ଜୟପୁର: ଜୟପୁର ବ୍ଲକର ପାତ୍ରପୁଟ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ ତଥା ଜୟପୁର- ମାଲାକାନଗିରି ବିଜୟୱାଡା ରାଂଚି କରିଡ଼ରରେ ଥିବା ବ୍ରିଟୀଶ ଅମଳର ବ୍ରିଜ୍ ପାର୍ଶ୍ବରେ ନିର୍ମାଣ ହେବ ହାଇଲେବଲ ବ୍ରିଜ୍। ୧୮.୭୧କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବା ପାଇଁ ବିଳାସପୁର ଅଂଚଳର ଏକ ଠିକାସଂସ୍ଥା ୨୦୨୩ମସିହା ଜାନୁଆରୀ ୬ରେ ଏନଏଚ ସହ ଚୁକ୍ତିନାମା କରିଥିଲା। ଏହାର କାମ ୨୦୨୫ମସିହା ଜାନୁଆରୀ ୩ତାରିଖ ସୁଦ୍ଧା କାମ ସାରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଚୁକ୍ତିନାମା ଆରମ୍ଭର ବର୍ଷକ ପରେ ଡିଜାଇନ୍ ଅନୁଯାୟୀ ଗାତ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛି। ଏହାରି ମଧ୍ୟରେ ୧୫ମାସ ସରିଯାଇଥିବା ବେଳେ ବଳକା ୯ମାସ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାମ ଠିକାସଂସ୍ଥା ଶେଷ କରି ପାରିବ କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।
ପ୍ରକାଶ ଯୋଗ୍ୟ, କୋଲାବ ନଦୀ ଉପରେ ବ୍ରିଟିଶ ଅମଳର ଲୁହା ବ୍ରିଜ୍ । ଦିନକୁ ଦିନ ଏହି ବ୍ରିଜ୍ ଉପର ଦେଇ ଶହ ଶହ ଭାରୀଯାନ, ବସ, ଟ୍ରକ, କାର ଆଦି କୋରାପୁଟ ଜିଲ୍ଲାର ଲମତାପୁଟ, ବୈପାରୀଗୁଡା ବ୍ଲକ ସହ ମାଲାକାନଗିରୀ ଜିଲ୍ଲା ସହ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତେଲେଙ୍ଗାନ୍ନାର ଭଦ୍ରାଚଳମ, ଖାମମ୍, ହାଇଦ୍ରାବାଦ ଆଦି ଯିବା ଆସିବା କରୁଛି। ବ୍ରୀଟିଶ ଅମଳର ଏହି ବ୍ରିଜର ଅବସ୍ଥା ଦିନକୁ ଦିନ ଖରାଫ ହେଉଥିବାରୁ ଏହାକୁ ସୁରକ୍ଷିତ ଭାବେ ରଖି ଏଠାରେ ନୂଆ ବ୍ରିଜ୍ ନିର୍ମାଣ କରିବାକୁ ବହୁ ବୁଦ୍ଧିଜୀବୀ ରାଜନୈତିକ ନେତୃବୃନ୍ଦ ବି ଦାବି କରିଥିଲେ ।
ଏନଏଚ ପକ୍ଷରୁ ମଧ୍ୟ ଏହି ପୁରୁଣା ବ୍ରିଜକୁ ନ ଭାଙ୍ଗି ନୂଆ ବ୍ରିଜ୍ ନିର୍ମାଣ ପାଇଁ ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ଜାତୀୟରାଜପଥ ମନ୍ତ୍ରଳାୟରେ ଦାଖଲ କରାଯାଇଥିଲା। କେନ୍ଦ୍ର ସରକାର କେବଳ ନୂଆ ବ୍ରିଜ୍ ନିର୍ମାଣ କରିବା ପାଇଁ ୨୧.୨୭ କୋଟି ଟଙ୍କାର ପ୍ରକଳ୍ପ କରିବା ପାଇଁ ଅନୁମୋଦନ ଦେଇଥିଲେ। ବିଳାସପୁରର ଏକ ଠିକାସଂସ୍ଥା ୧୮.୭୧କୋଟିରେ ଏହି କାମ ନେଇଥିଲା। ୨ବର୍ଷ ମଧ୍ୟରେ ନୂଆ ବ୍ରିଜ୍ ନିର୍ମାଣ କରିବା ଲକ୍ଷ୍ୟ ରହିଥିଲା। ମୁଖ୍ୟ ବ୍ରିଜ୍ ୧୪୦ମିଟର ଲମ୍ବ ଓ ୩୫ମିଟରର ଛୋଟ ବ୍ରିଜ୍ ସହ ଛୋଟିଆ କଲଭର୍ଟ ରଖାଯିବା ଡିଜାଇନରେ ରହିଛି। ଠିକା ସଂସ୍ଥା ଗଭୀର ନଳକୁପ ଖୋଳି ବ୍ରିଜ୍ ଗୁଡିକ ନିର୍ମାଣ କରିବା ଅଂଚଳରେ କଠିନ ପଥର (ହାର୍ଡ ରକ୍ ) ରହିଛି ନାଁ ନାହିଁ, ମୃତ୍ତିକାର ଦମ୍ କେତେ ପରିମାଣର ରହିଛି ଆଦିର ସର୍ଭେ କରିସାରିବା ପରେ ଗତ କିଛି ଦିନ ହେବ ଚୁପ ହୋଇଯାଇଥିଲେ। ଏହି ହାଇଲେବଲ ବ୍ରିଜର ଡିଜାଇନ୍ ଆସିବାରେ ବିଳମ୍ବ ହୋଇଥିଲା। ଡିଜାଇନ୍ ଆସିବା ପରେ ଗତ ମାସକ ହେବ କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଏନଏଚର କନିଷ୍ଠ ଯନ୍ତ୍ରୀ ଇଂ. ଗୌତମ ପ୍ରକାଶ ବିଶ୍ବାଳ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସାରିବାକୁ ଠିକା ସଂସ୍ଥାକୁ କୁହାଯାଇଛି ବୋଲି କହିଛନ୍ତି କନିଷ୍ଠଯନ୍ତ୍ରୀ ଇଂ.ବିଶ୍ବାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/jpr-patroput-highlevel-bridge-1-1.jpg)