨୦୨୩ ଜାନୁଆରି ମାସ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରାଯିବ। ରାଉରକେଲାରେ ପ୍ରାୟ ୨୦ଟି ମ୍ୟାଚ ଖେଳାଯିବ। ତେଣୁ ଖେଳାଳିମାନଙ୍କ ଯାତାୟତ ସୁବିଧା ଲାଗି ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ଚାର୍ଟର ବିମାନ ଚଳାଚଳ କରିବ। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବିମାନ ବନ୍ଦରରୁ ରାଉରକେଲା ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ଉନ୍ନତୀକରଣ କରାଯାଉଛି। ସହରର ପ୍ରଦୂଷଣ ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବର୍ତ୍ତମାନ ରାଉରକେଲାରେ ନିର୍ମାଣାଧୀନ ଥିବା ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ସହରର ସୌନ୍ଦର୍ଯ୍ୟୀକରଣ ଆଦି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ସମ୍ବନ୍ଧିତ ଖବର