ମହମରେ କ୍ଷୁଦ୍ରତମ ବୁଦ୍ଧମୂର୍ତ୍ତି ନିର୍ମାଣ

ଏକ୍ସକ୍ଲୁସିଭ୍ ୱାର୍ଲଡ ରେକର୍ଡସ୍‌ରେ ଯାଜପୁରର ରାକେଶ

ଯାଜପୁରସଦର : ଜବକାଚ ବ୍ୟବହାର ଦ୍ବାରା ହୋଇଛି ମୂର୍ତ୍ତି ନିର୍ମାଣ। ଏତେ ଛୋଟମୂର୍ତ୍ତି ଯେ ଯାହା ଖାଲି ଆଖି‌ରେ ରୂପଦେବା ସମ୍ଭବ ନୁହେଁ। ମହମରେ ଏପରି ୩.୫ ସେ.ମି. ଉଚ୍ଚତାର ମୂର୍ତ୍ତି ତିଆରି କରି ଏକ୍ସକ୍ଲୁସିଭ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି ଯାଜପୁରର ଯୁବଶିଳ୍ପୀ ରାକେଶ। ଯାଜପୁର ବ୍ଲକ୍ ନାଥସାହି ପଞ୍ଚାୟତ ତଥା ନାଥସାହି ଗ୍ରାମର ଚକ୍ରଧର ପାତ୍ରଙ୍କ ପୁଅ ରାକେଶ କୁମାର ପାତ୍ର(୨୫)। ପିଲାଟି ଦିନରୁ ଚିତ୍ରକଳାକୁ ଭଲ ପାଉଥିବା ରାକେଶ ସେହି କଳା ପାଇଁ ଆଜି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଛୋଟବେଳୁ ପାଠପଢ଼ା ସାଙ୍ଗକୁ ବାଲୁକା କଳାପ୍ରତି ଆକର୍ଷଣ ଆଜି ତାଙ୍କୁ ସଫଳତାର ରାସ୍ତାରେ ଛିଡ଼ା କରାଇଛି। ଛୋଟବେଳୁ ମାଟିରେ ବିଭିନ୍ନ ମୂର୍ତ୍ତି ଗଢ଼ିବା, ୱାଲ୍‌ ପେଣ୍ଟିଂ କରିବା ସହ ବାଲୁକା କଳାରେ ନିପୁଣ ରାକେଶ ଏବେ ମହମରେ ସବୁଠାରୁ କ୍ଷୁଦ୍ର ମୂର୍ତ୍ତି ତିଆରି କରି ବିଶ୍ବ ରେକର୍ଡ‌ରେ ସ୍ଥାନ ପାଇଛନ୍ତି।

ଲକ୍‌ଡାଉନ୍‌ ସମୟରେ ଘରେ ରହି ସେ ମହମରେ ଧ୍ୟାନରତ ବୁଦ୍ଧଙ୍କ ମୂର୍ତ୍ତି ଗଢ଼ିବାକୁ ଚେଷ୍ଟା କରିଥିଲେ। ଏତେ ଛୋଟ ମୂର୍ତ୍ତି ଖାଲି ଆଖିରେ ତିଆରି କରିବା ସମ୍ଭବ ନହେବାରୁ ଏଥିପାଇଁ ଜବକାଚ ବ୍ୟବହାର କରିଥ‌ିଲେ। ଯାହାକୁ ସେ ପ୍ରତିଯୋଗିତାରେ ସାମିଲ କରାଇ ଚଳିତ ମାସରେ ଏକ୍ସକ୍ଲୁସିଭ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି। କେବଳ ବୁଦ୍ଧମୂର୍ତ୍ତି ନୁହେଁ, ଏହାଠାରୁ ମଧ୍ୟ କ୍ଷୁଦ୍ରତର ଅଧ ସେଣ୍ଟିମିଟରର ନିମ୍ବ କାଠି‌ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନ୍ଦର ପ୍ରତିମା ନିର୍ମାଣ କରି ପ୍ରଶଂସା ସାଉଁଟୁଛନ୍ତି। ଏହି କଳାକୁ ଆହୁରି ବ୍ୟାପକ କରିବା ପାଇଁ ସେ ଭଦ୍ରକ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରେ ତୃତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ରାକେଶଙ୍କୁ ଏହି କଳାକୁ ଆଗକୁ ନେବାପାଇଁ ଅର୍ଥ ବାଧକ ସାଜୁଛି। ସରକାରୀ ସହଯୋଗ ମିଳିପାରିଲେ ସେ ବିଭିନ୍ନ ରେକର୍ଡ କରି ରାଜ୍ୟ ପାଇଁ ଗୌରବ ଆଣିପାରନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର