ଶ୍ରୀମନ୍ଦିରର ନୂଆ ଦ୍ବାର ନିର୍ମାଣ ଆରମ୍ଭ

ନିର୍ମାଣ ଶେଷ ପରେ ଲାଗିବ ଦୁଇଟନ୍‌ର ରୁପା ଚାଦର
କାମ ଅନୁଧ୍ୟାନ ପାଇଁ ଗଠନ ହେଲା ଦୁଇ କମିଟି
ଡିଜାଇନ୍‌ ଉପରେ ମୋହର
ପ୍ରତ୍ନତତ୍ତ୍ବ ବିଭାଗରୁ ମଗାଯିବ ଅନୁମତି

ପୁରୀ : ଶ୍ରୀମନ୍ଦିରର ଆଠଟି ଦ୍ବାରରେ ରୁପା ଚାଦର ଲାଗିବ। ଏଥିପୂର୍ବରୁ ଆଠଟି ଯାକ ଦ୍ବାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମୁମ୍ବାଇରୁ ଆସିଥିବା ୬ଜଣିଆ କାରିଗର ଦଳ ସ୍ବତନ୍ତ୍ର ବର୍ମା ଟିକ୍‌(ଶାଗୁଆନ)ରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାୟ ୧୩୦ଟି ବର୍ମା ଟିକ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆଜି ଏ ଉପରେ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଥିବାବେଳେ ସମସ୍ତ ଦ୍ବାରର ଡିଜାଇନ୍‌କୁ ବୈଠକରେ ମଞ୍ଜୁରି ମିଳିଛି। ଉପସ୍ଥିତ ସେବାୟତ ଡିଜାଇନ୍‌ରେ ଏକମତ ହୋଇଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ପରେ ପ୍ରତ୍ନତତ୍ତ୍ବ ବିଭାଗର ଅନୁମତିକ୍ରମେ ସବୁ ନୂଆ ଦ୍ବାର ଲାଗିବା ସହ ଏହା ଉପରେ ଦୁଇଟନ୍‌ର ରୁପା ଚାଦର ଡିଜାଇନ୍‌ ହୋଇ ଲାଗିବ। କାମ ଶେଷ ପର୍ଯ୍ୟନ୍ତ ସବୁର ଟିକିନିଖି ଅନୁଧ୍ୟାନ ପାଇଁ ଦୁଇଟି କମିଟି ବି ଗଠନ କରାଯାଇଛି। ଆଜି ଏ ଉପରେ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ, ବିଭିନ୍ନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରର ୮ଟି ଯାକ ଦ୍ବାର କେବେ ନିର୍ମାଣ ଶେଷ ହେବ, କେବେ‌ ରୁପା ଚାଦର ଲାଗିବ, ସବୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ପରେ ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି ଯେ ସବୁ କାମର ଅନୁଧ୍ୟାନ ପାଇଁ ଦୁଇଟି କମିଟି ଗଠନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଟେକ୍ନିକାଲ୍‌ ଓ ଅନ୍ୟଟି ନନ୍‌ଟେକ୍ନିକାଲ୍‌ କମିଟି। ଟେକ୍ନିକାଲ୍‌ କମିଟିରେ ପ୍ରତ୍ନତତ୍ତ୍ବ ବିଭାଗର ପୂର୍ବତନ ଅଧିକାରୀଙ୍କ ସମେତ ନିର୍ମାଣ ବିଭାଗର ଯନ୍ତ୍ରୀ ଓ ଅନ୍ୟ କିଛି ଜଣାଶୁଣା ଯନ୍ତ୍ରୀ ରହିବେ। ୪ରୁ ୫ଜଣ ଯନ୍ତ୍ରୀଙ୍କୁ ନେଇ ଏହି କମିଟି ଗଠନ କରାଯିବ। ଏହି କମିଟି ପୂରା କାମର ଅନୁଧ୍ୟାନ କରି କେଉଁ ତ୍ରୁଟି ରହିଛି, ସେ ସଂପର୍କରେ ଅବଗତ କରିବ। ସେହି ଅନୁସାରେ କାମ ଆଗେଇବ। ନନ୍‌ଟେକ୍ନିକାଲ୍‌ କମିଟିରେ ବରିଷ୍ଠ ସେବାୟତମାନେ ରହିବେ। ୭ରୁ ୮ଜଣ ସେବାୟତଙ୍କୁ ନେଇ ଏହି କମିଟି ଗଠନ କରାଯିବ। ଏହି କମିଟି ବି କାମର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ। କେଉଁଠି କିଛି ପରିବର୍ତ୍ତନ ଆବଶ୍ୟକ ଥିଲେ, ସେ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବ। କଳାହାଟ ଦ୍ବାରରେ ଆଗରୁ ରୁପା ଛାଉଣୀ ରହିଥିବାରୁ ଏହି ଦ୍ବାରର ଡିଜାଇନ୍‌ ସମ୍ପୂର୍ଣ୍ଣ ଭିନ୍ନ ରହିବ। କମ୍‌ ଡିଜାଇନ୍‌ ରହିବ। ଦ୍ବାରରେ ୬ଟି ପ୍ୟାନେଲ୍‌ ହେବ। ଦୁଇଟି କବାଟ ବିଶିଷ୍ଟ ଏହି ଦ୍ବାରର ଗୋଟିଏ ପାର୍ଶ୍ବରେ ୩ଟି ‌ଲେଖାଏଁ ପ୍ୟାନେଲ୍‌ ରହିବ ବୋଲି ଡ. କୁମାର କହିଛନ୍ତି।

ସୂଚନା‌ଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିରରେ ଥିବା ଜୟ-ବିଜୟ ଦ୍ବାର, କଳାହାଟ ଦ୍ବାର, ବେହେରଣ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ଦ୍ବାର, ମହାଲକ୍ଷ୍ମୀ ମନ୍ଦିର ଦ୍ବାର, ମା’ ବିମଳା ମନ୍ଦିର ଦ୍ବାର ସମେତ ୮ଟି ଦ୍ବାରରେ ରୁପା ଛାଉଣୀ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଜଣେ ଭକ୍ତ ଏ ବାବଦକୁ ପ୍ରାୟ ୨୩୫୦ କେଜି ରୁପା ଦାନ ସୂତ୍ରରେ ଦେଉଛନ୍ତି। ସେପଟେ ଏହି ଦ୍ବାର ସବୁ ପୁରୁଣା ହୋଇଯାଇଥିବାରୁ ନୂଆ କାଠରେ ନିର୍ମାଣ ଚାଲିଛି। ଏଥିପାଇଁ ଦାତା ସ୍ବତନ୍ତ୍ର ବର୍ମା ଟିକ୍‌ ଯୋଗାଇ ଦେଇଛନ୍ତି। କାରିଗର ଖର୍ଚ୍ଚ ବି ନିଜେ ଦାତା ବହନ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କେବଳ କାରିଗରଙ୍କ ରହିବା ବ୍ୟବସ୍ଥା ଓ ନିର୍ମାଣ ସ୍ଥାନ ଯୋଗାଇ ଦେବା ସହିତ କାମର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରୁଛି। ମୁମ୍ବାଇରୁ ଆସିଥିବା ୬ଜଣିଆ କାରିଗର ନୀଳାଦ୍ରି ଭକ୍ତ ନିବାସରେ ରହି ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି।

ସମ୍ବନ୍ଧିତ ଖବର