ଲାଗି ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ସୁନା କୁରାଢ଼ିରେ ରଥକାଠ ଛେଦନ
ଶାଢ଼ୀ ବନ୍ଧାଇଲେ ବିଶ୍ବକର୍ମାଙ୍କ ସହ ଅନ୍ୟ ପ୍ରମୁଖ ସେବକ

Advertisment

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଘୋଷଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯଜ୍ଞସ୍ଥଳକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ପରେ ଶାସ୍ତ୍ରୀୟ ବନଜାଗ ବିଧିରେ ହୋମଯଜ୍ଞ ସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଛି। ଏହାସହ ଆଜିଠାରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ରାହ୍ମଣବରଣ ପରେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସହ ଅନ୍ୟ ପ୍ରମୁଖ ସେବକମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇଛନ୍ତି। ସେପଟେ କୋଭିଡ୍‌ କଟକଣା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ବେଳେ ଦୁଇବର୍ଷ ଧରି ଯେଉଁ ବଡ଼ଦାଣ୍ଡ ଜନଶୂନ୍ୟ ଥିଲା, ମଙ୍ଗଳବାରଠାରୁ ତାହା ଗହଳଚହଳ ହୋଇଉଠିଛି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ପବିତ୍ର କାର୍ଯ୍ୟକୁ ପୁଣିଥରେ ଦେଖିବାର ସୌଭାଗ୍ୟ ଅର୍ଜିଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ‌ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଛି।

ବିଧି ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଯଜ୍ଞଶାଳାରେ ତିନି ଧଉରା କାଠ ରଖାଯାଇ ଶାସ୍ତ୍ର ଅନୁସାରେ ବନଜାଗ ବିଧିରେ ହୋମଯଜ୍ଞ ହୋଇଥିଲା। ଦେଉଳ ପୁରୋହିତ, ରାଜଗୁରୁ, ଶ୍ରୋତ୍ରିୟ ବ୍ରାହ୍ମଣମାନେ ମିଶି ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଥିଲେ। ବନଜାଗର ଇଷ୍ଟ ଦେବତା ଆଦି ନୃସିଂହଙ୍କୁ ଆରାଧନା କରାଯାଇ ନୃସିଂହଙ୍କ ମନ୍ତ୍ରରେ ଯଜ୍ଞ ଆହୁତି ଦିଆଯାଇଥିଲା। ସ୍ବତନ୍ତ୍ର ମଣି ବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସହ ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିରାଜମାନ କରିଥିଲେ। ଅପରାହ୍ଣ ପ୍ରାୟ ୩ଟା ୨୫ରେ ଦ୍ବାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ପରେ ୩ଟା ୩୫ରେ ତିନି ବାଡ଼ର ପୂଜାପଣ୍ଡା ସେବକମାନେ ତିନି ରଥର ଆଜ୍ଞାମାଳ ଶ୍ରୀମନ୍ଦିରରୁ ଯଜ୍ଞସ୍ଥଳକୁ ବିଜେ କରିଥିଲେ। ପରେ ପୂର୍ବରୁ ଯଜ୍ଞସ୍ଥରେ ରଖାଯାଇଥିବା ତିନି ରଥର କାଠରେ ଖଣ୍ଡୁଆ ସହ ତିନି ଆଜ୍ଞାମାଳ ଲାଗି କରାଯାଇଥିଲା। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ସୁନାର ତିନୋଟି ଛୋଟ କୁରାଢ଼ି ପ୍ରଥମେ ଦେଉଳ ପୁରୋହିତ ରଥଖଳରେ ଥିବା ତିନି ଧଉରା କାଠରେ ଚୋଟ ମାରି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ପରେ ତିନି ରଥର ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେହି ଅନୁଯାୟୀ ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ରଥ ସଂହିତା ଅନୁଯାୟୀ ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ। ଏହାପରେ ଭଉଁରୀରେ ଚକଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ।