ଦଶପଲ୍ଲା : ମନ୍ଥର ଗତିରେ ଚାଲିଛି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ। ଠିକାସଂସ୍ଥାର ମନମାନୀ ସାଙ୍ଗକୁ ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛି ଜମି ଅଧିଗ୍ରହଣ ଓ ବିଦ୍ୟୁତ୍ ସ୍ଥାନାନ୍ତରଣ କାର୍ଯ୍ୟ। ଫଳରେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
୨୮୯ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ନିର୍ମାଣ ଉପରେ ନଜର ପକାଇଲେ ପ୍ରଥମ ପର୍ଯ୍ୟାୟରେ ଏହା ନୟାଗଡ଼ ଓ ପରେ ନୟାଗଡ଼ଠାରୁ ମହିପୁର ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇଛି। ଏହାମଧ୍ୟରେ ମହିପୁରଠାରୁ ନୂଆଗାଁ ପର୍ଯ୍ୟନ୍ତ ରେଳ ଲାଇନ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରବର୍ତ୍ତୀ ସମୟରେ ତ୍ବରିତ ବେଗରେ ଦଶପଲ୍ଲା ପର୍ଯ୍ୟନ୍ତ ଶେଷ ନିର୍ମାଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସୋରଡ଼ାଠାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହିତ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁମତି ମିଳି ପାରୁନଥିବା ହେତୁ ୫ଟି ସ୍ଥାନରେ ସେତୁ ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ। ଏପରିକି ପ୍ରାୟ ୨୦ଟି ସ୍ଥାନରେ ବିଦ୍ୟୁତ୍ ତାର ପରିବର୍ତ୍ତନ ହୋଇ ପାରୁନଥିବା ହେତୁ ନିର୍ମାଣ କାର୍ଯ୍ୟରେ ବାଧକ ସୃଷ୍ଟି ହେଉଛି। ଏହି ରେଳପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ପାଇଁ ସେଭଳି ଗୁରୁତ୍ବ ଦିଆଯାଉନଥିବା ଦେଖିବାକୁ ମିଳିଛି। ପ୍ରଥମେ ଜୁନ୍ ୨୦୨୧ରେ ଦଶପଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଜୁନ୍ ୨୦୨୨କୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/khor.jpg)