ନୂଆଦିଲ୍ଲୀ: ଡିସେମ୍ବର ୨୦୧୯ରୁ ଭାରତ ଓ ଚାଇନାରେ କୋଭିଦ-୧୯ର କ୍ରମାଗତ ପ୍ରଭାବ ରହିବା ତଥା ଅନ୍ୟାନ୍ୟ ସନ୍ଦର୍ଭ ପ୍ରସଙ୍ଗ କାରଣରୁ ତାଳଚେର ସାର କାରଖାନାର ନିର୍ମାଣ କାର୍ଯ୍ୟ ପାଇଁ ଠିକାରେ ନିୟୋଜିତ କାରଯାଇଥିବା ଚାଇନାର ଉହାନ ଇଂଜିନିୟରିଂ କମ୍ପାନିର କାର୍ଯ୍ୟ ଧିମେଇ ଯାଇଛି। କୋଲ୍ ଗେସିଫିକେଶନର ଧାର୍ଯ୍ୟ ୪୦.୭୨ ପ୍ରତିଶତ କାର୍ଯ୍ୟରୁ କେବଳ ୯.୧୭ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ଆମୋନିଆ ଓ ୟୁରିୟାର ନିର୍ଦ୍ଧାରିତ ୩୪.୬୬ ପ୍ରତିଶତ କାର୍ଯ୍ୟରୁ ମାତ୍ର ୯.୦୭ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଲୋକସଭାରେ ଉପସ୍ଥାପନ କରାଯାଇଥିବା ସାର ଓ ରସାୟନ ସଂପର୍କୀତ ସଂସଦୀୟ କମିଟି ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି। ଡିଏମକେ ସାଂସଦ କାନିମୋଜି କରୁଣାନିଧିଙ୍କ ଅଧ୍ୟକ୍ଷତାରେ ଗଠିତ ସାର ଓ ରସାୟନ ସଂପର୍କୀତ ସଂସଦୀୟ କମିଟି ଦ୍ବାରା ବନ୍ଦ ପଡିରହିଥିବା ଏବଂ ରଗ୍ମ ଅବସ୍ଥାରେ ଥିବା ଫର୍ଟିଲାଇଜର ୟୁନିଟ୍ସ ଗୁଡିକର ପୁନରୁଦ୍ଧାର ସମ୍ବନ୍ଧିତ ୨୪ ତମ ରିପୋର୍ଟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ସଂପର୍କୀତ ପ୍ରସଙ୍ଗ ଉଲ୍ଲେଖ ରହିଛି।

Advertisment

କମିଟି ଦ୍ବାରା ଏହାର ମାର୍ଚ୍ଚ ୧୭,୨୦୨୧ର ୧୮ ତମ ରିପୋର୍ଟରେ ତାଳଚେର ସାର କ‌ାରଖାନା ପୁନରୁଦ୍ଧାର ପ୍ରସଙ୍ଗରେ ଯେଉଁ ସବୁ ସୁପାରିଶ ଓ ଟିପ୍ପଣୀ କରାଯାଇଥିଲା ତାହାର ଆକ୍ସନ ଟେକେନ ରିପୋର୍ଟ ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜର ନିକଟରୁ ଲୋଡ଼ାଯାଇଥିଲା। ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜର ବିଭାଗ ଦ୍ବାରା ଜୁଲାଇ ୧୪,୨୦୨୧ରେ ସଂସଦୀୟ କମିଟିକୁ ଆକ୍ସନ ଟେକେନ ସମ୍ବନ୍ଧରେ ଅବଗତ କରାଯାଇଥିଲା ବୋଲି କମିଟିର ରିପୋର୍ଟରେ ଦର୍ଶାଯାଇଛି।

ସଂସଦୀୟ କମିଟିର ସୁପାରିଶକୁ ଭିତ୍ତିକରି ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜର ପକ୍ଷରୁ ଚଳିତ ବର୍ଷ ଅଗଷ୍ଟ ୬ ତାରିଖରେ ତାଳଚେର ଫର୍ଟିଲାଇଜର ଲିମିଟେଡ (ଟିଏଫଏଲ) କୁ ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ପ୍ରଗତିରେ କୋଭିଦ ଲକଡାଉନର ପ୍ରଭାବର ବିସ୍ତୃତ ଆକଳନ କରାଯିବା ପାଇଁ ଅନୁରୋଧ କରାଯାଇଥିଲା। ରିପୋର୍ଟ ମିଳିବା ପରେ ସାର ଓ ରସାୟନ ସଂପର୍କୀତ ସଂସଦୀୟ କମିଟିକୁ ଏବାବଦରେ ଅବଗତ କରିଦିଆଯିବ ବୋଲି ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜର ପକ୍ଷରୁ କୁହାଯାଇଥିବାର ରିପୋର୍ଟରେ ଉଲ୍ଲେଖ ଅଛି।

ସୁଚନାଯୋଗ୍ୟ, ତାଳଚେର ସାର କାରଖାନା ପ୍ରକଳ୍ପ ଅତ୍ୟଧିକ ଖର୍ଚ୍ଚର ହୋଇଥିବାରୁ ଏବଂ ନିର୍ମାଣର ଖର୍ଚ୍ଚ ବିସ୍ତୁତ ଫିଜିବିଲିଟି ରିପୋର୍ଟ(ଡିଏଫଆର) ଅନୁସାରେ ୧୦ ପ୍ରତିଶତ ବୂଦ୍ଧି ହୋଇଥିବାରୁ ପ୍ରକଳ୍ପର କାର୍ଯ୍ୟ ପ୍ରଗିତ ଉପରେ ଲକଡାଉନର ପ୍ରଭାବ ବିଶେଷ କରି ନିର୍ମାଣର ଖର୍ଚ୍ଚ ସଂପର୍କରେ ସଂସଦୀୟ କମିଟି ୧୮ତମ ରିପୋର୍ଟରେ ବିସ୍ତୁତ ଆକଳନ କରିବା ପାଇଁ ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜରକୁ ସୁପାରିଶ କରିଥିଲା।ଆକଳନକୁ ଭିତ୍ତି କରି ସାର କାରଖାନା ପାଇଁ ମୂଳରୁପରେ ୨୦୨୩ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଖର୍ଚ୍ଚ ଆଧାରେ ଆବଶ୍ୟକ ପଦକ୍ଷେପ ନିଆଯିବ ଯାହା ଦ୍ବାରା ପ୍ରକଳ୍ପର କାର୍ଯ୍ୟର ସମାପ୍ତି ତଥା କମିସନିଙ୍ଗକୁ ସୁନିଶ୍ଚିତ କରାଯାଇପାରିବ ବୋଲି ସଂସଦୀୟ କମିଟି ପକ୍ଷରୁ କୁହାଯାଇଥିଲା। ଆହୁରି ମଧ୍ୟ କମିଟି ଦ୍ବାରା ସୁପାରିଶରେ ପ୍ରକଳ୍ପର କାର୍ଯ୍ୟ ପାଇଁ ୭୯୦୦ କୋଟି ଟଙ୍କାର ଠିକାକୁ ଚାଇନାର ଏମଏସ ୱାହାଙ୍ଗ ଇଂଜିନିୟରିଂ କଂପାନୀକୁ ଦିଆଯିବା, ଚୁକ୍ତି ଓ ଚୟନର ପ୍ରକ୍ରିୟା, କଂପାନୀର କାର୍ୟ୍ୟ ପ୍ରଗତି, କୋଭିଦ ପରୀପେକ୍ଷୀରେ ଠିକାର ସ୍ଥିତି ସଂପର୍କରେ ଅବଗତ କରାଇବା ପାଇଁ ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜରକୁ କୁହାଯାଇଥିଲା।

ସଂସଦରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଏ ନେଇ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। କୋଲ ଗେସିଫିକେସନ ପ୍ଲାଣ୍ଟ(କୋଇଲାରୁ ପ୍ରାକୁତିକ ବାଷ୍ପ ତିଆରି କରାଯାଇ ସାର ଉତ୍ପାଦନ କାରଖାନା)ଏବଂ ଆମୋନିଆ ୟୁରିଆ ପ୍ଲାଣ୍ଟ ନିର୍ମାଣର ଠିକା କାର୍ଯ୍ୟ ବିଶ୍ବସ୍ତରିୟ ଟେଣ୍ଡର ଆହ୍ବାନ ଦ୍ବାରା ଚାଇନାର ଉହାନ କଂପାନୀକୁ ନ୍ୟସ୍ତ କରାଯାଇଥିଲା ବୋଲି ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜର ଦ୍ବାରା କମିଟିକୁ ଅବଗତ କରାଯିବା ସହିତ ଠିକ‌ାର ସମସ୍ତ ସର୍ତ୍ତଗୁଡିକୁ ଦର୍ଶାଯାଉଛି। ଡିସେମ୍ବର ୨୦୧୯ରୁ ଭାରତ ଓ ଚାଇନାରେ କୋଭିଦର ପ୍ରଭାବ ରହିଥିବାରୁ କାର୍ଯ୍ୟ ପ୍ରଭାବିତ ହୋଇଥିବାର ବିଭାଗ ପକ୍ଷରୁ କମିଟିକୁ ଅବଗତ କରାଯାଇଛି। କୋଲ ଗେସିଫିକେଶନ ପାଇଁ ନିର୍ଦ୍ଦାରିତ ୪୦.୭୨ ପ୍ରତିଶତରୁ ୯.୦୭ ପ୍ରତିଶତ କାର୍ଯ୍ୟ ଏବଂ ଆମୋନିଆ ଓ ୟୁରିଆ ପାଇଁ ଧାର୍ଯ୍ୟ ୩୪.୬୬ ପ୍ରତିଶତରୁ ୯.୦୭ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। କୋଭିଡ ପର ସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ କୋଭିଦ ପ୍ରଟୋକଲ ଅନୁସାରେ ଜାରି ରହିଛି ବୋଲି ବିଭାଗ ପକ୍ଷରୁ କମିଟିକୁ ଅବଗତ କରାଯାଇଛି । ବର୍ତ୍ତମାନ ସାଇଟ ପାଖରେ ପିଲିଂ କାର୍ଯ୍ୟ ଜାରି ରହିଛି ଏବଂ କୋଲ ଗ୍ୟାସିଫିକେଶନ ତଥା ଆଲମିନିୟମ ୟୁରିଆ ପ୍ଲାଣ୍ଟ ଏରିଆରେ ଜଳ ଭିତ୍ତିଭୁମିର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ୧୨ ଜଣ ଊହାନ ଅଧିକାରୀ ଭାରତରେ ଅଛନ୍ତି ଏବଂ ଅତିରିକ୍ତ ଛଅ ଜଣଙ୍କ ଭିସା ଜୁନ ୨୧ ,୨୦୨୧ରେ ମଞ୍ଜୁରୀ ହୋଇଥିଲା ବୋଲି ଡିଏଫଏଫ ଦ୍ବାରା କମିଟିକୁ ଅବଗତ କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜରକୁ ସଂସଦୀୟ କମିଟି ଦ୍ବାରା ଟିଏଫଏଲକୁ ବିସ୍ତୁତ ଆକଳନ କାର୍ଯ୍ୟକୁ ଶୀଘ୍ର ଶେଷକରି ତଥା ଆକଳନକୁ ଭିତ୍ତି କରି ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସୁନିଶ୍ଚିତ କରିବା ପାଇଁ ସୁପାରିଶରେ କୁହାଯାଇଛି।

ସାର ଓ ରସାୟନ ସଂପର୍କୀତ ସଂସଦୀୟ କମିଟି ରିପୋର୍ଟରେ ତାଳଚେର ସାର କାରଖାନା ସହ ତେଲେଙ୍ଗାନାର ରାମଗୁଣ୍ଡମ,ଝାଡଖଣ୍ଡର ସିନ୍ଧ୍ରୀ ଓ ଉତ୍ତର ପ୍ରଦେଶର ଗୋରଖପୁର ସାର କାରଖାନାର ପୁନରୁଦ୍ଧାର ପ୍ରକ୍ରିୟା ସଂପର୍କରେ ମଧ୍ୟ ଉଲ୍ଲେଖ ଅଛି।