ନୂଆଗାଁ: ନୂଆଗାଁ ବ୍ଲକ୍‌ ଏନ୍‌ଏଚ୍‌-୫୭ ମୁଦୁରାଙ୍ଗଠାରୁ କୋଶଳାଙ୍ଗ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବା ଦେଖିବାକୁ ମିଳିଛି। ୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଠିକାସଂସ୍ଥାକୁ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିବା ବେଳେ ବର୍ତ୍ତମାନ ଏହାର ଅବଧି ଦେଢ଼ ବର୍ଷ ହେଲା ଶେଷ ହୋଇଯାଇଥିଲେ ସୁଦ୍ଧା ଠିକାସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଧିମାଗତିରେ ଚାଲିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ମୁତାବକ, ନୂଆଗାଁ ବ୍ଲକ୍‌ ଏନ୍‌ଏଚ୍‌–୫୭ ମୁଦୁରାଙ୍ଗଠାରୁ କୋଶଳାଙ୍ଗ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫.୯୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଯାହାକି ୨୦୨୨ ମସିହା ଏପ୍ରିଲ ମାସଠାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସରିବା କଥା। କିନ୍ତୁ ଇତିମଧ୍ୟରେ କାର୍ଯ୍ୟର ଅବଧି ଦେଢ ବର୍ଷ ହେଲା ଶେଷ ହୋଇ ସାରିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଠିକାଦାରଙ୍କ ଏଭଳି ମନମୁଖୀ କାର୍ଯ୍ୟରେ ଜନସାଧାରଣ ଅତିଷ୍ଠ ହେଉଥିବା ଜଣାପଡ଼ିଛି। ହେଲେ ଏହି ରାସ୍ତା ଅବଧି ଶେଷ ହେବା ପରେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବା ଦ୍ବାରା କେବଳ ନେତାମାନେ ଫଳକ ଲଗାଇ ବାହାବା ନେଉଥିବା ବେଳେ ନିର୍ମାଣ କାର୍ଯ୍ୟ ପ୍ରତି ଗୁରୁତ୍ବ ନଦେବା କିମ୍ବା ସେମାନଙ୍କ କଥାକୁ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥା ଗୁରୁତ୍ବ ଦେଉନଥିବା ଭଳି ମନେ ହେଉଛି।

ବର୍ଷାଦିନେ ଏହି ରାସ୍ତାରେ ଯିବାଆସିବା କରିବା ସମୟରେ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ ନହେବା ଦ୍ବାରା ସେମାନଙ୍କଠାରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାଠାରୁ ଆରମ୍ଭ କରି ବେପାରବଣିଜ ପର୍ଯ୍ୟନ୍ତ ସବୁଥିରେ ବାଧା ଉପୁଜୁଛି। ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ନିର୍ମାଣାଧୀନ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ ହଟି ନଥିବା ବେଳେ ତାହା ଆଗକୁ ସମସ୍ୟା ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।