ବରୁଣେଇରେ ପାଇକ ସ୍ମାରକୀ ନିର୍ମାଣ ପ୍ରସଙ୍ଗ : ଜମି ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ପାଇକ ପ୍ରତିନିଧି

ଭୁବନେଶ୍ବର : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବରୁଣେଇରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପାଇକ ସ୍ମୃତି ସ୍ମାରକୀର ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଉ ନ ଥିବାରୁ କାମ ଆରମ୍ଭ ହୋଇପାରୁ ନାହିଁ। ଏ ନେଇ ଆଜି ପାଇକ ପ୍ରତିନିଧିମାନେ ରାଜ୍ୟପାଳଙ୍କ ହସ୍ତ‌େକ୍ଷପ ଲୋଡ଼ିଛନ୍ତି। ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନଙ୍କ ନେତୃ୍ତ୍ବରେ ଏହି ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କୁ ଭେଟିଥିଲେ। ଶ୍ରୀ ହରିଚନ୍ଦନ କହିଛନ୍ତି, ପାଇକ ବିଦ୍ରୋହ ହେଉଛି ଆମ ଦେଶରେ ବ୍ରିଟିସ୍ ସରକାର ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ। ଏହାର ସ୍ମୃତି‌େର ‌େକନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଏହା ନିର୍ମାଣ ହେଲେ ଓଡ଼ିଆ ଜାତିର ବୀରତ୍ବର ଗାଥା ସାରା ବିଶ୍ବ ଦେଖିପାରନ୍ତା। ହେଲେ ରାଜ୍ୟ ସରକାର ଏଥି ପାଇଁ ଆବଶ୍ୟକ ଜମି ଯୋଗାଇ ଦେଉ ନାହାନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଗତ ମାର୍ଚ୍ଚ‌ ମାସରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେହିପରି ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜମି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଜମି ମିଳି ନାହିଁ। ଏହି ପ୍ରସଙ୍ଗରେ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବା ସହ ଜମି ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ହରିଚନ୍ଦନ ଅନୁରୋଧ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉପାସନା ମହାପାତ୍ର, ମୋହନ ସୁନ୍ଦର ବଳସିଂହରାୟ, ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ବଦ୍ରି ନାରାୟଣ ପଟ୍ଟନାୟକ ଓ ସୁରଥ ବିଶ୍ବାଳ ପ୍ରମୁଖ ସାମିଲ୍ ହୋଇଥିଲେ। ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଆବାହକତ୍ବରେ ଏକ ପାଇକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଦାବି ଜଣାଇବା ପାଇଁ ଚା‌ହୁଁଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏଥି ପାଇଁ ସମୟ ଦେଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର