ନୂଆଦିଲ୍ଲୀ : କୋଭିଡ-୧୯ ସଂକଟ ସମୟରେ ରାଜ୍ୟ ସରକାର ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ବାବଦରେ ୧୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏ ପର୍ଯ୍ୟନ୍ତ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡରେ ପଂଜୀକୃତ ୧୭ ଲକ୍ଷ ୮୪ ହଜାର ୭୮୦ ଜଣ ଶ୍ରମିକଙ୍କୁ ୨୭୬ କୋଟି ୭୧ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଲକ୍ଡାଉନ୍ ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଓ ଥଇଥାନ ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଗତ ମାସ ୯ ତାରିଖରେ ସୁପ୍ରିମ କୋର୍ଟ ପ୍ରବାସୀ ଶ୍ରମିକମାନଙ୍କ କଷ୍ଟ ଓ ଦୁର୍ଦ୍ଦଶା ପ୍ରତି ଦୃଷ୍ଟିଦେଇ ନିଜ ଆଡୁ ରୁଜୁ କରିଥିବା ମାମଲାର ଶୁଣାଣି କରି ସେମାନଙ୍କ ଥଇଥାନ ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସତ୍ୟପାଠ ଜରିଆରେ କୋର୍ଟକୁ ଅବଗତ କରାଇବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ୩୦ ପୃଷ୍ଠାର ସତ୍ୟପାଠରେ ସରକାର କହିଛନ୍ତି, ଲକ୍ଡାଉନ୍ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଶ୍ରମିକ ସହାୟତା ହେଲ୍ପଲାଇନ୍ରେ ନାମ ପଂଜୀକରଣ କରିବାକୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶାରେ ଅଟକି ରହିଥିବା ବିଭିନ୍ନ ରାଜ୍ୟର ୧୪୨୮ ଜଣ ଶ୍ରମଜୀବୀଙ୍କୁ ରାଜ୍ୟ ସରକାର ସେମାନଙ୍କ ରାଜ୍ୟକୁ ପଠାଇବାର ବନ୍ଦୋବସ୍ତ କରିଥିଲେ।
ପ୍ରବାସରୁ ରାଜ୍ୟକୁ ଫେରିଥିବା ଶ୍ରମଜୀବୀଙ୍କ ପାଇଁ ବିଭିନ୍ନ ବିଭାଗ ଦ୍ବାରା କର୍ମ ସଂସ୍ଥାନ ଯୋଗାଇବାର ବନ୍ଦୋବସ୍ତ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ତଥ୍ୟ ହାସଲ ପାଇଁ ସମ୍ପୃକ୍ତ ଶ୍ରମଜୀବୀଙ୍କର ବ୍ଲକ ଓ ଜିଲ୍ଲାସ୍ତରରେ କାଉନ୍ସେଲିଂ କେନ୍ଦ୍ର ଓ ହେଲପ୍ ଡେସ୍କ ଖୋଲାଯାଇଛି।
/sambad/media/post_attachments/wp-content/uploads/2020/05/worker-1-300x138.jpg)
ସରକାର କହିଛନ୍ତି, ମନରେଗା ଓ ଅନ୍ୟାନ୍ୟ ଯୋଜନାରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପିଆରଡବ୍ଲୁ ଏବଂ ଗୃହ ଓ ସହରାଞ୍ଚଳ ବିଭାଗ ନିଜ ଗାଁକୁ ଫେରି ଆସିଥିବା ଶ୍ରମିକମାନଙ୍କର ଗାଁ, ବ୍ଲକ, ଜିଲ୍ଲାୱାରି ସବିଶେଷ ତଥ୍ୟ ରଖିବା ସହ ସେମାନଙ୍କର ଦକ୍ଷତା, କର୍ମ ସଂସ୍ଥାନର ପ୍ରକାର ଏବଂ ପୂର୍ବରୁ ସେମାନେ କେଉଁ ସବୁ କାର୍ଯ୍ୟରେ ନିୟୋଜିତ ଥିଲେ ତାହାର ମଧ୍ୟ ତଥ୍ୟ ରଖିଛନ୍ତି। ଏହାକୁ ଭିତ୍ତି କରି ପ୍ରଶାସନ ସେମାନଙ୍କୁ ବିଭିନ୍ନ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବ। ଯେଉଁ ସବୁ ଶ୍ରମିକମାନେ ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରି ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରି ଆସିଥିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ ଅନ୍ତର୍ଗତ ସେମାନଙ୍କ ବିରୋଧରେ ମୋଟ ୨୪ଟି ମାମଲା ରୁଜୁ କରାଯାଇଥିଲା ଏବଂ ୨୧ଟି ମାମଲାରେ ଅଭିଯୋଗଫର୍ଦ ଦାଖଲ ହୋଇଛି। ମାମଲାଗୁଡ଼ିକୁ ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୯ ତାରିଖ ଆଦଶରେ ସୁପ୍ରିମକୋର୍ଟ ପ୍ରବାସୀ ଶ୍ରମିକମାନଙ୍କ ବିରୋଧରେ ଦାୟର ହୋଇଥିବା ଲକ୍ଡାଉନ୍ ଉଲ୍ଲଂଘନ ସଂକ୍ରାନ୍ତ ମାମଲାକୁ ପ୍ରତ୍ୟାହାର ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ସହରାଞ୍ଚଳ ପ୍ରବାସୀ ଶ୍ରମଜୀବୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନ୍ସିଏଟିଭ୍ ପ୍ରଚଳନ କରିଛନ୍ତି ଏବଂ ଏଥିପାଇଁ ୧୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଥିବାର ଦର୍ଶାଇଛନ୍ତି। ପ୍ରବାସୀ ଶ୍ରମିକମାନଙ୍କ ପରିବାରର ଗର୍ଭବତୀ ମହିଳା ଓ ୬ ବର୍ଷର କମ୍ ଶିଶୁ ପାଇଁ ଅଂଗନବାଡ଼ି ସେବା ଅଧିନରେ ସପ୍ଲିମେଣ୍ଟାରି ନ୍ୟୁଟ୍ରିସନ୍ ଯୋଜନାରେ ୪୦୩୮ ମହିଳା ଓ ୧୭,୧୩୧ ଶିଶୁ ଲାଭବାନ ହୋଇପାରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ସରକାର ଏସ୍ଏଚ୍ଜି ସଂଗଠନର ପ୍ରତି ସଦସ୍ୟଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବାର ଘୋଷଣା କରିସାରିଥିବା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ଆତ୍ମନିର୍ଭର ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ୧୭୬୯୦ ପ୍ରବାସୀ ଶ୍ରମିକଙ୍କୁ ୧୭୧୬୯୦ ମେଟ୍ରିକ ଟନ୍ ଚାଉଳ ଏବଂ ୧୭୪୩ ପ୍ରବାସୀ ଶ୍ରମିକ ପରିବାରକୁ ୩୪୮୬ ମେଟ୍ରିକ ଟନ୍ ଡାଲି ଯୋଗାଇ ଦେଇଥିବାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠରେ ରାଜ୍ୟ ସରକାର ୬୬୦୩୦ ଜଣ ପ୍ରବାସୀ ଫେରନ୍ତା ଶ୍ରମିକଙ୍କୁ ସଫଳତାର ସହ ସଂଗରୋଧ ଅବଧି ଶେଷ କରିଥିବାରୁ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଆଜି ସୁଦ୍ଧା ମୋଟ ୬୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି।
ପ୍ରବାସୀ ଶ୍ରମିକଙ୍କ ସମସ୍ତ ପ୍ରସଂଗଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି, ପଦକ୍ଷେପ ନିଆଯାଉଛି ଓ ଆଗକୁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି।