କାରଖାନା ବର୍ଜ୍ୟବସ୍ତୁରେ  ଖାଲ ପୋତି ଭେଣ୍ଡିଂ ଜୋନ୍‌ ନିର୍ମାଣ

କେନ୍ଦୁଝର: କେନ୍ଦୁଝର ସହରରେ ପୌରପାଳିକା ପକ୍ଷରୁ ଭେଣ୍ଡିଂଜୋନ୍ ତିଆରି ହେଉଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଟ୍ରକ୍‌ ଆସୋସିଏସନ କାର୍ଯ୍ୟାଳୟ ସମ୍ମୁଖରେ ଭେଣ୍ଡିଂଜୋନ୍ ନିର୍ମାଣ ଚାଲିଛି। ଠିକାଦାର ଲାଭଖୋର ମନୋବୃତ୍ତି ରଖି ବାଲି, ମାଟି, ମୋରମରେ ଖାଲ ସ୍ଥାନକୁ ପ‌ୋତିବା ବଦଳରେ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ତାହାକୁ ‌ପୋତୁଥିବା ଅଭିଯୋଗ ହେଉଛି। ଠିକାଦାର ମନଇଚ୍ଛା କାମ କରୁଥିଲେ ମଧ୍ୟ ଯନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି।

ଠିକାଦାର, ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପରିବେଶ ନଷ୍ଟ ହେଉଛି। କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିଆରି ହେଉଥିବା ଭେଣ୍ଡିଂଜୋନ୍‌ ପାଇଁ ପଡ଼ିଥିବା କଳାଗୁଣ୍ଡ ପ୍ରବଳ ମାତ୍ରାରେ ଉଡ଼ି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କ କ୍ବାର୍ଟର୍ସରେ ପଶୁଛି। ବର୍ଷ‌ାପାଣିରେ କଳାଗୁଣ୍ଡ ମିଶି କଲୋନିରେ ପଶୁଛି। ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ସ୍ବାଇଁ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବରଂ ସେଠାରେ ଗଦା ହୋଇଥିବା କଳାଗୁଣ୍ଡକୁ ଚାରିପଟେ ଖେଳାଇ ଦିଆଯାଇଛି। ଏହାକୁ ନେଇ କୃଷି ଅଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର