ଧର୍ମଶାଳା, : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକା(ପଣ୍ତୁଆ) ଶିଳ୍ପାଞ୍ଚ‌ଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ବକେୟା ଅର୍ଥ ହାତେଇବାକୁ କଂକ୍ରିଟ୍ ଉପରେ ପିଚୁ ରାସ୍ତା ନିର୍ମାଣ ହୋଇଛି। ପୂର୍ବରୁ କାଠ ସ’ମିଲ୍ ହବ୍ ରାସ୍ତା କଂକ୍ରିଟ୍ ହୋଇଥିଲା। ପୁଣି ଏହି କଂକ୍ରିଟ୍ ରାସ୍ତାକୁ ପିଚୁ କରାଯାଇଛି। ପିଚୁ ହେଲା ପରେ ଏହାକୁ ଭଲ ଭାବେ ରୋଲିଂ କରାଯାଉ ନାହିଁ କିମ୍ବା ପିଚୁ ଉପରେ ବାଲି ପକାଯାଉନାହିଁ। ଫଳରେ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ପ୍ରକାଶ ଯେ, ଧର୍ମଶାଳା-କବାଟବନ୍ଧ ରାସ୍ତାକୁ ସଂଯୋଗ କରୁଥିବା ଜାରକା ଶିଳ୍ପାଞ୍ଚ‌ଳ ରାସ୍ତାକୁ ନବୀକରଣ କରିବାକୁ ଇଡ୍‌କୋ ପକ୍ଷରୁ ୧କୋଟି ୫୧ଲକ୍ଷ ୫୩ ହଜାର ୧୯୨ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୧ ଜୁନ୍ ୭ ତାରିଖରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉକ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୨ରେ ଏହି କାମ ସରି ଯାଇଥିଲା। ଅଳ୍ପ କାମ ପାଇଁ ବହୁ ପରିମାଣର ଅର୍ଥ ବ୍ୟୟବରାଦ ହୋଇଥିବାରୁ ଉକ୍ତ ରାସ୍ତାର ବିଲ୍ ପାସ୍‌ ହୋଇ ପାରିନଥିଲା। ବାଧ୍ୟ ହୋଇ ଠିକାଦାର ବିଲ୍ ଉଠାଇବା ପାଇଁ ବର୍ଷେ ପରେ ଭଲ କଂକ୍ରିଟ୍ ରାସ୍ତା ଉପରେ ପିଚୁ ବିଛାଇଥିବା ଦେଖିବାକୁ ମିଳିଛି।

ସେହିପରି ଗତବର୍ଷ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଇ ଅଳ୍ପ ଚଉଡ଼ାର ରାସ୍ତା ନିର୍ମାଣ କରାଯାଇଛି। ବିଦ୍ୟୁତ୍ ଖୁଣ୍ଟ ଥିବାରୁ ଡ୍ରେନ୍ ଓ ରାସ୍ତା ମଝିରେ ଥିବା ଅବଶିଷ୍ଟ ସ୍ଥାନକୁ ପିଚୁ କରାଯିବା ବଦଳରେ ଠିକାଦାର ମୋରମ୍ ପକାଇ କାମ ଚଳାଇ ଦେଇଥିଲେ। ଏଥିସହ ବେଆଇନ ଭାବେ କେତେକ ପ୍ରଭାବଶାଳୀ ଲୋକଙ୍କ ବ୍ୟକ୍ତିଗତ ସ୍ଥାନକୁ ସରକାରୀ ଅର୍ଥରେ ପିଚୁ ଓ କଂକ୍ରିଟ୍ କରାଯାଇଥିଲା। ବର୍ଷକ ପୂର୍ବରୁ ଶେଷ ହୋଇଥିବା ଏହି କାମ ପୁଣି ହେବା ଏବଂ କଂକ୍ରିଟ୍ ରାସ୍ତା ଉପରେ ପିଚୁ ବିଛା ହେଉଥିବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ଯାଜପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।