ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏର ଚିଠି
କହିଲେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ୧୦ ମିଟର ଭିତରେ ରଖିବାକୁ ଅନୁମତି ମାଗ
ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥାକୁ ପୁଣିଥରେ ଝଟ୍କା ଲାଗିଛି। ନିର୍ମାଣ ହେବାକୁ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଆସୁନଥିବାରୁ ଏହିପାଇଁ ସ୍ବତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏ ଚିଠି ଲେଖିଥିଲା। ଏହାସତ୍ତ୍ବେ ନିର୍ମାଣ କାର୍ଯ୍ୟ ଅଟକିନି। ମୂଳଦୁଆ ପଡ଼ିବା ପରେ ଏବେ ପିଲାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଭଳି ସ୍ଥିତିରେ ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନକୁ ଏନ୍ଏମ୍ଏ ଚିଠି କରି ତାଗିଦ୍ କରିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟର ତୁରନ୍ତ ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ କହିଛି। ସେପଟେ ଅନୁମତି ନ ମିଳି ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ପାଇଁ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିୟନ୍ତ୍ରିତ ଅଞ୍ଚଳର ଉତ୍ତର-ପୂର୍ବଦ୍ବାର କୋଣରେ ୪୧୨.୯୦୦ ବର୍ଗମିଟର ଜାଗାରେ ୧୪.୧୫୦ ମିଟର ଉଚ୍ଚତା ବିଶିଷ୍ଟ ତିନି ମହଲାର ଏହି ପ୍ରଶାସନିକ କୋଠା ନିର୍ମାଣ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏନ୍ଏମ୍ଏ ଏଥିରେ ଆପତ୍ତି ଉଠାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ଗତ ସେପ୍ଟେମ୍ବରରୁ ଏନ୍ଏମ୍ଏର ଯେଉଁ ଏନ୍ଓସି ଦେଖାଇ ଆସୁଛନ୍ତି, ସେଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିନ୍ନ ଏକ ପ୍ରକଳ୍ପ। ଏହାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ନ ରଖି ଭିନ୍ନ ଭାବେ ଆବେଦନ କର। ଏହାକୁ ନିୟନ୍ତ୍ରିତ(ରେଗୁଲେଟେଡ୍) ଅଞ୍ଚଳରେ ନିର୍ମାଣ ପାଇଁ ଅନୁମତି ମାଗ। ଅଧିକ ଉଚ୍ଚର କୋଠା ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରି ଲୁଚିଯିବ, ଏଣୁ ପ୍ରଶାସନିକ କୋଠାର ଉଚ୍ଚତା ୧୦ ମିଟର ଭିତରେ ରଖିବାକୁ ବି ଏନ୍ଏମ୍ଏ କହିଥିଲା। କିନ୍ତୁ ଏହି କୋଠା ନିର୍ମାଣ ପାଇଁ କୌଣସି ଅନୁମତି ନ ପାଇ ଶ୍ରୀମନ୍ଦିର ନୂଆ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି।
ପୂର୍ବରୁ ବାଲି ଖୋଳିଥିବା ଗାତ ପୋତିବାର ବାହାନା କରୁଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଏବେ ପିଲାର କାମ ସାରି ଛାତ ପକାଇବାକୁ ଯୋଜନା କରୁଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳରେ ଯେଉଁ କାମ ଚାଲିଛି, ତାହା ବେଆଇନ୍ ଓ ତାହା ଶ୍ରୀମନ୍ଦିରର ଐତିହ୍ୟ କୀର୍ତ୍ତିରାଜି ଉପରେ ପ୍ରଭାବ ପକାଇବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ଜଣାଇବା ପରେ ଏହି ନିର୍ମାଣ କାମ ଜାରି ରହିଥିବାରୁ ବିବାଦ ବଢ଼ୁଛି। ଭକ୍ତ, ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମହଲରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ବେଆଇନ୍ କାମ ସମ୍ପର୍କରେ ଅବଗତ ହେବା ସହ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ଘଟଣାସ୍ଥଳ ପରିଦର୍ଶନ ପରେ ଏହି କାମକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଗତ ୧ ତାରିଖରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଓବିସିସିକୁ ଚିଠି କରାଯାଇଛି। ତଥାପି ଯଦି ନିର୍ମାଣ କାର୍ଯ୍ୟ ବନ୍ଦ ନ ହୁଏ, ଆମେ ଆଇନର ଆଶ୍ରୟ ନେବୁ। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଅପରପକ୍ଷେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପେଦଷ୍ଟା କମିଟିର ନିଷ୍ପତ୍ତି ପରେ ବିବାଦ ବଢ଼ିଛି। ଯେଉଁ ସ୍ଥାନରେ ଏହି କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଛି, ସେଠି ଜମି ଅଧିଗ୍ରହଣର ଆବଶ୍ୟକତା ଥିବାବେଳେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି। ଯଦି ଅଭ୍ୟର୍ଥନା କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ହେବ, ତେବେ କେବଳ ପୂର୍ବ-ଦକ୍ଷିଣ କୋଣରୁ ନୁହେଁ, ଚତୁଃପାର୍ଶ୍ବରୁ ଅଧିଗ୍ରହଣ ହେଉ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅପରପକ୍ଷେ କେତେକ ସେବାୟତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଉ ଜମି ଦିଆଯିବ ନାହିଁ ବୋଲି କହିବା ପରେ ଏହି ବିବାଦ ଏବେ ବଢ଼ିବାରେ ଲାଗିଛି।