ଅନୁଗୁଳ/ସମ୍ବଲପୁର : ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍ଷ୍ଟ୍ରକସନ୍ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା। ଏବେ ସବ୍-କଣ୍ଟ୍ରାକ୍ଟ୍ ଜରିଆରେ ଅନ୍ୟ ଠିକା ସଂସ୍ଥା ଦ୍ବାରା କାମ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପଟେ ଏହି ରାସ୍ତା କାମ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି।
ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଛି। ଏହି କଟକ-ସମ୍ବଲପୁର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ଶିଳାନ୍ୟାସ ୨୦୧୮ରେ କରାଯାଇଥିଲା। ୨୦୨୦ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ରାସ୍ତା ପ୍ରଶସ୍ତୀକରଣ ଶେଷ ହୋଇନି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନିର୍ମାଣ କାମ ଏ ପର୍ଯ୍ୟନ୍ତ ଅଧାଅଧି ବି ହୋଇନି। ବିଭିନ୍ନ କାରଣ ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଥିଲାବେଳେ କାମ କରୁଥିବା ଠିକାସଂସ୍ଥା ଦେବାଳିଆ ହେବାରୁ କାମ ଅଧିକ ବିଳମ୍ବିତ ହୋଇଛି। ଏପରିକି ପାଖାପାଖି ବର୍ଷେ ହେବ କାମ ଏକପ୍ରକାର ଠପ୍ ହୋଇଯାଇଛି। ତେଣୁ ଜାତୀୟ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏହି କାମ ପାଇଁ ସବ୍ କଣ୍ଟ୍ରାକ୍ଟ୍ କରିଥିବା ସୂଚନା ମିଳିଛି।
କଟକ-ଅନୁଗୁଳ ରାସ୍ତା କାମ ପୁଣି ଆରମ୍ଭ
ସୂଚନା ଅନୁସାରେ, ମେସର୍ସ ଏମ୍ଏସ୍ ଇନଫ୍ରାଇଞ୍ଜିନିୟରିଂ ନାମକ ସଂସ୍ଥା କଟକ-ଅନୁଗୁଳ ପ୍ୟାକେଜ-୧ କାମ ନେଇଥିଲାବେଳେ ଏ ଭିତରେ କାମ ପୁଣିଥରେ ଆରମ୍ଭ ହୋଇଛି। ସେହିପରି କଟକ-ଅନୁଗୁଳ ପ୍ୟାକେଜ-୨ର ପ୍ରଶସ୍ତୀକରଣ କାମ ଗାୟତ୍ରୀ ସଂସ୍ଥା କରିବା ନେଇ ଅକ୍ଷମତା ପ୍ରକାଶ କରିଛି। ତେଣୁ ଏହି କାମର ସବ-କଣ୍ଟ୍ରାକ୍ଟ ଦେବାପାଇଁ ପ୍ରକ୍ରିୟା ଚାଲିଛି। ତଥାପି ଢେଙ୍କାନାଳ-ଅନୁଗୁଳ ରାସ୍ତାର ମରାମତି କାର୍ଯ୍ୟ ଏନ୍ଏଚ୍ଏଆଇ ଦ୍ବାରା କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ୫.୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲାବେଳେ ଏ ଭିତରେ କାମ ଆରମ୍ଭ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ସେହିପରି ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ଅନ୍ତର୍ଗତ ବଅଁରପାଳ-ପଞ୍ଚମହଲା ରାସ୍ତାର ମରାମତି କାର୍ଯ୍ୟ ଗତ ୧୨ ତାରିଖରୁ ଚାଲିଛି। ଜୁନ୍ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ, ଜାତୀୟ ରାଜପଥ ନିର୍ମାଣ ଠିକା ନେଇଥିବା ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍ ନିର୍ମାଣ କାମ ଆରମ୍ଭ କରିବାକୁ ପୁଣି ୧୫ ଦିନ ସମୟ ମାଗିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ଏନେଇ କିଛି ନିଷ୍ପତ୍ତି ନେଇନଥିବା ବେଳେ ରାଜପଥ ନିର୍ମାଣ କାମ ନେଇ ଅନିଶ୍ଚିତତା ଜାରି ରହିଛି।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ), ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓ କହିଛନ୍ତି, ଗତ ୨୫ ତାରିଖ ଦିନ ଗାୟତ୍ରୀ ପ୍ରୋଜେକ୍ଟକୁ ୧୫ ଦିନ ମଧ୍ୟରେ କାମ ଆରମ୍ଭ ନକଲେ ଅନ୍ୟ ସଂସ୍ଥାକୁ ଠିକାକାମ ଦିଆଯିବ ବୋଲି ନୋଟିସ୍ ଦିଆଯାଇଥିଲା। ଏହି ନୋଟିସ୍ ପାଇବା ପରେ ଗାୟତ୍ରୀ ପ୍ରୋଜେକ୍ଟସ୍ ଏହାର ଉତ୍ତର ରଖିଛି। କୋଭିଡ୍ ଯୋଗୁ ପାଣ୍ଠି ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା କାମ ଆରମ୍ଭ କରିବା ପାଇଁ ଏବେ ଅର୍ଥଭାବ ରହିଛି। ପାଣ୍ଠି ଯୋଗାଡ଼ ପାଇଁ ଚେଷ୍ଟା ଚାଲିଛି। ତେଣୁ, ଆହୁରି ୧୫ ଦିନ ସମୟ ଦିଆଯିବାକୁ ଗାୟତ୍ରୀ ନିବେଦନ କରିଛି। ଏଥିସହିତ ଆସନ୍ତାକାଲି ଠାରୁ ରେଢ଼ାଖୋଲ ଅଂଚଳରେ ରାସ୍ତା ମରାମତି କାମ ଆରମ୍ଭ କରିବ। ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍କୁ ଆହୁରି ସମୟ ଦିଆଯିବ ନା ଅନ୍ୟ କୌଣସି ସଂସ୍ଥାକୁ ଠିକା କାମ ଦିଆଯିବ, ତାହା ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ରାଓ କହିଛନ୍ତି।