ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତ ବଡ଼ରୁଖା ମୌଜାରେ ଥିବା ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ଇଟା କାରଖାନାକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ହୋଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ଅନୁଦାନ ଅର୍ଥରେ ୮ଲକ୍ଷ ୫୯ହଜାର ୨୮୦ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତା ନିର୍ମାଣ ହୋଇଥିବା ସୂଚନା ଅଧିକାରରୁ ଜଣାପଡ଼ିବା ପରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଲୋକାୟୁକ୍ତ ଏଲୱାଇ–୮୬/୨୦୨୩ରେ ଏକ ମାମଲା ରୁଜୁ କରିବା ସହିତ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବଳବନ୍ତରାୟ, ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିପିଟିଏ ରତ୍ନାକର ସାହୁ ଓ ତହସିଲଦାରଙ୍କୁ ୪ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିଦେର୍ଶ ଦେଇଛନ୍ତି। ଆସନ୍ତା ୧୦ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ବଡ଼ରୁଖା ମୌଜାରେ ଥିବା ସରକାରୀ ଜମିକୁ ୨୦୦୫ରୁ ଲିଜ୍‌ରେ ନିଆଯାଇ ଏକ ଇଟା କାରଖାନା କରାଯାଇଛି। ଶ୍ରୀ ବଳବନ୍ତରାୟ କ୍ଷମତା ଅପବ୍ୟବହାର କରି ଜନବସତି ନଥିବା ଅଞ୍ଚଳରେ ପିଚୁରାସ୍ତା ପାଇଁ ସରକାରୀ ତହବିଲରୁ ୮ଲକ୍ଷ ୫୯ହଜାର ୨୮୦ଟଙ୍କା ଖର୍ଚ୍ଚ ହୋଇଥିବା ଶ୍ରୀ ବେହୁରା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସେହିପରି ସୁନ୍ଦୁରିଆ କନିଷ୍ଠ ଯନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଭଲ ଥିଲେଲେ ମଧ୍ୟ ଦେହ ଖରାପ ହୋଇଥିବା ଦର୍ଶାଇ ଗଙ୍ଗାଧରପୁର ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତୀ ଗଡ଼ନାୟକଙ୍କ ନାଁରେ ରାସ୍ତାର କାର୍ଯ୍ୟାଦେଶ ରହିଛି। ପୂର୍ବରୁ ଇମାମନଗର ଗାଁ ମନରେଗା ଦୁର୍ନୀତି ଅଭିଯୋଗରେ ଇଂ ଗଡ଼ନାୟକଙ୍କ ନାମରେ ଏଲୱାଇ–୧୧୫/୨୦୨୨ନମ୍ବରରେ ଭିଜିଲାନ୍ସ ମାମଲା ବିଚରାଧୀନ ରହିଛି। ତରଞ୍ଜିଆ ନୂଆ ପୋଖରୀ ଦୁର୍ନୀତି ଠାରୁ ଆରମ୍ଭ କରି ମନରେଗା, ରାସନ, ଆବାସ ଘୋଟାଲା ପରେ ଏବେ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ କ୍ଷମତା ଦୂରୁପଯୋଗ ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଚାଷୀ ଓ ଅଞ୍ଚଳବାସୀ ନିମନ୍ତେ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି କରାଯାଉଥିବା ଶ୍ରୀ ବଳବନ୍ତରାୟ କହିଛନ୍ତି।