ଖାଉଟି କମିସନ୍ ସଭାପତି ଓ ସଦସ୍ୟ ପଦ ପୂରଣ ପ୍ରସଂଗ : ଖାଉଟି କଲ୍ୟାଣ ସଚିବଙ୍କ ସତ୍ୟପାଠ ଉପରେ ଜବାବ ଦାଖଲ

କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସଭାପତି, ସଦସ୍ୟ ପଦ ସହିତ ବିଭିନ୍ନ ଜିଲ୍ଲା ଫୋରମ ଗୁଡିକରେ ଖାଲି ପଡିଥିବା ସଭାପତି ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ଆଜି ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ପକ୍ଷରୁ ୨୦୨୦, ଫେବ୍ରୁଆରି ୧୨ରେ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଓଡ଼ିଶା କଞ୍ଜୁମର ଆସୋସିଏସନ ସହସଂପାଦକ ଅରୁଣ କୁମାର ସାହୁଙ୍କ ପକ୍ଷରୁ ଏହି ଜବାବ ଦାଖଲ କରାଯାଇଛି।

ରାଜ୍ୟ କମିସନ୍ ସହିତ ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଖାଉଟି ଫୋରମ ଗୁଡିକରେ ମୋଟ ମଞ୍ଜୁରୀପ୍ରାପ୍ତ ସଭାପତି ପଦ ୩୨ ହୋଇଥିବା ବେଳେ ଏବେ ୧୮ ସଭାପତି ପଦ ଖାଲି ପଡିଛି। ସେହିଭଳି ଭାବେ ମୋଟ ୬୬ଟି ସଦସ୍ୟ ପଦ ମଧ୍ୟରୁ ୧୮ଟି ମଧ୍ୟ ଖାଲି ପଡିଛି। ଖାଉଟି ସୁରକ୍ଷା ଆଇନ ୧୯୮୬ ଓ ଏ ସଂପର୍କିତ ୧୯୮୭ର ନିୟମାବଳୀକୁ ଆଧାର କରି ଜାତୀୟ ଖାଉଟି କମିସନରେ ସଦସ୍ୟ ପଦ ପୂରଣ ପାଇଁ ଗତ ଡିସେମ୍ବର ୪ରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମଧ୍ୟ ନୂଆ ନିୟମକୁ ଅପେକ୍ଷା ନ କରି ୧୯୮୬ର ଆଇନ ଆଧାରରେ ରାଜ୍ୟ କମିସନରେ ସଭାପତି ଓ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିବା ଉଚିତ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି।

ଖାଉଟି ଫୋରମ ଗୁଡିକର ଭିତ୍ତିଭୂମି ଓ କର୍ମଚାରୀ ଅଭାବ ସମସ୍ୟା ସମାଧାନ ପାଇଁ କିଛି ବାଧା ନଥିବା ବେଳେ ସରକାର ଏହି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ମହାପାତ୍ର, ବିରଜା ବଳ, ଦେବ ପ୍ରସାଦ ମହାପାତ୍ର, ଅରୁଣ ସାହୁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର