ଓଡ଼ିଶା ସୀମାରେ ରାସ୍ତା ନିର୍ମାଣ କରୁଥିଲା ଆନ୍ଧ୍ର, ବନ୍ଦ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ 

ଓଡ଼ିଶାର ପାଲମତୁଲସୀ ଦେଇ ଆନ୍ଧ୍ରର ଗୋଲାଲେଙ୍କାକୁ ଯାଉଛି ରାସ୍ତା

ରାୟଗଡ଼ା: ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ୨ କିମି ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର କାମ ଚଲାଇଥିବା ବେଳେ ବନ୍ଦ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଦୁଇ ରାଜ୍ୟର ରାଜସ୍ବ ବିଭାଗ-ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ୍ ସରିବା ପରେ ଆନ୍ଧ୍ର ନିର୍ମାଣ କରୁଥିବା ରାସ୍ତାକୁ ରାୟଗଡ଼ା ବ୍ଲକ୍ ପ୍ରଶାସନ କରିବାକୁ ନିଷ୍ପତ୍ତି ନେଇଛି।

ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ଗୁମ୍ମାଲକ୍ଷ୍ମୀପୁରମ୍ ତହସିଲ ଗୋଇପାକାରୁ ଗୋଲାଲେଙ୍କା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ। ଉକ୍ତ ରାସ୍ତା ମଧ୍ୟରେ ରହିଛି ରାୟଗଡ଼ା ଜିଲ୍ଲା ଦୁର୍ଗାପାଡୁ ପଞ୍ଚାୟତର ପାଲମତୁଲସୀ ଗାଁ। ପାଲମତୁଲସୀ ଗାଁର ଚତୁପାର୍ଶ୍ବରେ ରହିଛି ଆନ୍ଧ୍ରର ବିଭିନ୍ନ ଗ୍ରାମ। ଗୋଇପାକାରୁ ଗୋଲାଲେଙ୍କା ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଓଡ଼ିଶାର ପାଲମତୁଲସୀ ଗାଁ ଦେଇ ଆନ୍ଧ୍ରବାସୀ ଯାତାୟାତ କରୁଛନ୍ତି। ଯାତାୟାତ ରାସ୍ତା ପକ୍କା ହୋଇନଥିବାରୁ ବର୍ଷା ଦିନ ସମେତ ଅନ୍ୟ ଦିନରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗୋଲାଲେଙ୍କା ଗ୍ରାମବାସୀଙ୍କ ନିବେଦନ ପରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କାମ ଆରମ୍ଭ କରିଛନ୍ତି।

ଆନ୍ଧ୍ର ଅଧୀନରେ ଥିବା ରାସ୍ତା ନିର୍ମାଣ ସରିଥିବା ବେଳେ ଓଡ଼ିଶା ସୀମାନ୍ତର ୨ କିମି ରାସ୍ତା ନିର୍ମାଣଧୀନ ଥିଲା। ଓଡ଼ିଶା ସରକାର, ରାୟଗଡ଼ା ଜିଲ୍ଲା ପ୍ରଶାସନ ଅଜାଣତରେ ଆନ୍ଧ୍ର ଉକ୍ତ ରାସ୍ତା କାମ କରୁଥିଲା। ମାଟି ରାସ୍ତା ନିର୍ମାଣ ଚାଲିଥିବା ସୂଚନା ପାଇ ରାୟଗଡ଼ା ବିଡିଓ ଲକ୍ଷ୍ମୀନାରାୟଣ ସାବତ, ତହସିଲଦାର ତାପସ ରାଉତ ପହଞ୍ଚି ରାସ୍ତା କାମ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଉଭୟ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଆଜି ସୀମା ପୁନଃ ନିର୍ଦ୍ଧାରଣ ହୋଇଛି। ଗୁମ୍ମାଲକ୍ଷ୍ମୀପୁରମ୍ ତହସିଲଦାର, ଆନ୍ଧ୍ର ବନ ବିଭାଗ ଅଧିକାରୀଙ୍କ ସମେତ ରାୟଗଡ଼ା ବିଡ଼ିଓ ଶ୍ରୀ ସାବତ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଜୟ ପ୍ରକାଶ ଭଟ୍ଟରାୟ, ତହସିଲଦାର ଶ୍ରୀ ରାଉତ, ରାଜସ୍ବ ସୁପରଭାଇଜର ଟି. ମଲ୍ଲିକାର୍ଜୁନ୍, ରାଜସ୍ବ ନୀରିକ୍ଷକ ଅଶ୍ବିନୀ ପଣ୍ଡା, ଅମିନ୍ ହରିଶ୍ଚନ୍ଦ୍ର ଶବର ସୀମା ମାପଚୁପ୍ କରିଥିଲେ।

ଆନ୍ଧ୍ର ନିର୍ମାଣ କରୁଥିବା ୨ କିମି ରାସ୍ତା ରାୟଗଡ଼ା ତହସିଲ କାରୁବାଇ ରାଜସ୍ବ ସର୍କଲ ଅଧୀନରେ ଥିବା ସ୍ପଷ୍ଟ ହେବା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଡିଓ କହିଛନ୍ତି। ରାୟଗଡ଼ା ପ୍ରଶାସନର ନିର୍ଦ୍ଦେଶରେ ଆନ୍ଧ୍ର ରାସ୍ତା ନିର୍ମାଣ କାମ ବନ୍ଦ କରିଛି। ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଉଥିଲେ ମଧ୍ୟ ବିଳମ୍ବରେ ଅବଗତ ହେଉଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଜିଲ୍ଲାର ରାୟଗଡ଼ା ସମେତ ରାମନାଗୁଡ଼ା, ଗୁଣପୁର ବ୍ଲକ୍ ସୀମାନ୍ତ ଆନ୍ଧ୍ରକୁ ଲାଗିଥିବାରୁ ବହୁ ଗ୍ରାମବାସୀଙ୍କ ପ୍ରଭାବିତ କରିବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର। ୨୦୨୧ରେ ରାୟଗଡ଼ା ବ୍ଲକର ସାନଲୁକୁଟି ଗାଁରେ ଆନ୍ଧ୍ର ନିର୍ମାଣ କରିଥିଲା ପୋଲ। ପୋଲ କାମ ଅଧା ସରିବା ପରେ ଜିଲ୍ଲା ପ୍ରଶାସନ ଜାଣି କାମକୁ ବନ୍ଦ ରଖିଥିଲା। ଓଡ଼ିଶାର ସାନଲୁକୁଟି ଦେଇ ଆନ୍ଧ୍ରର ବୀରପାଡୁ ଗାଁକୁ ସଂଯୋଗ ହୋଇଥିବା ରାସ୍ତାରେ ଏହି ପୋଲ ଥିବାରୁ ଆନ୍ଧ୍ର ନିର୍ମାଣ କରୁଥିଲା। ପରବର୍ତ୍ତୀ ସମୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଆନ୍ଧ୍ର ନିର୍ମାଣ କରିଥିବା ପୋଲ କାମକୁ ଓଡ଼ିଶା ଶେଷ କରିଥିଲା। ଏହି ପୋଲ ଦ୍ବାରା ଉଭୟ ଆନ୍ଧ୍ର ଓ ଓଡ଼ିଶାବାସୀ ଉପକୃତ ହେଉଛନ୍ତି।

 

ସମ୍ବନ୍ଧିତ ଖବର