କେମିତି କାର୍ଯ୍ୟକାରୀ ହେବ ଖାଉଟି ସୁରକ୍ଷା ଆଇନ? ଖାଉଟି କମିସନ୍ ସହିତ ୨୪ଟି ଖାଉଟି ‌ଫୋରମ ସଦସ୍ୟ ପଦ ଖାଲି

କଟକ : ଦେଶରେ ଖାଉଟି ସୁରକ୍ଷା ଆଇନରେ ବ୍ୟାପକ ପରିବର୍ତ୍ତନ ହୋଇଥିବାବେଳେ ଖାଉଟି ଅଦାଲତ ଗୁଡିକର କ୍ଷମତା ପରିସର ବୃଦ୍ଧି ପାଇଛି। କିନ୍ତୁ ରାଜ୍ୟରେ ଖାଉଟି ସୁରକ୍ଷା ଆଇନ କାର୍ଯ୍ୟକାରୀ ପାଇଁ ସରକାରୀସ୍ତରରେ ନିଷ୍କ୍ରିୟତା ବାରି ହୋଇ ପଡୁଛି। ଅଧିକାଂଶ ଜିଲ୍ଲା ଖାଉଟି ଫୋରମରେ ଏବେ ସଭାପତି ଓ ସଦସ୍ୟ ପଦ ଖାଲି ପଡିଛି। ଫଳରେ ମାମଲାର ତ୍ବରିତ ବିଚାର ସମ୍ଭବ ହୋଇପାରୁ ନାହିଁ।

ସୂଚନା ଅନୁସାରେ, ବାଲେଶ୍ବର, ବରଗଡ, ବଲାଙ୍ଗୀର, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼-୧ ଓ ୨ ଜିଲ୍ଲା ଖାଉଟି ଫୋରମରେ ସଦସ୍ୟ/ସଭାପତି ପଦ ଖାଲି ପଡିଛି। ଏଠି ସବୁ ଗୋଟିଏ ଲେଖାଏ ସଦସ୍ୟ ପଦ ଖାଲି ପଡ଼ିଥିବାବେଳେ ଏପରି ମଧ୍ୟ ଜିଲ୍ଲା ‌ଫୋରମ ଅଛି ଯେଉଁଠି ତିନୋଟିରୁ ଦୁଇଟି ପଦ ଖାଲି ପଡିଛି। ନିକଟବର୍ତ୍ତୀ ଜିଲ୍ଲାର ଫୋରମର ସଭାପତି/ସଦସ୍ୟ ଡେପୁଟେସନରେ ଆସି ସପ୍ତାହର ତିନି ଦିନ ଏପରି ସବୁ ଫୋରମରେ ମାମଲା ଶୁଣାଣି କରୁଛନ୍ତି।

କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)‌ରେ ମଧ୍ୟ ସମାନ ଅବସ୍ଥା। ଖାଉଟି କମିସ‌ନରେ ଏବେ କେବଳ ସଭାପତି ଓ ମହିଳା ସଦସ୍ୟା ସ୍ମରିତା ମହାନ୍ତି ମାମଲାର ଶୁଣାଣି କରୁଛନ୍ତି। ସଦସ୍ୟାଙ୍କ କାର୍ଯ୍ୟକାଳ ୨୦୨୦, ମେ ୨୦ରୁ ଶେଷ ହୋଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଖାଉଟି କମିସନରେ ସଭାପତିଙ୍କ ସହିତ ମଞ୍ଜୁରୀପ୍ରାପ୍ତ ସଦସ୍ୟଙ୍କ ସଂଖ୍ୟା ହେଉଛି ଚାରି। କିଛି ମାସ ତଳେ ଚାରି ଜଣ ସଦସ୍ୟଙ୍କ ନିଯୁକ୍ତି ପ୍ରକ୍ରୟା ଆରମ୍ଭ ହୋଇଥିବାବେଳେ କରୋନା ସଂକ୍ରମଣକୁ ନେଇ ଦେଖାଦେଇଥିବା ପରିସ୍ଥିତିରେ ଏହା ଶେଷ ହୋଇପାରିନାହିଁ। ଦେଶରେ ଖାଉଟି ଅଦାଲତ ଗୁଡିକର ସମସ୍ୟା ସ˚ପର୍କରେ ଅନୁଧ୍ୟାନ ତଥା ସ˚ସ୍କାର ପାଇଁ ଗଠିତ ଜଷ୍ଟିସ ଅରିଜିତ ପଶାୟତ କମିଟି ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। କିନ୍ତୁ ଏବେକାର ସ୍ଥିତିରୁ ସ୍ପଷ୍ଟ ଯେ ଖାଉଟି ଅଦାଲତ ଗୁଡିକର ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କମିଟିଙ୍କ ପରାମର୍ଶ ସ˚ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇନାହିଁ। ତୁରନ୍ତ ଖାଉଟି କମିସନ୍ ସହିତ ବିଭିନ୍ନ ଜିଲ୍ଲା ଫୋରମ ଗୁଡିକରେ ଖାଲିପଡ଼ିଥିବା ସଦସ୍ୟ ପଦ ପୂରଣ କରିବା ଓ ନୂଆ ଆଇନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିୟମାବଳୀ ଜାରି ନ କଲେ ଖାଉଟି ସୁରକ୍ଷା ଆଇନ ପ୍ରହସରେ ପରିଣତ ହେବ ବୋଲି କଞ୍ଜୁମର ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ କରୁଣାକର ଜେନା ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର