ପୁରୀ: ଗତକାଲି ସୁଦ୍ଧା ତିନି ରଥର ପାଞ୍ଚଦଣ୍ଡା ଚଉପଟ ସହ ଦଣ୍ଡାଗୁଡ଼ିକର ଉଭୟ ମୁଖ ସାଲ ହୋଇ ମୁହାଁଟ ସଂଯୋଗ ସରିଥିଲା। ପାର୍ଶ୍ୱ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଜାରି ରହିଥିଲା। ଆଜି ରଥ ନିର୍ମାଣର ୩୨ତମ ଦିବସରେ ତିନି ରଥର ଦଣ୍ଡା ଫ୍ରେମ୍ ନିର୍ମାଣ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ଆଗ ଏବଂ ପଛ ନିରାଡ଼ି ଉଠିଥିଲା। ପାର୍ଶ୍ୱ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ୱ ନିରାଡି ପଡ଼ିଥିଲା। ଏହାର ଆଗ ଆଣି ମୁହାଁଟରେ ପାଞ୍ଚଟି ସାଲଗୁଜ, ପଛଆଣି ମୁହାଁଟରେ ତିନିଟି ଜଳଯନ୍ତ୍ର ଏବଂ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ନିରାଡ଼ି ସଂଯୋଗ ହୋଇ ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ହୋଇଛି। ଏହି ଦଣ୍ଡା ଫ୍ରେମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣାମାନଙ୍କ ତତ୍ତ୍ୱାବଧାନରେ ସହଯୋଗୀ ମହାରଣା ସେବକ ଏବଂ ଭୋଇ ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।
ଏଥିସହ ତିନି ରଥର ଚାରି ଗୋଟି ଲେଖାଏଁ ଧ୍ୱଜବତାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରତୀ ସେବକମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳର ଉଭୟ ପାର୍ଶ୍ବ ଚିତା କାର୍ଯ୍ୟ ଶେଷ ପରେ ଚିରଟ କାର୍ଯ୍ୟ ଶେଷ କରିଛନ୍ତି। ରୂପକାର ସେବକମାନେ ତିନିରଥର ବେଦି ସିଂହାସନ ମୁହାଁଟରେ କୁମ୍ଭ, ଡାଳି, ଲତା ଇତ୍ୟାଦି ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥ ଦଣ୍ଡା ପାଇଁ ଦଣ୍ଡା ବିଡିଆ କଣ୍ଟା, ଗୟଳ କଣ୍ଟା ସହ ଗରଗରା କଣ୍ଟା, ଧ୍ୱଜ ବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପାହି ମହାରଣାମାନେ ଦୋଳବେଦିଠାରେ ରଥରେ ପୂଜାର୍ଚ୍ଚନା ପାଇଁ ବେଶ ଘୋଡ଼ିଆ ଏବଂ ଫୁଲ ଚାଙ୍ଗଡ଼ା ଫ୍ରେମ୍ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/02/LNCCIQGF9CpqLUIkry3K.jpg)