ସାଇନବୋର୍ଡରେ ଚାଲିଛି ଶୌଚାଳୟ ନିର୍ମାଣ : କଳାହାଣ୍ଡିରେ ପାଇଖାନା ନିର୍ମାଣ ନ ହୋଇ ବି ବାହ୍ୟ ମଳମୁକ୍ତ ଗାଁ ଘୋଷିତ

ଗାଦାଡି ଭଳି କାଉପଦର ଗାଁରେ ଗୋଟିଏ ମଧ୍ୟ ପାଇଖାନା ନ ହୋଇ ବାହ୍ୟ ମଳମୁକ୍ତ ଗାଁ ଘୋଷିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପାଇଖାନା ନିର୍ମାଣ ନ ହୋଇ ବି ବାହ୍ୟ ମଳମୁକ୍ତ ଗାଁ ସାଇନବୋର୍ଡ ଝୁଲୁଛି । ମଦନପୁର ରାମପୁର ବ୍ଲକର ଉର୍ଲାଦାନୀ ପଞ୍ଚାୟତର ଗାଦାଡି ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ପାଇଖାନା ନିର୍ମାଣ ନ ହୋଇ ବାହ୍ୟ ମଳମୁକ୍ତ ଗାଁ ସାଇନବୋର୍ଡ ଝୁଲିବା ସହିତ କାଗଜ କଲମରେ ସ୍ଵଛ ଭାରତ ମିଶନ ଚାଲିଛି । ବର୍ତ୍ତମାନ ଗାଦାଡି ଭଳି ଦେଢ଼ସୁଲି ପଞ୍ଚାୟତର କାଉପଦର ଗାଁରେ ଗୋଟିଏ ମଧ୍ୟ ପାଇଖାନା ନ ହୋଇ ବାହ୍ୟ ମଳମୁକ୍ତ ଗାଁ ଘୋଷିତ ହୋଇ ସାଇନବୋର୍ଡ ଝୁଲିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମିଳିଥିବା ସମୁଦାୟ ୩କୋଟି ୯୪ ଲକ୍ଷ ୩୨ ହଜାର ଟଙ୍କା ଯଥାକ୍ରମେ ୨୦୧୭-୧୮ ଆର୍ଥିକ ବର୍ଷରେ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ ୪୮ଲକ୍ଷ ଟଙ୍କା ପୈଠ ହେଇଥିବାବେଳେ ୨୦୧୮-୧୯ଆର୍ଥିକ ବର୍ଷରେ ୩ କୋଟି ୪୬ ଲକ୍ଷ ୩୨ ହଜାର ଟଙ୍କା ପଇଠ କରାଯାଇଥିବା ସୂଚନା ହସ୍ତଗତ ହେଇଛି । ଦୁଇବର୍ଷ ପାଇଁ ଆସିଥିବା ସଂପୂର୍ଣ୍ଣ ଅର୍ଥ ବିନିଯୋଗ କରାଯାଇଥିବା ସୂଚନାଫର୍ଦ୍ଦରେ ଦର୍ଶାଯାଇଛି । କେବଳ ୯୨୮ଜଣ ହିତାଧିକାରୀ ନିଜ ତତ୍ତ୍ୱାବଧାନରେ ସରକାରୀ ସହାୟତା ଦ୍ୱାରା ଶୌଚାଳୟମାନ ନିର୍ମାଣ କରିଥିବାବେଳେ ବାକି ଶୌଚାଳୟ ବିଭିନ୍ନ ଠିକାସଂସ୍ଥା ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହେଇଥିବା ଜଣାପଡ଼ିଛି । ଏପରିପ୍ରେକ୍ଷୀରେ ନିଜ ତତ୍ତ୍ୱାବଧାନରେ ତିଆରି କରାଯାଇଥିବା ଶୌଚାଳୟ ବାବଦକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ପାସ୍‌ ବହିରେ ୧ କୋଟି ୧୧ଲକ୍ଷ ୩୬ ହଜାର ଟଙ୍କା ଜମା ଦିଆଯାଇଥିବା ଦର୍ଶାଯାଇଛି । ଏହି ଶୌଚାଳୟ ନିର୍ମାଣ କାର୍ଯ୍ୟରେ ମ.ରାମପୁର ବ୍ଲକର ୧୯ ଗୋଟି ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମମାନଙ୍କରେ ସମୁଦାୟ ୭୯ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୧୯ଟି ଘରୋଇ ନିର୍ମାଣ ଠିକା ସଂସ୍ଥାଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଇଥିବା ସୂଚନା ହସ୍ତଗତ ହେଇଛି ।

Pinterest

ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ମ.ରାମପୁର ବ୍ଲକର ୧୯ ଗୋଟି ପଂଚାୟତରେ ୪୦୦ ଟି ଶୌଚାଳୟ ହେଇଥିବାବେଳେ ୨୦୧୮-୧୯ରେ ୨ହଜାର୮ଶହ ୮୬ଟି ଶୌଚାଳୟ ନିର୍ମାଣ ହୋଇଛି ଏବଂ ଦୁଇ ଆର୍ଥିକ ବର୍ଷର ସମୁଦାୟ ଶୌଚାଳୟ ସଂଖ୍ୟା୩୨୮୬ଟି ରହିଛି । ଦୁଇ ଆର୍ଥକ ବର୍ଷକୁ ମିଶାଇ ଏହି ବ୍ଲକର ୧୯ଗୋଟି ପଂଚାୟତ ଯଥା ଅଲାତରା ପଂଚାୟତରେ ୨୯୯, ବମକ ୨୩୩, ବାରବନ୍ଧା ୧୦୧, ଡ଼ମ କର୍ଲାଖୁଣ୍ଟା ୨୭୩, ଦେଢଶୂଳୀ ୧୦, ଡ଼ୁଡ଼ୁକାରଂଜା ୧୬୮, ଗୋଚ୍ଛାଡ଼େଙ୍ଗନ ୩୩୦, ଲୁବେନଗଡ଼ ୧୬ଟି, ମ.ରାମପୁର ୩୧୩, ମଦନପୁର ୧୯୩,ମାଣିକେରା ୮୨,ମୋହନଗିରୀ ୨୧୬, ମୁଡ଼ିଂ ୧୯୪, ନୁନପୁର ୧୯୩, ପଣ୍ଡକାମାଳ ୧୩୩, ସାଲେପାଲି ୧୫୯, ସାଇଦଲଙ୍ଗା ୧୫୭, ସିଂହପୁର ୩୪, ଉର୍ଲାଦାନୀ ପଞ୍ଚାୟତରେ ୧୭୯ଟି ଶୌଚାଳୟ ନିର୍ମାଣ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ।

୨୦୧୧ ଜନଗଣନା ଅନୁଯାୟୀ ମ.ରାମପୁର ବ୍ଲକରେ ସମୁଦାୟ ପରିବାର ସଂଖ୍ୟା ୩୭ ହଜାର ୧୪ ରହିଥିବାବେଳେ ଜନସଂଖ୍ୟା ୮୦ହଜାର ୫ଶହ ୨୪ ଅଟେ । ସରକାର ସ୍ୱଚ୍ଛ ଭାରତ ମିଶନ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ତାହାର ଅସ୍ୱଚ୍ଛ ଚିତ୍ର ଦେଖିଲେ ତାଜୁବ୍ ଲାଗେ । ଦେଢଶୁଳୀ ପଂଚାୟତର କାଉପଦର ଗ୍ରାମରେ ପ୍ରାୟ ୨୭ ଟି ପରିବାର ରହୁଛନ୍ତି । ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଶୌଚାଳୟ ସ୍ଵଛଭାରତ ମିଶନ ପକ୍ଷରୁ ନିର୍ମାଣ ହୋଇନାହିଁ । କିଭଳି ବାହ୍ୟ ମଳମୁକ୍ତ ସୂଚନା ଫଳକ ବିଭାଗ ପକ୍ଷରୁ ଲଗାଗଲା ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ମ.ରାମପୁର ବ୍ଲକର ଅନେକ ଗ୍ରାମର ପ୍ରତ୍ୟେକ ଘରେ ଏପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ ହୋଇ ନ ଥିବା କାରଣରୁ ଏବେ ମହିଳାମାନେ ସନ୍ଧ୍ୟା ହେବାକୁ ଅପେକ୍ଷା କରି ରହୁଥିବା ବେଳେ ପୋଖରୀ ହୁଡା ଏବଂ ସର୍ବସାଧାରଣ ଚଲାପଥର ଦୁଇପାର୍ଶ୍ୱରେ ଶୌଚ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ କେଉଁ ଆଧାରରେ ବିଭିନ୍ନ ପଂଚାୟତର ବିଭିନ୍ନ ଗ୍ରାମକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରି ସୂଚନା ଫଳକ ମାନ ଲଗାଇଛନ୍ତି ଏହା ତଦନ୍ତ ସାପେକ୍ଷ ଅଟେ ।

FactChecker

ଠିକା ସଂସ୍ଥା ଓ ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରତ୍ୟେକ୍ଷ ତତ୍ୱବାଧାନରେ ନିର୍ମାଣ ହୋଇ ଥିବା ସମସ୍ତ ଶୌଚାଳୟ ମାନ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ଆସୁଛି। ଏମିତି ବି ଗୋଟିଏ ଶୌଚାଳୟକୁ ଦେଖେଇ ଦୁଇ ତିନିଜଣ ନାମ ପରିବର୍ତ୍ତନ କରି ଟଙ୍କା ଉଠାଣ କରିଥିବା ଦେଖିବାକୁ ମିଳିଛି । ସ୍ୱଚ୍ଛ ଭାରତ ଏକ କାର୍ଯ୍ୟକ୍ରମ ଯାହା ସମସ୍ତ ଭାରତୀୟଙ୍କ ପାଇଁ ଏକ ପ୍ରକାର ମିସନ ହୋଇ ଥିବା ବେଳେ ସରକାରୀ କଳର ଉଦାଶୀନତା ଓ ସ୍ଥାନୀୟ ପ୍ରଶାସନ ଶୀଘ୍ର କାମ ସାରି ଦାୟିତ୍ୱରୁ ମୁକ୍ତି ହେବାର ତତ୍ପରତା ଯୋଗୁଁ ଏବେ ବି ଆଭ୍ୟନ୍ତରୀଣ ତଥା ସଦର ଇଲାକାରେ ଅନେକ ଶୌଚାଳୟ ନିର୍ମାଣ କାର୍ଯ୍ୟ ବାକି ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ଅଧିକାରୀମାନେ ମୁଣ୍ଡରୁ ବୋଝ ହଟେଇବା ଭଳି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିସନର ଶୌଚାଳୟ ନିର୍ମାଣ ଫାଇଲରେ ପୂର୍ଣ୍ଣଛେଦ ପକାଇ ବାହ୍ୟ ମଳ ମୁକ୍ତ ଗାଁ ଘୋଷଣା କରି ସୂଚନା ଫଳକ ମାନ ମ.ରାମପୁର ବ୍ଲକର ୧୯ ଗୋଟି ପଞ୍ଚାୟତର ପ୍ରତ୍ୟେକ ଗାଁ ର ଆରମ୍ଭରେ ଲଗାଇଥିବା ସୂଚନା ଫଳକ ଧର୍ମକୁ ଆଖି ଠାର ସାଜିଛି ।

ବହୁ ସ୍ଥାନରେ ମିଥ୍ୟା ବିଲ କରି ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହାର ଏକ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ । କାଉପଦର ଗାଁରେ ଆଜିପର୍ଯ୍ୟନ୍ତ ଗୋଟିଏ ମଧ୍ୟ ପାଇଖାନା ନିର୍ମାଣ ନ ହୋଇ ବାହ୍ୟ ମଳମୁକ୍ତ ଗାଁ ଘୋଷିତ ହେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୁର୍ଗମ ଅଞ୍ଚଳରେ ଗମନାଗମନ ସୁବିଧା ନ ଥିବା ଯୋଗୁଁ ବିଭାଗୀୟ ଅଧିକାରୀମାନେ ଏହାର ଫାଇଦା ଉଠାଇ କାଗଜ କଲମରେ ଦର୍ଶାଇ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ କନିଷ୍ଠଯନ୍ତ୍ରୀ ଠାରୁ ନିର୍ବାହୀ ଯନ୍ତ୍ରୀ ପର୍ଯ୍ୟନ୍ତ କେହି ମଧ୍ୟ ମୁହଁ ଖୋଲିବାକୁ ନାରାଜ । ଜୈନେକ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, କାଉପଦର ଗାଁରେ ଗୋଟିଏ ମଧ୍ୟ ପାଇଖାନା ବିଭାଗ ପକ୍ଷରୁ ହୋଇନାହିଁ ।

ସମ୍ବନ୍ଧିତ ଖବର