ହାଇକୋର୍ଟରେ କ୍ଷମା ମାଗିଲେ ସଚିବ

ସବୁ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ମାମଲାରେ ସତ୍ୟପାଠ ଦାଖଲ

କଟକ : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ପ୍ରସଂଗକୁ ନେଇ ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀରବିକ୍ରମ ଯାଦବ ଏହି ପ୍ରସଂଗରେ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ପାଳନରେ ବିଳମ୍ବ ପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ୨୦୧୬, ଜାନୁୟାରି ୨୮ରେ ରାଜ୍ୟ ଖାଉଟି ସୁରକ୍ଷା ପରିଷଦ ଗଠିତ ହୋଇଥିବାବେଳେ ବାଲେଶ୍ୱର, ବୌଦ୍ଧ, ଗଂଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡା, ନୟାଗଡ ଓ କଳାହାଣ୍ଡିରେ ମଧ୍ୟ ଜିଲ୍ଲା ପରିଷଦ ଗଠନ ହୋଇଛି। କଟକ ସମେତ ଅନ୍ୟ ୨୦ଟି ଜିଲ୍ଲାରେ କିନ୍ତୁ ଏ ପର୍ଯ୍ୟନ୍ତ ଖାଉଟି ସୁରକ୍ଷା ପରିଷଦ ହୋଇପାରି ନାହିଁ। ତେବେ ଏ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଏଥି ପାଇଁ ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ସଂପର୍କିତ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ୩ ସପ୍ତାହ ଭିତରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଗତ ଅକ୍ଟୋବର ୨୬ରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ବିରଜା ପ୍ରସନ୍ନ ବଳ, ଅରୁଣ କୁମାର ସାହୁ ଓ ପ୍ରଶାନ୍ତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର