ପୁରୀ: ଶ୍ରୀକ୍ଷେତ୍ରରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି। ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯଜ୍ଞସ୍ଥଳକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ହୋଇଛି। ଏହା ପରେ ଶାସ୍ତ୍ରୀୟ ବନଜାଗ ବିଧିରେ ହୋମଯଜ୍ଞ ସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଛି। ଏହାସହ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବ୍ରାହ୍ମଣବରଣ ପରେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସହ ଅନ୍ୟ ପ୍ରମୁଖ ସେବକମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇଛନ୍ତି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ପବିତ୍ର କାର୍ଯ୍ୟକୁ ଦେଖିବାର ସୌଭାଗ୍ୟ ଅର୍ଜିଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଛି।
/sambad/media/post_attachments/wp-content/uploads/2023/04/dff1567c-f46f-4395-8d92-6f30a0d185aa.jpg)
ବିଧି ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଯଜ୍ଞଶାଳାରେ ତିନି ଧଉରା କାଠ ରଖାଯାଇ ଶାସ୍ତ୍ର ଅନୁସାରେ ବନଜାଗ ବିଧିରେ ହୋମଯଜ୍ଞ ହୋଇଥିଲା। ଦେଉଳ ପୁରୋହିତ, ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣମାନେ ମିଶି ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଥିଲେ। ବନଜାଗର ଇଷ୍ଟ ଦେବତା ଆଦି ନୃସିଂହଙ୍କୁ ଆରାଧନା କରାଯାଇ ନୃସିଂହଙ୍କ ମନ୍ତ୍ରରେ ଯଜ୍ଞ ଆହୁତି ଦିଆଯାଇଥିଲା। ସ୍ବତନ୍ତ୍ର ମଣି ବିମାନରେ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତୀମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସହ ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିରାଜମାନ କରିଥିଲେ।
ରଥ ସଂହିତା ଅନୁଯାୟୀ, ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥ ନିର୍ମାଣ କାମ ଆରମ୍ଭ ହେବ। ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ପରେ ବଡ଼ଦାଣ୍ଡରେ ରଥ ଗଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/863b9875-5576-4411-9fbe-84fa02fd347e.jpg)